ନୂଆଦିଲ୍ଲୀ, ୧୭।୩: ମୋବାଇଲ୍ ରିଲ୍ ଏବଂ ସୋସିଆଲ ମିଡିଆର ନିଶା ଆଜି ପୁଣି ଜଣେ ଯୁବକଙ୍କ ଜୀବନ ନେଇଛି । ପୂର୍ବ ଦିଲ୍ଲୀର ଦଲ୍ଲୁପୁରା ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ନିଜ ଦାଦା ପୁଅ ଭାଇର ବନ୍ଧୁକ ସହ ରିଲ୍ ବନାଇବା ସମୟରେ ଜଣେ ୨୮ ବର୍ଷୀୟ ଯୁବକଙ୍କର ଗୁଳି ଲାଗି ମୃତ୍ୟୁ ଘଟିଛି । ପୁଲିସ ସୂଚନା ଅନୁଯାୟୀ, ମୃତ ଯୁବକ ହେଉଛନ୍ତି ୨୮ ବର୍ଷୀୟ ପବନ କୁମାର । ଗତକାଲି ଅର୍ଥାତ୍ ୧୬ ମାର୍ଚ୍ଚ ସେ ନିଜ ଭାଇ ହିମାଂଶୁଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ଧରି ଏକ ଭିଡିଓ ସୁଟ୍ କରୁଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ, ପବନ ପିସ୍ତଲରେ ମ୍ୟାଗଜିନ୍ ଲୋଡ୍ କରୁଛନ୍ତି ଏବଂ ତା’ ପରେ ହଠାତ୍ ବନ୍ଧୁକଟିକୁ ନିଜ ଛାତିରେ ଲଗାଇ ଟ୍ରିଗର ଟିପି ଦେଉଛନ୍ତି । ଗୁଳିଟି ତାଙ୍କ ଛାତିର ବାମ ପାର୍ଶ୍ୱରେ ବାଜିଥିଲା । 

ଏହା ବି ପଢ଼ନ୍ତୁ... LPG ସଙ୍କଟ ଭିତରେ ଗୁଡ୍ ନ୍ୟୁଜ୍; ଶିବଲିକ୍ ପରେ ହୋର୍ମୁଜ ଦେଇ ଭାରତରେ ପହଞ୍ଚିଲା ନନ୍ଦାଦେବୀ, ଜାଣନ୍ତୁ କେତେ ଗ୍ୟାସ୍ ଆଣିଲା ?

ଭିଡିଓରେ କଏଦ୍ ହେଲା ଶେଷ ମୁହୂର୍ତ୍ତ:

ଘଟଣା ସମୟରେ ହିମାଂଶୁ ନିଜ ମୋବାଇଲରେ ଭିଡିଓ ରେକର୍ଡ କରୁଥିଲେ । ଭିଡିଓରେ ହିମାଂଶୁଙ୍କୁ କହୁଥିବାର ଶୁଣାଯାଉଛି, "ଭାଇ ଚଲାଇ ଦେବୁନି ।" ମାତ୍ର ସେତିକି ବେଳକୁ ଅଘଟଣ ଘଟି ସାରିଥିଲା । ଗୁରୁତର ଅବସ୍ଥାରେ ପବନଙ୍କୁ ବସୁନ୍ଧରା ଏନକ୍ଲେଭସ୍ଥିତ ଧର୍ମଶିଳା ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନ୍ୟୁ ଅଶୋକ ନଗର ଥାନା ପୁଲିସ ଏହି ମାମଲାରେ ପବନଙ୍କ ଭାଇ ହିମାଂଶୁଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ କଲ୍ପେବଲ୍ ହୋମିସାଇଡ୍ ନଟ୍ ଆମାଉଣ୍ଟିଙ୍ଗ ଟୁ ମର୍ଡର ଏବଂ ଆର୍ମସ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରୁ ପୁଲିସ ସେହି ପିସ୍ତଲ ଏବଂ ୧୦ଟି ଜୀବନ୍ତ ଗୁଳି ଜବତ କରିଛି । କ୍ରାଇମବ୍ରାଞ୍ଚ ଏବଂ ଫରେନସିକ ଟିମ୍ ମଧ୍ୟ ନମୁନା ସଂଗ୍ରହ କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଲାଲ୍ ବାହାଦୂର ଶାସ୍ତ୍ରୀ ହସ୍ପିଟାଲକୁ ପଠାଯାଇଛି । ଅସ୍ତ୍ରଶସ୍ତ୍ର ସହ ଖେଳିବା କିମ୍ବା ସୋସିଆଲ ମିଡିଆ ପାଇଁ ବିପଦଜନକ ଷ୍ଟଣ୍ଟ କରିବା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ସର୍ବଦା ନିରାପତ୍ତା ପ୍ରତି ସଚେତନ ରୁହନ୍ତୁ ।