ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ୨.୬ ବିଲିୟନ ଡଲାରର ୨୪ଟି MH-60R ସିହକ୍ ହେଲିକପ୍ଟର ଯୋଗାଣ ଚୁକ୍ତିରେ ବିଳମ୍ବ ହେତୁ ସାମୁଦ୍ରିକ ସୁରକ୍ଷା ଓ ଆଣ୍ଟି-ସବମାରିନ୍ ଯୁଦ୍ଧ କ୍ଷମତା ଉପରେ ପ୍ରଭାବ ପଡ଼ିଛି। ୨୦୨୦ରେ ଲକହିଡ୍ ମାର୍ଟିନ୍ ସହ ସ୍ୱାକ୍ଷରିତ ଏହି ଚୁକ୍ତି ଅନୁଯାୟୀ, ୨୦୨୫ ଜୁନ୍ ସୁଦ୍ଧା ସମସ୍ତ ହେଲିକପ୍ଟର ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୧୯ଟି ହେଲିକପ୍ଟର ଯୋଗାଇ ଦିଆଯାଇଛି। ଏବଂ ବହୁ ଜଲଦି ୨୦ତମ ଇଉନିଟ୍ (IN770) ଭାରତ ଆସି ପହଞ୍ଚିବାର ସମ୍ଭାବନା ରହିଛି।
‘ରୋମିଓ’ ନାମରେ ପରିଚିତ ଏହି ହେଲିକପ୍ଟର ଆଣ୍ଟି-ସବମାରିନ୍ ଓ ଆଣ୍ଟି-ସର୍ଫେସ ଯୁଦ୍ଧ, ନଜର ରଖିବା ଏବଂ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ କାର୍ଯ୍ୟରେ ବହୁଳ କାର୍ଯ୍ୟକ୍ଷମ ହୋଇଥାଏ। ଏହା ନୌସେନାର ପୁରାତନ ସି କିଙ୍ଗ୍ ହେଲିକପ୍ଟରକୁ ବଦଳାଇ ସେନାର ସାମୁଦ୍ରିକ କ୍ଷମତା ବୃଦ୍ଧି କରିବାରେ ବିଶେଷ ଭାବେ ସହାୟକ ହେଉଛି।
ତେବେ ଏହି ଯୋଗାଣରେ ବିଳମ୍ବ ପରିଲକ୍ଷିତ ହେଉଥିଲେ ମଧ୍ୟ ଏ ସମ୍ପର୍କରେ ନୌସେନା କିମ୍ବା ଲକହିଡ୍ ମାର୍ଟିନ୍ ପକ୍ଷରୁ ନିର୍ଦ୍ଦିଷ୍ଟ କୌଣସି ବିବୃତି ଜାରି କରାଯାଇନାହିଁ। ତେବେ ଆମେରିକାରେ ବର୍ତ୍ତମାନ ଉତ୍ପାଦନ ଓ ଲଜିଷ୍ଟିକ୍ସ ସମସ୍ୟା ଏବଂ ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ଚାଲିଥିବା ପ୍ରତିରକ୍ଷା ଚୁକ୍ତି ଆଲୋଚନା ଏହାର କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।
ଆମେରିକା ଯୁଦ୍ଧାସ୍ତ୍ର ଯୋଗାଣରେ ବିଳମ୍ୱ ଭାରତ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ଭାରତୀୟ ସେନା ୬ଟି ଆପଚି ହେଲିକପ୍ଟର ନେଇ ଆନମେରିକା ସହ ଚୁକ୍ତି କରିଥିଲା। ତେବେ ଚୁକ୍ତିରେ ହୋଇଥିବା ନିୟମର ଦୀର୍ଘ ଦେଢ ବର୍ଷ ପରେ ଆମେରିକା ପ୍ରଥମ ବ୍ୟାଚର ଦିଅଟି ହେଲିକପ୍ଟର ଯୋଗାଇବାକୁ ଯାଉଛି। ବିଳମ୍ବ ସତ୍ତ୍ୱେ, ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ବୃଦ୍ଧି ପାଇଁ ସ୍ୱଦେଶୀ ଜ୍ଞାନକୌଣଳ ଉପରେ କାର୍ଯ୍ୟ କରୁଛି। ନିକଟରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୧.୦୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛି। ଯେଉଁଥିରେ ନୌସେନା ପାଇଁ ମୁଅର୍ଡ ମାଇନ୍ସ ଓ ଅନ୍ୟ ଅତ୍ୟାଧୁନିକ ସାମରିକ ଉପକରଣ କ୍ରୟ ଆଦି ଅନ୍ତର୍ଭୁକ୍ତ ରହିଛି।
ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଏକ ନୂତନ ୧୦ ବର୍ଷିଆ ପ୍ରତିରକ୍ଷା ଚୁକ୍ତି ଆଲୋଚନା ଜାରି ରହିଛି। ଯାହା ଯୋଗାଣ ତ୍ୱରାନ୍ୱିତ କରିବା ସହ P-8I ପୋସାଇଡନ୍ ଭଳି ପ୍ଲାଟଫର୍ମର ପରିଚାଳନାକୁ ଆହୁରି ସୁଗମ କରିବ।
MH-60R ଯୋଗାଣରେ ବିଳମ୍ବ ଏକ ଚ୍ୟାଲେଞ୍ଜ ହୋଇଥିଲେ ମଧ୍ୟ, ନୌସେନାର ଅନ୍ୟ ପଦକ୍ଷେପ ଓ ଆନ୍ତର୍ଜାତୀୟ ସହଯୋଗ ଏହାକୁ ବହୁ ଜଲଦି ପୂରଣ କରିବାରେ ସହଯୋଗ କରିବ। ତଥାପି, ବିଳମ୍ବର କାରଣ ସମ୍ପର୍କରେ ସ୍ପଷ୍ଟତା ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି।