ନୂଆଦିଲ୍ଲୀ,୦୧/୧୧: ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ବାତ୍ୟା ଫେଙ୍ଗଲ ।ସାମୁଦ୍ରିକ ଝଡ଼ ଫେଙ୍ଗଲ ଶନିବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁଛି।ଏହାପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଫେଙ୍ଗଲ । ଆଉ କିଛି ସମୟ ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ । ତେବେ ଗତକାଲି ରାତି ପ୍ରାୟ ୧୧ ଟା ବେଳକୁ ପୁଡୁଚେରୀ ଉପକୂଳରେ ଲ୍ୟଣ୍ଡଫଲ୍ କରିଥିଲା ବାତ୍ୟା ଫେଙ୍ଗଲ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ରୁ ୪ ଘଣ୍ଟା ଜାରି ରହିଥିବା ବେଳେ ବାତ୍ୟା ଧିରେ ଧିରେ ତାମିଲନାଡ଼ୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିଥିଲା । ସେହିପରି ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିଥିଲା । ଫଳରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଚେନ୍ନାଇରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି ବାତ୍ୟା ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘରଦ୍ୱାର ନଷ୍ଟ ହେବା ସହ ବଡବଡ ଗଛ ଉପୁଡ଼ି ପଡ଼ିଛି। ଲଗାଣ ବର୍ଷାଯୋଗୁ ଚେନ୍ନାଇରେ ଗମ୍ଭୀର ଗୁରୁତର ସ୍ଥିତି ସୃଷ୍ଟି ହୋଇଛି। ପୁଡୁଚେରୀ, ଚେନ୍ନାଇ, ବିଶାଖାପାଟଣା, ମହାବଳୀପୁରମ ଅଞ୍ଚଳର ଲୋକେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ-ରାଞ୍ଚି ବିମାନ ସେବାକୁ ରଦ୍ଦ କରାଯାଇଛି। ପ୍ରବଳ ବର୍ଷା ଓ ବାତ୍ୟା କାରଣରୁ ଚେନ୍ନାଇ ବିମାନବନ୍ଦରରେ ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। କିନ୍ତୁ ପବନର ଗତିକୁ ଦୃଷ୍ଟିରେ ରଖି ଏହାକୁ ରବିବାର ଭୋର ୪ଟା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ହେଲେ ୧୬ ଘଣ୍ଟା ପରେ ବିମାନ ବନ୍ଦର ପୁଣି ଥରେ ଖୋଲିଛି। ଏଥିସହ କେତେକ ରୁଟରେ ରେଳ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଛି।