ନୂଆଦିଲ୍ଲୀ: ପୂର୍ବତନ ଷ୍ଟାର ଅଲରାଉଣ୍ଡର ଡାରେନ ସାମିଙ୍କୁ ବଡ଼ ଦାୟିତ୍ଵ ଦେଇଛି   ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ(ସିଡବ୍ଲ୍ୟୁଆଇ) । ସାମିଙ୍କୁ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଦଳର ତିନି ଫର୍ମାଟ୍ର ମୁଖ୍ୟ  କୋଚ୍ ପଦରେ ନିଯୁକ୍ତ କରାଯାଇଛି। ବୋର୍ଡର ନିର୍ଦ୍ଦେଶକ ମାଇଲ୍ସ ବେସକାମ୍ବ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏହାର ଘୋଷଣା କରିଛନ୍ତି। ସାମି ବର୍ତ୍ତମାନ ଯାଏ ଓ୍ଵେଷ୍ଟଇଣ୍ଡିଜର ଦିନିକିଆ ଓ ଟି-୨୦ ଦଳର କୋଚ୍ ଥିଲେ । ଏବେ ସେ ୨୦୨୫ ଏପ୍ରିଲ ୧ରୁ ଟେଷ୍ଟ ଦଳର ବି ପ୍ରଶିକ୍ଷକ ଦାୟିତ୍ଵ ସମ୍ଭାଳିବେ । ସାମି ଟେଷ୍ଟ ଦଳର କୋଚ୍  ଆନ୍ଦ୍ରେ କୋଲିଙ୍କ ସ୍ଥାନ ନେବେ । 

ସାମି ହେଉଛନ୍ତି ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଦଳର ସଫଳ ଅଧିନାୟକ । ତାଙ୍କ ନେତୃତ୍ଵରେ ଓ୍ଵେଷ୍ଟଇଣ୍ଡିଜ ଦୁଇ ଥର ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ଵକପ୍ ଚାମ୍ପିଅନ ହୋଇଥିଲା । ଡିସେମ୍ବର ୨୦ରେ ୪୧ ବର୍ଷରେ ପଦାର୍ପଣ କରୁଥିବା ସାମି ନିଜ କ୍ୟାରିୟରରେ ୨୩୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ୨୦୦୪ରୁ ୨୦୧୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ର ସକ୍ରିୟ ରହିଥିଲେ । ସେ ଦଳ ପାଇଁ ୩୮ ଟେଷ୍ଟ ଖେଳି ୧୩୨୩ ରନ ଓ ୮୪ ଓ୍ଵିକେଟ୍   ଅକ୍ତିକାର କରିଛନ୍ତି। ସେହିପରି ଦିନିକିଆରେ ୧୨୬ଟି ଦିନିକିଆ ଖେଳି ୧୮୭୧ ରନ କରିବା ସହ ୮୧ ଓ୍ଵିକେଟ୍ ନେଇଛନ୍ତି । ୬୮ ଅନ୍ତର୍ଜାତୀୟ ଟି-୨୦୯ ମ୍ୟାଚ୍ରେ ୫୮୭ ରନ ଓ ୪୪ ଓ୍ଵିକେଟ୍ ନେଇଛନ୍ତି। 

ଡାରେନ ସାମି ୨୦୨୩ରେ ସୀମିତ ଓଭର ଫର୍ମାଟର ଦାୟିତ୍ଵ ସମ୍ଭାଳିବା ପରଠାରୁ   ଦଳ ଭଲ ପ୍ରଦର୍ଶନ କରୁଛି । ସାମିଙ୍କୁ ତିନି ଫର୍ମାଟରେ ମୁଖ୍ୟ କୋଚ୍ ପଦରେ ନିଯୁକ୍ତି ଦେବା ତାଙ୍କ ଉପରେ ବୋର୍ଡର ଭରସାକୁ ଦର୍ଶାଉଛି। ନିଜର ଦମଦାର ରଣନୀତି ଓ ପରିଚାଳନା ଦକ୍ଷତା ପାଇଁ ପରିଚିତ ସାମିଙ୍କଠୁ ବୋର୍ଡ ମଧ୍ୟ ଅନୁରୂପ ଆଶା ରଖିଛନ୍ତି । ବିଶେଷ କରି ଟେଷ୍ଟ ଫର୍ମାଟରେ ଦଳର ଉନ୍ନତି ଚାହୁଁଛି ବୋର୍ଡ ।