ନୂଆଦିଲ୍ଲୀ,୦୧/୧୨: ବଙ୍ଗୋପସାଗରରେ ଆସିଥିବା ସାମୁଦ୍ରିକ ଝଡ ‘ଫେଙ୍ଗଲ’ ଶନିବାର ରାତି ୭ଟା ୩୦ରେ  ପୁଡୁଚେରୀର କରେଇକାଲ ଓ ତାମିଲନାଡୁର  ମହାବଳିପୁରମ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ପରେ ଅତିକ୍ରମ କରିଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ  ୪ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ  ପବନର ବେଗ ଘଣ୍ଟାପ୍ରତି ୯୦ କି.ମି  ରହିଥିଲା । ଏଥିସହ ପ୍ରବଳ ବର୍ଷା ହୋଇଥିଲା ।  

ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ସମେତ  ତାମିଲନାଡୁର ବିଭିନ୍ନ ସ୍ଥାନରେ ରାସ୍ତାଘାଟ  ଜଳମଗ୍ନ ହୋଇପଡିଥିଲା । ଏଥିସହ  କେତେକ ସ୍ଥାନରେ ବଡବଡ ଗଛ ଉପୁଡି  ପଡିଥିଲା ବେଳେ ବିଦ୍ୟୁତ ଖୁଣ୍ଟ, ମୋବାଇଲ  ଟାୱାର ଓ ହୋର୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ  ହୋଇଛି । ବାତ୍ୟାର ପ୍ରଭାବ ପଡୋଶୀ ରାଜ୍ୟ  କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଦେଖିବାକୁ  ମିଳିଛି । ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ  ରଖି ଚେନ୍ନାଇ ବିମାନବନ୍ଦରକୁ ୧୬ଘଣ୍ଟା ବନ୍ଦ ରହିଥିଲା। କେତେକ  ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା  ବେଳେ ଅନ୍ୟ କେତେକ ବିଳମ୍ବରେ ଚାଲୁଛି।  ବିଶେଷକରି ଚେନ୍ନାଇ ସମେତ କାଞ୍ଚିପୁରମ,  ଚେଙ୍ଗଲପଟ୍ଟୁ, ତିରୁଭଲୁର, କୁଡାଲୋର,  ବିଲୁପୁରମ, କଲାକୁରୁଚି ଓ ମୟିଲାଦୁଥୁରାଇ ଜିଲ୍ଲା ପ୍ରଭାବିତ ହୋଇଛି । ଏସବୁ ଜିଲ୍ଲାରେ  ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି ।  ଆଇଟି କମ୍ପାନିର କର୍ମଚାରୀଙ୍କୁ ଘରେ ରହି କାମ  କରିବାକୁ ପରାମର୍ଶ ଦିଆଯାଇଛି । ଉପକୂଳବର୍ତ୍ତୀ  ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ  କରାଯାଇଛି । ବିଭିନ୍ନ ସ୍ଥାନରେ ୨ ହଜାର ରିଲିଫ ସେଣ୍ଟର ପ୍ରତିଷ୍ଠା କରାଯାଇଛି । 

ପୁଡୁଚେରୀରେ ମଧ୍ୟ ବାତ୍ୟାର ପ୍ରଭାବ  ଦେଖିବାକୁ ମିଳିଛି । ସେଠାରେ ପ୍ରବଳ ବର୍ଷା  ସହ ପବନ ଲାଗି ରହିଛି । ପରିସ୍ଥିତିର  ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିଲା । ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖାଯାଇଛି। ଏସବୁ ଜିଲ୍ଲାର ଲୋକମାନଙ୍କୁ ଘର  ଭିତରେ ରହିବା ସହ ବାହାରକୁ ନ ବାହାରିବା  ଲାଗି ପରାମର୍ଶ ଦିଆଯାଇଛି । ଉଦ୍ଧାର ଓ ରିଲିଫ  କାର୍ଯ୍ୟ ଲାଗି ତାମିଲନାଡୁରେ ଏନ୍‌ଡିଆରଏଫର  ୭ଟି ଟିମ୍‌କୁ ମୁତୟନ କରାଯାଇଛି । ପ୍ରତ୍ୟେକ ଟିମ୍‌ରେ ୩୦ ଜଣ ଯବାନ ସାମିଲ ଅଛନ୍ତି।