ପୁରୀ,୧୧/୦୬: ପବିତ୍ର ସ୍ନାନଯାତ୍ରାରେ ଉତ୍ସବମୁଖର ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡ ଆଉ ସିଂହଦ୍ୱାର ହୋଇଛି ଭକ୍ତସମୁଦ୍ର। ଭୋର ୫ଟା ୩୨ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ ହୋଇ ୫ଟା ୪୫ରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ୫ଟା ୫୩ରେ, ମା' ସୁଭଦ୍ରାଙ୍କ ପହଣ୍ଡି ୬ଟା ୬ରେ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ୬ଟା ୨୨ରେ ଆରମ୍ଭ ହୋଇଥିଲା। ୭ଟା ୪୬ରେ ଜଳ ବିଜେ ଆରମ୍ଭ ହୋଇଥିଲା। ୮ଟା ୪୨ରେ ଠାକୁରଙ୍କ ପହଣ୍ଡି ଶେଷ ହୋଇଥିଲା। ୯ଟା ୨୫ରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଠାକୁରଙ୍କ ପହଣ୍ଡି ଦର୍ଶନ କରିଥିଲେ। ପୂର୍ବାହ୍ନ ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ ତିନି ଠାକୁରଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। କଡ଼ା ସୁରକ୍ଷାରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରବେଶ ଓ ପ୍ରସ୍ଥାନ କରିଥିଲେ।
ଭୋରରୁ ଧାଡ଼ିରେ ଛିଡ଼ା ହୋଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ପୂର୍ବାହ୍ନ ୯ଟା ୫୫ରେ ଦର୍ଶନ ଆରମ୍ଭ ହୋଇଥିଲା। ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହଙ୍କ ଅବକାଶ ବେଶ ଦର୍ଶନ କରିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ଦଳ ଦଳ କରି ଶ୍ରଦ୍ଧାଳୁଙ୍କୁ ଭିତରକୁ ଛଡ଼ା ଯାଉଛି ।