ନୂଆଦିଲ୍ଲୀ, ୧୫/୦୮ : ଲୁଚି ଲୁଚି ପାଣି ପିଉଛି ଆପଣଙ୍କ ମୋବାଇଲ୍ କିମ୍ଵା ଲାପଟପ୍ରେ ଥିବା ପୁରୁଣା ଫଟୋ, ଇମେଲ୍ ଓ ମେସେଜ୍। କ'ଣ ଚମକି ପଡ଼ିଲେ କି ? ସତ ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍... ଅକ୍ସଫୋର୍ଡ ୟୁନିଭରସିଟିର ସଦ୍ୟ ଅଧ୍ୟୟନରୁ ଖୁଲାସା।
ଜଳାଭାବ ଯୋଗୁଁ ଖରାଦିନେ ଜଳ ବ୍ୟବହାର କମାଇବାକୁ ସରକାର ପରାମର୍ଶ ଦିଅନ୍ତି। ଜଳ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲେ। ହେଲେ ଏଥର ଜଳ ସଙ୍କଟରୁ ମୁକୁଳିବାକୁ ଏକ ଗଜବ ପରାମର୍ଶ ଦେଇଛନ୍ତି ବ୍ରିଟେନ ସରକାର। ମୋବାଇଲ୍ରେ ଥିବା ପୁରୁଣା ଫଟୋକୁ ଡିଲିଟ୍ କରିବାକୁ କହିଛନ୍ତି ସରକାର। ତେବେ ମଣିଷ କିମ୍ଵା ଜୀବଜନ୍ତୁ ପାଣି ପିଇବା କଥା ତ ସମସ୍ତେ ଜାଣନ୍ତି। ହେଲେ ମୋବାଇଲ୍ରେ ଥିବା ଏହି ନିର୍ଜୀବ ଜିନିଷ କେମିତି ପାଣି ପିଉଛି ? ତାହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ପ୍ରକୃତରେ ଆମ ମୋବାଇଲ୍ କିମ୍ଵା କମ୍ପ୍ୟୁଟରରେ ଥିବା ଫଟୋ, ଭିଡିଓ, ଇମେଲ୍ ସବୁ କୌଣସି ନା କୌଣସି ଡାଟା ସେଣ୍ଟରରେ ଷ୍ଟୋର ହୋଇ ରୁହେ। ଏହି ଡାଟା ସେଣ୍ଟର ବଡ଼ ବଡ଼ ସର୍ଭରରେ ଭରପୁର ଥାଏ। ଯେଉଁଥିପାଇଁ ଏହା ଲଗାତର ଗରମ ହୋଇଯାଏ। ଏହାକୁ ଥଣ୍ଡା କରିବା ପାଇଁ ପାଣି କିମ୍ଵା ବିଜୁଳି ଦ୍ଵାରା ଚାଲୁଥିବା କୁଲିଂ ଟେକ୍ନୋଲୋଜିର ବ୍ୟବହାର କରାଯାଏ। ୧ ମେଗାୱାଟ୍ର ଏକ ଛୋଟ ଡାଟା ସେଣ୍ଟର କୁଲିଂ ହେବା ପାଇଁ ପ୍ରତି ବର୍ଷ ଏକ କୋଟି ଲିଟରରୁ ଅଧିକ ପାଣି ବ୍ୟବହାର କରେ। ଜଳ ସଙ୍କଟ ଯୋଗୁଁ ଏବେ କିଛି ଡାଟା ସେଣ୍ଟର ରିସାଇକେଲ୍ ପାଣି ବ୍ୟବହାର କରୁଛନ୍ତି। ଯାହାଦ୍ଵାରା ପିଇବା ପାଣି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ସେହିପରି ଆଉ କିଛି କମ୍ପାନୀ ଏୟାର-କୁଲିଂ କିମ୍ଵା ଇଭାପୋରେଟିଭ୍ କୁଲିଂ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ଡାଟା ସେଣ୍ଟରର ତୁଷ୍ଣା ମେଣ୍ଟାଇବାକୁ ଏବେ ବଡ଼ ବଡ଼ ଟେକ୍ କମ୍ପାନୀ ନୂଆ ନୂଆ ବାଟ ବାହାର କରିଛନ୍ତି। ଯେପରିକି ଗୁଗଲ ପୁନଃଚକ୍ରଣ ପାଣି ବ୍ୟବହାର କରୁଛି। ସେହିପରି ମାଇକ୍ରୋସପ୍ଟ ପାଣି ବଞ୍ଚାଇବାକୁ ଅଣ୍ଡରୱାଟର ଡାଟା ସେଣ୍ଟରର ପ୍ରୟୋଗ କରିଛି। ଏଆଇ ଓ ମେସିନ୍ ଲର୍ଣ୍ଣିଂର ଚାହିଦା ବୃଦ୍ଧି ପାଇବା ସହିତ, ଡାଟା ପ୍ରକ୍ରିୟାକରଣର ଆବଶ୍ୟକତା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡାଟା କୁଲିଂ ପ୍ରକ୍ରିୟାରେ ଯଦି ପରିବର୍ତ୍ତନ କରାନଯାଏ ତାହେଲେ ଭବିଷ୍ୟତରେ ଭୟଙ୍କର ଜଳ ଓ ବିଦ୍ୟୁତ୍ ସଙ୍କଟ ସୃଷ୍ଟି ହେବ। ସମଗ୍ର ଜୀବଜଗତ ଏହାର ଶିକାର ହେବ।