ନୂଆଦିଲ୍ଲୀ, ୨୯/୧୧; ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବ୍ୟାକ୍ ଟୁ ବ୍ୟାକ ବାତ୍ୟା ସେନୟାର ଓ ଡିଟୱା । ସେନୟାର ଦୁର୍ବଳ ହୋଇଥିବା ବେଳେ ଡଟୱା ଶକ୍ତିଶାଳୀ ହୋଇଛି । ଶ୍ରୀଲଙ୍କାରେ ବାତ୍ୟା ଡିଟୱା ତାଣ୍ଡବ ରଚିଛି । ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା-ଭୂସ୍ଖଳନରେ ଜନଜୀବନ ପ୍ରଭାବିତ ହୋଇଛି । ଘର ବୁଡିଛି, ଭୂସ୍ଖଳନରେ ରାସ୍ତା ଫାଟିଛି । ଧ୍ୱଂସାବଶେଷ ତଳେ ପୋତି ହୋଇ ୬୯ ଜଣଙ୍କର ମୃତ୍ୟୁ ହୋଇଛି । ୩୪ ଜଣ ନିଖୋଜ ଅଛନ୍ତି । ଆସନ୍ତାକାଲି ସୁଦ୍ଧା ତାମିଲନାଡୁ-ପୁଡୁଚେରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । 

ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୧୨,୩୧୩ ପରିବାରର ୪୩,୯୦୦ ରୁ ଅଧିକ ଲୋକ ସାଙ୍ଘାତିକ ପରିସ୍ଥିତିର ଶିକାର ହୋଇଛନ୍ତି । ଜୀବନ ବିକଳରେ ଲୋକ ଗଛ ଉପର, ଛାତ ଉପରେ ବସି ରହିଥିଲେ । ବନ୍ୟା ପାଣି ଦ୍ୱାରା ବିଚ୍ଛିନ୍ନ ହୋଇଥିବା ଗାଁଗୁଡିକରୁ ଲୋକକଙ୍କୁ ଉଦ୍ଧାର କରାଯାଇଛି । ହେଲିକପ୍ଟର ଏବଂ ନୌସେନା ଅନେକ ବୋଟ୍‌ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ।ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର କହିଛି ଯେ, ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଅଧିକ ମୃତଦେହ ଉଦ୍ଧାର ହେବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କାଦୁଅ ଏବଂ ବନ୍ୟାରେ ଅତିକମରେ ୩୦୦୦ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୧୮,୦୦୦ ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ଗତ  ୨୪ ଘଣ୍ଟା ମଧ୍ୟରେ ୩୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପୂର୍ବରୁ ଶ୍ରୀଲଙ୍କାରେ ୨୦୦୩ ମସିହା ଜୁନ୍‌ରେ ସବୁଠାରୁ ଭୟଙ୍କର ବନ୍ୟା ହୋଇଥିଲା । ଯେଉଁଥିରେ ୨୪୫ ଜଣଙ୍କର ମୃତ୍ୟୁ ହୋଇଥିଲା ​​​​​​​

'ଅପରେସନ୍ ସାଗର ବନ୍ଧୁ'ରେ ଭାରତର ସହାୟତା- ଶ୍ରୀଲଙ୍କାରେ ବାତ୍ୟା ଡିଟୱା ବ୍ୟାପକ କ୍ଷୟକ୍ଷତି କରିଛି । ଅନେକ ଘର ଭାସି ଯାଇଛି । ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସରକାର ଦେଶବ୍ୟାପୀ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି । କେବଳ ଜରୁରୀ ସେବା ଯେପରିକି ହସ୍ପିଟାଲ, ବିଦ୍ୟୁତ ଏବଂ ପୁଲିସ୍ କାର୍ଯ୍ୟ କରୁଛନ୍ତି । ରିଲିଫ୍ ସହାୟତା ଘୋଷଣା ହୋଇଛି । ବାତ୍ୟା ଡିଟୱା ଏବେ ଭାରତ ଉପକୂଳବର୍ତ୍ତୀ ରାଜ୍ୟ ଆଡ଼କୁ ଗତି କରୁଛି । ପ୍ରାକୃତିକ ବିପର୍ଯ୍ୟରେ ଲଢେଇ କରୁଛି ଶ୍ରୀଲଙ୍କା । ଏପରି ସ୍ଥିତିରେ ସହାୟତାର ହାତ ବଢାଇଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ଭାରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରୀଲଙ୍କାର ଏହି ସଙ୍କଟମୟ ସମୟରେ ସହାୟତା କରିବା ପାଇଁ  "ଅପରେସନ୍ ସାଗର ବନ୍ଧୁ" ଆରମ୍ଭ ହୋଇଛି ।  ଭାରତୀୟ ନୌସେନାର ବିମାନ ବାହକ INS ବିକ୍ରାନ୍ତ ଏବଂ  INS ଉଦାୟଗିରି ଦ୍ୱାରା ପ୍ରଥମ ପର୍ଯ୍ୟାୟ ରିଲିଫ୍ ସାମଗ୍ରୀ ପଠାଯାଇଛି ।