ନୂଆଦିଲ୍ଲୀ, ୨୬/୦୫: ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ମୁଖ୍ୟାଳୟରେ ହେଲେ ସାମିଲ୍ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ । ଦେବାଶିଷଙ୍କ ସାମିଲ ବେଳେ ଉପସ୍ଥିତି ରହିଲେ ଅରୁଣ ସିଂହ ଏବଂ ଓଡ଼ିଶା ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର । ଗତ କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ପାର୍ଟି ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଥିଲେ । ଭାରତୀୟ ଜନତା ପାର୍ଟିରୁ ସବୁଜ ସଙ୍କେତ ଆସିବା ପରେ ବିଜେଡି ଛାଡ଼ିଥିଲେ ।
ଗୁଣ୍ଡୁଚି ମୂଷା ଭଳି କାମ କରିବି:
ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଦେବାଶିଷ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗରେ ଥିଲେ। ୨୦୨୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭା ପଠାଯାଇଥିଲା । ସାଂସଦ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ପୁଣି ଥରେ ବିଜେପି ତରଫରୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲା । ତେବେ ବିଜେପିରେ ସାମିଲ୍ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବ ଓ କାର୍ଯ୍ୟରେ ପ୍ରଭାବିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି । ପିଏମ୍ ନରେନ୍ଦ୍ର ମୋଦିଙ୍କ ଭିଜନରେ ଓଡ଼ିଶା ବିକଶିତ ହେଉଛି । ତେଣୁ ଗୁଣ୍ଡୁଚି ମୂଷା ଭଳି ଦଳ ପାଇଁ କାର୍ଯ୍ୟ କରିବି । ଏ ସୁଯୋଗ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାରେ ବିଜେପି ପାଇଁ ବହୁତ କାମ କରିବି, ଦଳକୁ ଆହୁରି ସୁଦୃଢ଼ କରିବି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।
ବିଜେଡି ଉପରେ ପ୍ରଭାବ ପଡ଼ିବନି:
ସେପଟେ ଦେବାଶିଷ ସାମନ୍ତରାୟ ପଦ୍ମ ଧରିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ମହେଶ ସାହୁ । ସେ କହିଛନ୍ତି, ଦେବାଶିଷ ବିଜେଡି ଛାଡି ବିଜେପିକୁ ଗଲେ ବିଜେଡି ଉପରେ କିଛି ପ୍ରଭାବ ପଡିବନି। ଯେଉଁମାନେ ଯାଇଛନ୍ତି, ସେମାନେ ଆଜି କେଉଁଠି ତାହା ସମସ୍ତେ ଜାଣିଛନ୍ତି । ସେମାନେ କେଉଁଠି, କିଛି ଦିନ ପାଇଁ ଖୁସି ହେଉଥିଲେ। ଏବେ କେଉଁଠି ଆପଣମାନେ ଜାଣିଥିବେ । ଦେବାଶିଷ ସଂଗଠନ ପାଇଁ କାର୍ଯ୍ୟକ୍ରମ କିମ୍ବା ଦଳ ଦେଇଥିବା କାମ କରନ୍ତିନାହିଁ । ଏବେ ଏହାର ପ୍ରଭାବ ବିଜେଡି ଉପରେ କିଛି ପଡ଼ିବନି। ବିଜେପି ଉପରେ ଜନଆକ୍ରୋଷ ପ୍ରବଳ ଅଛି। ପଞ୍ଚାୟତ ନର୍ବାଚନରେ ତା'ର ଉତ୍ତର ଲୋକେ ଦେବେ ବୋଲି ମହେଶ ସାହୁ କହିଛନ୍ତି ।
୨୦୦୦ ମସିହାରେ ପ୍ରଥମେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ । ପରେ ବାରବାଟୀ-କଟକ ଆସନରୁ ୨୦୦୯ ଓ ୨୦୧୪ରେ ବିଜେଡିରୁ ଲଢି ବିଧାୟକ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ବାରବାଟୀ-କଟକ ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ. ମହମ୍ମଦ ମୋକିମଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ ନିର୍ବାଚନରେ ସେ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ବିଶ୍ୱାସକୁ ନେଇନଥିଲା । ବରଂ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ସୁଯୋଗ ଦେଇଥିଲା । ତେବେ ରାଜ୍ୟସଭା ଯିବା ପରଠାରୁ ସାଂଗଠନିକ ସ୍ତରରେ ତାଙ୍କ ସକ୍ରିୟତା ପୂର୍ବାପେକ୍ଷା କମିଯାଇଥିଲା । ଦେବାଶିଷ ଦଳର ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିଲେ । ଏପରିକି ଗତବର୍ଷ ନଭେମ୍ୱର ମାସରେ ସେ ବିଜେଡିର ବରିଷ୍ଠ ନାଗରିକ ସାମ୍ମୁଖ୍ୟର ଉପସଭାପତି ପଦକୁ ଗ୍ରହଣ ନକରି ନିଜ କ୍ଷୋଭ ବ୍ୟକ୍ତ କରିଥିଲେ । ଏମିତିକି ଗତ ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଦେବାଶିଷଙ୍କ ନିରବତା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା ।