ନୂଆଦିଲ୍ଲୀ : ପାର୍ବଣ ଋତୁ ପରେ ଦିଲ୍ଲୀର ଆକାଶରେ ପୁଣି ଥରେ ଧୂଆଁ ଏବଂ ଧୂଳିର ଆସ୍ତରଣ ଘୋଡି ହୋଇ ରହିଛି । ସ୍ବିଜରଲ୍ୟାଣ୍ଡର ଏୟାର କ୍ବାଲିଟି ଫାର୍ମ IQAirର ସଦ୍ୟ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର । ଏହି ତାଲିକାରେ ଭାରତର ମୁମ୍ବାଇ (ପଞ୍ଚମ ସ୍ଥାନ) ଏବଂ କୋଲକାତା (ଅଷ୍ଟମ ସ୍ଥାନ) ମଧ୍ୟ ସାମିଲ ଅଛନ୍ତି । ପାକିସ୍ତାନର ଲାହୋର ଏବଂ କରାଚି, କୁଏତ, ତାଶକନ୍ଦ, ଦୋହା, ଅଷ୍ଟ୍ରେଲିଆର କେନଓ୍ବାରା ଏବଂ ଇଣ୍ଡୋନେସିଆର ଜାକର୍ତ୍ତା ମଧ୍ୟ ଶ୍ରେଷ୍ଠ ୧୦ ସହର ମଧ୍ୟରେ ଅଛି।    

ରିପୋର୍ଟ ଅନୁସାରେ,ଦିଲ୍ଲୀର ବାୟୁମଣ୍ଡଳ ଦୀପାବଳି ପରେ ବହୁତ ଖରାପ ହୋଇଛି । ବାଣର ଧୂଆଁ, ଗାଡିମୋଟର ଧୂଆଁ, ନିର୍ମାଣ କାର୍ଯ୍ୟ ଏବଂ ନଡା ଜାଳିବା ଦ୍ବାରା ହାୟୁରେ ବିଷାକ୍ତ କଣିକା ଭରି ହୋଇଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ର ତଥ୍ୟ ମୁତାବକ ମଙ୍ଗଳବାର ସକାଳେ ଦିଲ୍ଲୀର AQI ୩୫୦ ରେକର୍ଡ କରାଯାଇଛି, ଯାହା ଅତ୍ୟନ୍ତ ଖରାପ ଶ୍ରେଣୀରେ ଆସୁଛି । କିଛି ଅଂଚଳରେ ଯେମିତି କି, ବବାନା, ଜାହାଙ୍ଗୀରପୁରୀ, ବଜିରପୁର, ଅଲିପୁର ଏବଂ ବୁରାଡୀ କ୍ରସିଙ୍ଗରେ AQI ୪୦୧ ଉପରେ ରହିଥିବା ରେକର୍ଡ ହୋଇଛି, ଯାହାକି ଗମ୍ଭୀର ଶ୍ରେଣୀରେ ଆସୁଛି ।

ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ । ଆଉ ଏଥିପାଇଁ ସମୟ ସାରଣୀ ମଧ୍ୟ ନିଶ୍ଚିତ କରିଥିଲେ । କିନ୍ତୁ କିଛି ଲୋକ ନିୟମକୁ ବେଖାତିର କରି ବିଳମ୍ବିତ ରାତି ଯାଏଁ ବାଣ ଫୁଟାଇଥିଲେ । ଏହା ଦ୍ବାରା ବାୟୁମଣ୍ଡଳ ବିଷ ବଳୟରେ ପରିଣତ ହୋଇଥିଲା ।

ପରିବେଶ ବିଜ୍ଞାନୀ ମାନେ ଚେତାବନୀ ଦେଇଛନ୍ତି କି, ଯଦି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ପ୍ରଦୂଷଣର ମାତ୍ରା ଆଗକୁ ବୃଦ୍ଧି ପାଇବ । ଡାକ୍ତରଙ୍କ ଅନୁଯାୟୀ, ଅତ୍ୟନ୍ତ ଖରାପ କିମ୍ବା ଗମ୍ଭୀର ଶ୍ରେଣୀର ବାୟୁରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିବା ଫୁସଫୁସ୍, ହାର୍ଟ ଏବଂ ଆଖି ପାଇଁ ହାନିକାରକ । ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ପାଇଁ ।