ନୂଆଦିଲ୍ଲୀ : ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବୋମା ବିସ୍ଫୋରଣର ଯାଞ୍ଚ ପ୍ରକ୍ରିୟା ଉତ୍ତରାଖଣ୍ଡ ଯାଏ ପହଞ୍ଚି ଯାଇଛି। ଏନଆଇଏ ଶନିବାର ଏହି ମାମଲାରେ ଦିଲ୍ଲୀ ଓ ଉତ୍ତରାଖଣ୍ଡ ପୁଲିସର ସହଯୋଗରେ ହଲଦ୍ୱାନୀର ବନଭୁଲପୁରା ଅଞ୍ଚଳରୁ ବିଲାଲି ମସଜିଦର ଇମାମ ଓ ତାର ଜଣେ ସହଯୋଗୀକୁ ଗିରଫ କରିଛି। ଅଧିକାରୀମାନେ ଶନିବାର ଏହା ସ୍ପଷ୍ଟ କରି କହିଛନ୍ତି ଯେ, ଏନଆଇଏର ଟିମ୍ ଦୁହିଁଙ୍କୁ ଦିଲ୍ଲୀ ନେଇ ଯାଇଛି।
ଘଟଣା କ୍ରମ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀ ପୁଲିସକୁ ଲାଲ୍ କିଲ୍ଲାର ବାହାରେ ହୋଇଥିବା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଡାକ୍ତର ଉମର ନବି ସହ ଜଡ଼ିତ ମୋବାଇଲ ନମ୍ୱରର କଲ୍ ଡିଟେଲ୍ରୁ ଏକ ସୁରାକ୍ ମିଳି ଥିଲା, ଯାହାର ଯାଞ୍ଚର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ, ଏନଆଇଏ ବିଲାଲି ମସଜି ଇମାମ ମହମ୍ମଦ ଅଶିଫ୍ ଓ ବିଦ୍ୟୁତ୍ କାମ କରୁଥିବା ନଜର କମାଲକୁ ଶୁକ୍ରବାର ମଧ୍ୟ ରାତ୍ରି ପରେ ଗିରଫ କରିଛି। ସେମାନଙ୍କୁ ଦିଲ୍ଲୀ ନିଆଯାଇଛି।
ଗିରଫଦାରୀ ବେଳେ ହଲଦ୍ୱାନୀର ସହର ପୁଲିସର ଅଧିକାରୀ ମନୋଜ କୁମାର କତ୍ୟାଲ ଓ ଲାଲକୁଆଁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଦୀପଶିଖା ଅଗ୍ରୱାଲଙ୍କ ନେତୃତ୍ୱରେ ଲାଲକୁଆଁ , କାଲାଢୁଙ୍ଗି , ହଲଦ୍ୱାନୀ , ମୁଖାନୀ ଓ କାଠଗୋଦାମ ଆଦି ଅନେକ ଥାନାରୁ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ବନଭୁଲପୁରାରେ ପହଞ୍ଚି ଥିଲେ।
ପୁଲିସ ବିଲାଲୀ ମସଜିଦ୍ ଓ ଇମାମପ ଘର ନିକଟରେ ସୁରକ୍ଷା କଡ଼ାକଡ଼ି କରି ଦେଇଛି। ହଠାତ୍ ବହୁ ସଂଖ୍ୟାରେ ପୁଲିସ ମୁତୟନ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଛନ୍ତି।