ଯାଜପୁର,୧୩/୦୫: ପାଣିକୋଇଲି ଥାନା ତଣ୍ଡରା ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀରେ ଦିବ୍ୟାଙ୍ଗଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲିଠୁ ସେ ନିଖୋଜ ଥିଲେ । ଆଜି ଦମକଳ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ଏହି ଗ୍ରାମର କୈଳାସ ମଲିକଙ୍କ ପୁଅ ସିଦ୍ଧାନ୍ତ ବୋଲି ଜଣାପଡ଼ିଛି ।
ଗତକାଲି (ସୋମବାର) ମଧ୍ୟାହ୍ନରେ ସିଦ୍ଧାନ୍ତ ନଦୀରେ ପଶିଥିବା ଗାଈକୁ ଘଉ଼ଡେଇବାକୁ ଯାଇ ନିଖୋଜ ହେଇଯାଇଥିଲା । ଦୀର୍ଘ ସମୟ ଧରି ତାଙ୍କୁ ଘରଲୋକ ଖୋଜା ଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା । ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଆଶଙ୍କା କରିଥିଲେ । ତଥାପି ମନରେ ଥିଲା ସିଦ୍ଧାନ୍ତ ମିଳିବେ । ହେଲେ କିଛି ସୁଫଳ ମିଳିନଥିଲା ।
ଆଜି(ମଙ୍ଗଳବାର) ସକାଳୁ ଦମକଳ ବହିନୀ ପହଞ୍ଚି ନଦୀରେ ଭାସୁଥିବା ସିଦ୍ଧାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ । ସିଦ୍ଧାନ୍ତଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ସେ ବୁଡି ଯାଇଥିବା ଅନୁମାନ କରା ଯାଉଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ସିଦ୍ଧାନ୍ତଙ୍କୁ ହରାଇ ପରିବାର ଭାଙ୍ଗି ପଡିଛନ୍ତି । ଗାଁରେ ବି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।