ଭୁବନେଶ୍ୱର, ୨୦/୦୮ : କଣ୍ଟ ପୂରିଲା, ଅବଧି ମଧ୍ୟ ସରିଲା । ହେଲେ ସ୍କୁଲ୍‌ ଛାତ୍ରଛାତ୍ରୀ ୟୁନିଫର୍ମ ପାଇଲେନି । ଅଗଷ୍ଟ ୧୫ ଗଲା ହେଲେ ପିଲାମାନେ ସେହି ପୁରୁଣା ୟୁନିଫର୍ମରେ ସ୍କୁଲ ଆସିଲେ । ଗତ ଜୁଲାଇ ୧୫ସୁଦ୍ଧା ୟୁନିଫର୍ମ ବାଣ୍ଟିବାକୁ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ଭୁଲିଗଲେ । କେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ପୋଷାକ ଯୋଗାଣ ଦାୟିତ୍ୱ ନେବେ ତାଙ୍କ ଭିତରେ ଟଣାଓଟରା ହେଉଛନ୍ତି । ଯାହା ଫଳରେ ପୋଷାକ ବଣ୍ଟନରେ ବିଳମ୍ବ ହେଉଥିବା ନେଇ ଜଣେ ଶିକ୍ଷକ କହିଛନ୍ତି । ଯେଉଁ କିଛି ସ୍ଥାନରେ ପୋଷାକ ବଣ୍ଟନ ହୋଇଛି, ଯୋଗାଣକାରୀ ସଂସ୍ଥା ନିଜେ ସିଲେଇ ନ କରି ରାଜ୍ୟ ବାହାରୁ କମ୍‌ ଟଙ୍କାର ନିମ୍ନମାନର ପୋଷାକ କିଣି ଆଣି ପିଲାଙ୍କୁ ଦେଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି । 

ଗତ ଜୁଲାଇ ୧୫ ସୁଦ୍ଧା ସମସ୍ତ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିଲା । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ ଲକ୍ଷ୍ୟ ଥିଲା । ଜଣ ପିଛା ୫୦୦ ଟଙ୍କା ମୂଲ୍ୟରେ ୨ ହଳ ସ୍କୁଲ ପୋଷାକ ଦିଆଯିବ । ଟେଲରିଂ ୟୁନିଟ୍‌ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏବଂ ପୋଷାକ ତିଆରି ୟୁନିଟ୍‌ ଥିବା ଏମ୍‌ଏସ୍‌ଇଙ୍କଠୁ ପୋଷାକ କ୍ରୟ କରାଯିବ । ଯଦି କୌଣସି କ୍ଷେତ୍ରରେ ଏମାନେ ପୋଷାକ ଯୋଗାଣ କରିବାକୁ ରାଜି ନ ହୁଅନ୍ତି ତେବେ ଜିଲ୍ଲାପାଳଙ୍କ ଅନୁମୋଦନରେ ସ୍କୁଲ ପରିଚାଳନା କମିଟି ପୋଷାକ କିଣି ବଣ୍ଟନ କରିପାରିବେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଥିଲା । 

ମାର୍ଗଦର୍ଶିକା ଅନୁଯାୟୀ ପୋଷାକ ରଙ୍ଗ, ସ୍ୱଚ୍ଛତା ଓ ଗୁଣବତ୍ତାକୁ ବିଶେଷ ଧ୍ୟାନ ଦିଆଯିବ । ନିର୍ଦ୍ଧାରିତ ସମୟ ସୀମା ସହ ଛାତ୍ରଛାତ୍ରୀଙ୍କ ସଠିକ୍‌ ମାପ ହିସାବରେ ପୋଷାକ ଦିଆଯିବ । ଚଳିତ ଶିକ୍ଷାବର୍ଷ ପାଇଁ ସମଗ୍ର ଶିକ୍ଷା ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୪୧ ଲକ୍ଷ ୩୧ ହଜାର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଣ ପାଇଁ ପାଣ୍ଠି ମଞ୍ଜୁର ହୋଇଛି । ତେବେ ପୋଷାକ ବିତରଣରେ କାହିଁକି ବିଳମ୍ବ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । 

ଭୁବନେଶ୍ୱରର ଜଣେ ଶିକ୍ଷକ କହିଛନ୍ତି, ସ୍କୁଲମାନଙ୍କରେ କେବଳ ହାଉସ କ୍ଲବ ୟୁନିଫର୍ମ ବଣ୍ଟନ କରାଯାଇଛି । କିନ୍ତୁ ଏଯାବତ୍‌ ପୋଷାକ ଦିଆଯାଇନି । ପୁରୀ ଜିଲ୍ଲା କଣାସ ବ୍ଲକରେ ଆଦୌ କୌଣସି ସ୍କୁଲରେ ୟୁନିଫର୍ମ ବଣ୍ଟନ ହୋଇନଥିବା ନେଇ ସ୍ଥାନୀୟ ଶିକ୍ଷକ ସୂଚନା ଦେଇଛନ୍ତି । ଭଦ୍ରକ ଚାନ୍ଦବାଲିରେ ମଧ୍ୟ ସମାନ ଅବସ୍ଥା । କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ସମାନ ଅଭିଯୋଗ ହୋଇଛି । ଶିକ୍ଷକଙ୍କ କହିବା କଥା, ରାଜନୈତିକ କର୍ମୀଙ୍କ ଚାପରେ ପୋଷାକ ବଣ୍ଟନରେ ଅଚଳାବସ୍ଥା ସୃଷ୍ଟି ହୋଇଛି । କିଛି ଏସ୍‌ଏଚ୍‌ଜିଙ୍କ ଟେଲରିଂ ୟୁନିଟ୍‌ ନାହିଁ କିନ୍ତୁ ସେମାନେ ଚାପ ପକାଉଛନ୍ତି ଆମକୁ କାମ ଦିଆଯାଉ । ଯେଉଁମାନେ ଚାପ ପକାଇ କାମ ନେଉଛନ୍ତି ସେମାନେ କୋଲକାତାରୁ ନିମ୍ନମାନର ପୋଷାକ କିଣିଆଣି ଯୋଗାଣ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ ସବୁ ବର୍ଷ ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ସ୍କୁଲରେ ପୋଷାକ ବିତରଣ ସରିଥାଏ । ପିଲାମାନେ ନୂଆ ୟୁନିଫର୍ମ ପିନ୍ଧି ସ୍ୱାଧୀନତା ଦିବସକୁ ଆସିଥାନ୍ତି ହେଲେ ଚଳିତବର୍ଷ ପୁରୁଣା, ଚିରାଫଟା ପୋଷାକରେ ପିଲା ସ୍କୁଲ ଆସିଛନ୍ତି । ପ୍ରଥମ ଶ୍ରେଣୀ ପିଲା ବିନା ୟୁନିଫର୍ମରେ ସ୍କୁଲ ଆସୁଛନ୍ତି ।