କୋଲକାତା, ୧୨/୧୦ : ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମବଙ୍ଗ ଦାର୍ଜିଲିଂର ସୁକନା କ୍ୟାଣ୍ଟରେ ରାଜନାଥ ସିଂହ ପହଞ୍ଚି ଶସ୍ତ୍ର ପୂଜା କରିଛନ୍ତି। କ୍ୟାଣ୍ଟରେ ଥିବା ଆଧୁନିକ ରାଇଫଲ ଏବଂ ରକେଟ ଲଞ୍ଚର୍ର ପୂଜା କରିଛନ୍ତି। ଏହା ସହ ଯବାନଙ୍କ ମନୋବଳ ବଢାଇଛନ୍ତି।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, "ଭାରତ ଏକମାତ୍ର ଏଭଳି ଦେଶ ଯେଉଁଠାରେ ଶାସ୍ତ୍ର ଏବଂ ଶସ୍ତ୍ର ପୂଜା କରାଯାଏ। ଲୁହା ଏବଂ କାଠରେ ନିର୍ମିତ ଉପକରଣ ପୂଜା କରିବା ଆମର ବିଶାଳ ପରମ୍ପରାର ପ୍ରତୀକ। କୌଣସି ବସ୍ତୁକୁ ବ୍ୟବହାର କରିବା ପୂର୍ବରୁ କିମ୍ଵା ପରେ ଆମେ ତାକୁ କୃତଜ୍ଞତା ଜଣାଉ।"
ରାଜନାଥ ପୁଣି କହିଛନ୍ତି ଯେ, ବିଜୟାଦଶମୀରେ ଭଗବାନ ରାମଙ୍କୁ ମିଳିଥିବା ବିଜୟ କେବଳ ତାଙ୍କର ନଥିଲା ଏହି ଜିତ୍ ମାନବତାକୁ ମିଳିଥିଲା। ରାବଣ ବ୍ରାହ୍ମଣ ହୋଇଥିଲେ ମଧ୍ୟ ଖରାପର ପ୍ରତୀକ ଥିଲା। ଭଗବାନ ରାମଙ୍କର ରାବଣ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା। ବରଂ ସେ ମାନବ ଜାତି ପାଇଁ ରାବଣକୁ ବଧ କରିଥିଲେ।
ଆମେ କେବେ କୌଣସି ଦେଶ ସହ ଯୁଦ୍ଧ କରିନାହୁଁ। ଆମେ ସେତେବେଳେ ଯୁଦ୍ଧ କରୁ ଯେତେବେଳେ ଅନ୍ୟ ଦେଶ ମାନବ ମୂଲ୍ୟବୋଧକୁ କ୍ଷତି ପହଞ୍ଚାଏ। ଆମ ହିତରେ କୌଣସି ଆଞ୍ଚ୍ ଆସିଲେ ବଡ଼ ପଦକ୍ଷେପ ନେବାକୁ ଆମେ କେବେ ପଛଘୁଞ୍ଚା ଦେବୁନୁ। ବୈଶ୍ଵିକ ସ୍ଥିତି ଯାହା ହେଲେବି, ଆମକୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ।