ନୂଆଦିଲ୍ଲୀ,୧୭/୦୩; ଆଉ ରହିବନି ଟେନସନ୍ ଅଭାବ ହେବନି ଗ୍ୟାସ । ଏଲପିଜି ଗ୍ୟାସ ସଙ୍କଟ, ଦରବୃଦ୍ଧି ଭିତରେ ଭାରତକୁ ବଡ଼ ଆଶ୍ୱସ୍ତି ମିଳିଛି । ବ୍ୟାକ୍ ଟୁ ବ୍ୟାକ୍ ଗ୍ୟାସ ବୋଝେଇ ଜାହଜ ଭାରତରେ ପହଞ୍ଚିଛି । ଶିବଲିକ ପରେ ହୋର୍ମୁଜ ଦେଇ ଗୁଜରାଟରେ ପହଞ୍ଚିଛି ଭାରତୀୟ ଜାହଜ ନନ୍ଦାଦେବୀ । ଦ୍ୱିତୀୟ ଜାହଜ ଭାବେ ସାଥିରେ ୪୭ ହଜାର ମେଟ୍ରିକ୍ ଟନ୍ LPG ଗ୍ୟାସ୍ ନେଇ ଆସିଛି ନନ୍ଦାଦେବୀ । ଗୁଜରାଟରେ ସୁରକ୍ଷିତ ପହଞ୍ଚିଛି ଜାହଜ । ସେହିପରି ଅପରାହ୍ନ ୩ଟା ସୁଦ୍ଧା ଆଉ ଏକ ଜାହଜ ଜଗ୍ ଲଡକି ପହଞ୍ଚିବ । ଏହା ପୂର୍ବରୁ ସୋମବାର ଶିବକିଲ୍ ଭାରତରେ ଏଣ୍ଟ୍ରୀ କରିଥିଲା । ଦୁଇଟି ଜାହଜ ମିଶି ୯୦ ହଜାର ମେଟ୍ରିକ ଟନ୍ରୁ ଅଧିକ ଏଲପିଜି ନେଇ ଭାରତରେ ପହଞ୍ଚିଛନ୍ତି । ଯାହା ସଙ୍କଟ ଭିତରେ ଆଶ୍ୱସ୍ତି ପ୍ରଦାନ କରିଛି ।
ମିଡିଆ ରିପୋର୍ଟ ଅନୁସାରେ, ୪୭ ହଜାର ମେଟ୍ରିକ୍ ଟନରୁ ଅଧିକ ଗ୍ୟାସ ନେଇ ନନ୍ଦାଦେବୀ ଜାହଜ ଗୁଜରାଟର ଭାଡିନାର ପୋର୍ଟରେ ପହଞ୍ଚିଛି । ଶନିବାର ଜାହାଜ ଚଳାଚଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଥିଲେ ଯେ, ଶିବଲିକ୍ ଏବଂ ନନ୍ଦାଦେବୀ ମାର୍ଚ୍ଚ ୧୬ ଏବଂ ୧୭ରେ ଭାରତରେ ପହଞ୍ଚିପାରନ୍ତି । ଭାରତରେ ନନ୍ଦାଦେବୀ ପହଞ୍ଚିବା ପରେ ୨୪ ହଜାର ମେଟ୍ରିକ୍ ଟନ୍ ଗ୍ୟାସ ତାମିଲନାଡୁ ପଠାଯିବ ବୋଲି ଆଶା କରାଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସରୁ ପ୍ରାୟ ୮୦ ହଜାର ୮୦୦ ଟନ୍ ମୁର୍ବାନ ଅଶୋଧିତ ତୈଳ ନେଇ ଯାଉଥିବା ଜଗ୍ ଲଡକି ଜାହାଜ ଏବଂ ଏଥିରେ ଥିବା ୨୨ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି । ଯୁଦ୍ଧଗ୍ରସ୍ତ ହୋର୍ମୁଜ ପ୍ରଣାଳୀରେ ଗତ ୨ ସପ୍ତାହ ଧରି ଫସି ରହିଛନ୍ତି ୨୮ଟି ଭାରତୀୟ ଜାହାଜ ମଧ୍ୟରେ ଜଗ୍ ଲଡକି ହେଉଛି ଚତୁର୍ଥ । ବର୍ତ୍ତମାନ ପଶ୍ଚିମ ଉପସାଗରରେ ୬୧୧ ନାବିକଙ୍କ ସମେତ ୨୨ଟି ଭାରତୀୟ ଜାହାଜ ଫସି ରହିଛନ୍ତି । ଶିବଲିକ ଏବଂ ନନ୍ଦାଦେବୀ ପ୍ରାୟ ୯୨,୭୧୨ ଟନ୍ ଏଲପିଜି ପରିବହନ କରିଛନ୍ତି । ଯାହା ଦେଶର ଗୋଟିଏ ଦିନର ରନ୍ଧନ ଗ୍ୟାସ ଆବଶ୍ୟକତା ସହ ସମାନ ।
ଏହା ବି ପଢନ୍ତୁ...ଗ୍ୟାସ୍ ସିଲିଣ୍ଡର ପାଇଁ ଭାଙ୍ଗିଲା ସଂସାର ! ସ୍ୱାମୀଙ୍କୁ ଛାଡ଼ି ବାପଘର ଚାଲିଗଲେ ସ୍ତ୍ରୀ
ନନ୍ଦାଦେବୀ ଏଲପିଜି ବାହକ ଦୀନଦୟାଲ ବନ୍ଦର କର୍ତ୍ତୃପକ୍ଷଙ୍କ ଭାଡିନାର ଟର୍ମିନାଲ ନିକଟରେ ମଧ୍ୟ ସମୁଦ୍ରରେ ପହଞ୍ଚିଛି । ନନ୍ଦାଦେବୀରୁ ସମ୍ପୂର୍ଣ୍ଣ ୪୭,୦୦୦ ମେଟ୍ରିକ୍ ଟନ୍ ଏଲପିଜିକୁ ମଧ୍ୟ ସମୁଦ୍ରରେ ଅନ୍ୟ ଏକ ଜାହାଜକୁ ସ୍ଥାନାନ୍ତର କରାଯାଉଛି । ଏହି କାର୍ଯ୍ୟ ସମାପ୍ତ ହେବା ପରେ, ଅଧା ଏଲପିଜିକୁ ଏନନୋର ବନ୍ଦରରେ ଏବଂ ବାକି ଅଧା ପଶ୍ଚିମବଙ୍ଗର ହଳଦିଆ ବନ୍ଦରରେ ଅବତରଣ କରାଯିବ । IRSMEର ଡିପିଏ ଅଧ୍ୟକ୍ଷ ସୁଶୀଲ କୁମାର ସିଂହ ମଧ୍ୟ ଏମଟି ନନ୍ଦଦେବୀର କ୍ୟାପଟେନ ଏବଂ କ୍ରୁ ସହିତ ଆଲୋଚନା ଏବଂ ମାର୍ଗଦର୍ଶନ କରିବା ପାଇଁ ଜାହାଜ ପରିଦର୍ଶନ କରିଥିଲେ ।