ବାରିପଦା, ୨୭।୪ : ଜଙ୍ଗଲର ସୁରକ୍ଷା ଓ ଶିକାରୀଙ୍କୁ ରୋକିବା ପାଇଁ ମୟୂରଭଞ୍ଜ ମାଟିର ପୁଅ ଆଣିଛନ୍ତି ଏକ ଅତ୍ୟାଧୁନିକ ‘ଡିଜିଟାଲ୍ କାନ’। ଏହାର ନାଁ ହେଉଛି ‘DeepEar’। ମୟୂରଭଞ୍ଜର ପୁଅ ଦେବ ପ୍ରସନ୍ନ ମହାନ୍ତିଙ୍କ ଦ୍ବାରା ଉଦ୍ଭାବିତ ଏହି ‘Acoustic Intelligence’ ବା ଶବ୍ଦ-ଭିତ୍ତିକ କୃତ୍ରିମ ବୁଦ୍ଧିମତା (AI) ଏବେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବାକୁ ଯାଉଛି। ଏହି ଅଭିନବ ଉଦ୍ଭାବନ ପାଇଁ ସେ ପେଟେଣ୍ଟ ମଧ୍ୟ ଆବେଦନ କରିସାରିଛନ୍ତି।

କ’ଣ ଏହି ‘DeepEar’ ଏବଂ ଏହା କିପରି କାମ କରେ ?

‘DeepEar’ ହେଉଛି ଜଙ୍ଗଲ ପାଇଁ ଏକ ଜାଗ୍ରତ ପ୍ରହରୀ। ଏହି ଡିଭାଇସଟି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଶିକାରୀଙ୍କ ଗତିବିଧିକୁ ଚିହ୍ନିବ ଏବଂ ତୁରନ୍ତ ବନ ବିଭାଗକୁ ଖବର ପଠାଇବ।

ଏହାର ବିଶେଷତ୍ୱ  ହେଲା:

 ଶବ୍ଦ ଚିହ୍ନଟ (Acoustic Detection): ବେଆଇନ ଗଛ କଟା କରତ (Chainsaw), କୁରାଢ଼ୀ, ବନ୍ଧୁକ ଫୁଟିବା, ବେଆଇନ ଖଣି ଖନନ (Mining), ମଣିଷର ଉପସ୍ଥିତି (Human Presence) କିମ୍ବା ଜଙ୍ଗଲ ଭିତରେ ଅଜଣା ଗାଡ଼ିର ଶବ୍ଦକୁ ଏହା ଅତି ସଠିକତା ସହ ଚିହ୍ନିପାରେ।

ବନ୍ୟଜନ୍ତୁ ସୁରକ୍ଷା: ଏହା ବାଘ ଓ ହାତୀର ଗର୍ଜନ ଶୁଣି ସେମାନଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିପାରିବ।

ସ୍ମାର୍ଟ ଫିଲ୍ଟର (Smart Filter): ବର୍ଷା, ପବନ କିମ୍ବା ପକ୍ଷୀଙ୍କ ଶବ୍ଦକୁ ଶିକାରୀର ଶବ୍ଦ ବୋଲି ଭାବି ଭୁଲ୍ ସୂଚନା (False Alarm) ଦେବ ନାହିଁ।

ଅଫଲାଇନ୍ ନେଟୱର୍କ (LoRa Technology): ଜଙ୍ଗଲ ଭିତରେ ମୋବାଇଲ୍ ନେଟୱର୍କ ନଥିଲେ ମଧ୍ୟ ଏହା ନିଜସ୍ୱ ‘Private Network’ ମାଧ୍ୟମରେ କାମ କରିବ।

ଏହି ଉଦ୍ଭାବନର ସବୁଠୁ ବଡ଼ ସଫଳତା ହେଉଛି ଏହାର ସ୍ୱଳ୍ପ ମୂଲ୍ୟ। ବଡ଼ ବଡ଼ କମ୍ପାନୀ ଯେଉଁ ପ୍ରଯୁକ୍ତିବିଦ୍ୟାକୁ ପ୍ରାୟ ୧.୫ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି, ଦେବ ତାହାକୁ ମାତ୍ର ୧୨,୦୦୦ ଟଙ୍କାରେ ପ୍ରସ୍ତୁତ କରିଛନ୍ତି। ଯାହା ଫଳରେ ଭାରତୀୟ ବନ ବିଭାଗ ପାଇଁ ଏହା ଅତ୍ୟନ୍ତ ସୁଲଭ ଓ ପ୍ରଭାବଶାଳୀ ହୋଇପାରିଛି।

ଏହି ମେସିନ୍ ପଛରେ ରହିଛି ପ୍ରକୃତି ପ୍ରେମୀଙ୍କ ବର୍ଷ ବର୍ଷର ସ୍ୱପ୍ନ

ବାରିପଦା ଭଞ୍ଜପୁରରେ ଜନ୍ମିତ ଦେବ ପ୍ରସନ୍ନ ମହାନ୍ତି ଜଣେ ଅଭିଜ୍ଞ ପ୍ରଯୁକ୍ତିବିଦ୍ୟା ବିଶାରଦ ହେବା ସହିତ ଜଣେ ସୁନାମଧନ୍ୟ ଛଉ ଗବେଷକ ଓ ଲେଖକ ମଧ୍ୟ। ତାଙ୍କ କହିବା ଅନୁଯାୟୀ, "ପିଲାଦିନେ ବାରିପଦା, ଭଞ୍ଜପୁର ଘର ଛାତରୁ ପଶ୍ଚିମ ଦିଗରେ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଶିମିଳିପାଳର ନୀଳ ପାହାଡ଼ ପଛରେ ସୂର୍ଯ୍ୟାସ୍ତର ସେହି ମନୋରମ ଦୃଶ୍ୟକୁ ଘଣ୍ଟା ଘଣ୍ଟା ଧରି ଦେଖୁଥିଲି। ସେହି ଦୃଶ୍ୟ ମୋ ପାଇଁ କେବଳ ଏକ ସ୍ମୃତି ନୁହେଁ, ବରଂ ଏକ ଦାୟିତ୍ୱ। ଆଜି ଯେତେବେଳେ ପ୍ରଯୁକ୍ତିବିଦ୍ୟା ବଢୁଛି କିନ୍ତୁ ପ୍ରକୃତି ହଜିଯାଉଛି, ସେତେବେଳେ ଜଣେ ସଚେତନ ନାଗରିକ ଓ ପ୍ରକୃତି ପ୍ରେମୀ ଭାବେ ଜଙ୍ଗଲକୁ ସୁରକ୍ଷା ଦେବା ମୋର ମୁଖ୍ୟ ଲକ୍ଷ୍ୟ ହୋଇଛି।"

ସଂସ୍କୃତି ଓ ବିଜ୍ଞାନର ସମନ୍ବୟ

ଦେବ ଯେତିକି ପାରଙ୍ଗମ କୋଡିଂ ଏବଂ ସର୍କିଟ୍ ଦୁନିଆରେ, ସେତିକି ଭଲ ପାଆନ୍ତି ମୟୂରଭଞ୍ଜର କଳା-ସଂସ୍କୃତିକୁ। ଛଉ ନୃତ୍ୟ ଉପରେ ତାଙ୍କର ଗବେଷଣାତ୍ମକ ଲେଖା ଯେତିକି ଶାଣିତ, ଶିମିଳିପାଳ ପାଇଁ ତାଙ୍କର ଏହି ‘DeepEar’ ସେତିକି ଶକ୍ତିଶାଳୀ। ବାରିପଦା, ଭଞ୍ଜପୁରରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଜି ସାରା ମୟୂରଭଞ୍ଜ ତଥା ଓଡ଼ିଶା ପାଇଁ ଗର୍ବର ବିଷୟ। ଜଙ୍ଗଲ ସୁରକ୍ଷା ପାଇଁ ଦେବଙ୍କ ଏହି ‘ଡିଜିଟାଲ୍ କାନ’ ଆଗାମୀ ଦିନରେ ପ୍ରକୃତିକୁ ବଞ୍ଚାଇବାରେ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।