ନୂଆଦିଲ୍ଳୀ,୧୭।୫: ଦିଲ୍ଲୀର ମହିଳାମାନେ ଏବେ ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ୧୦ କୋଟି ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଋଣ ପାଇପାରିବେ। ରେଖା ଗୁପ୍ତା ସରକାର ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି , ଦିଲ୍ଲୀ ସରକାର ରାଜଧାନୀର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ, ଉଦ୍ୟୋଗୀ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ବ୍ୟାପକ ଭାବରେ କାର୍ଯ୍ୟ କରୁଛି। ଏହି ଦିଗରେ, ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଷ୍ଟାର୍ଟଅପ୍ ପାଇଁ ୧୦ କୋଟି ପର୍ଯ୍ୟନ୍ତ କୋଲେଟରଲ୍-ଫ୍ରି ଲୋନ୍ (ବିନା ବନ୍ଧକରେ ଋଣ),ବ୍ୟବସ୍ଥା କରିଛନ୍ତି, ଯାହାର ଗ୍ୟାରେଣ୍ଟି ନିଜେ ଦିଲ୍ଳୀ ସରକାର ନେବେ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦିଲ୍ଲୀ ସରକାର ଏବେ ନିୟମିତ ଭାବରେ ମଲ୍ ଏବଂ ବଡ଼ ବଡ଼ ସପିଂ କମ୍ପ୍ଲେକ୍ସରେ ସ୍ୱଦେଶୀ ଉତ୍ପାଦ ପାଇଁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇବେ, ଯେଉଁଠାରେ ସ୍ଥାନୀୟ ଉତ୍ପାଦଗୁଡ଼ିକ ଏକ ବ୍ୟାପକ ବଜାର ପାଇପାରିବେ। ଶନିବାର ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ଦିଲ୍ଲୀର ରୋହିଣୀ ପଶ୍ଚିମ ମେଟ୍ରୋ ଷ୍ଟେସନ୍ ନିକଟସ୍ଥ ୟୁନିଟି ୱାନ୍ ମଲ୍ରେ ଆୟୋଜିତ ଦୁଇ ଦିନିଆ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ମେଳା-୨୦୨୬ ର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହା କହିଥିଲେ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ସମ୍ମୁଖରେ ସ୍ୱଦେଶୀ, ଆତ୍ମନିର୍ଭରଶୀଳ ଭାରତ ଏବଂ ଓ୍ବାନ ଡିଷ୍ଟ୍ରିକ୍ଟ, ଓ୍ବାନ ପ୍ରଡକ୍ଟର ଭିଜନ୍ ଦେଶ ଆଗରେ ରଖିଛନ୍ତି। ତାଙ୍କର ସେହି ଦୃଷ୍ଟିକୋଣକୁ ଆଗକୁ ନେଇ, ଏହି ମେଳା ମହିଳାମାନଙ୍କ ଦ୍ୱାରା ନିର୍ମିତ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବ ଏବଂ ସେଗୁଡ଼ିକୁ ବଜାର ସହିତ ଯୋଡ଼ିବା ପାଇଁ ଏକ ଶକ୍ତିଶାଳୀ ଚେଷ୍ଟା।
ମୁଖ୍ୟମନ୍ତ୍ରୀ କହିଛନ୍ତି ,ଦେଶର ମହିଳାମାନେ କ୍ଷୁଦ୍ର ଶିଳ୍ପ ଏବଂ ହସ୍ତଶିଳ୍ପ ଉତ୍ପାଦ ମାଧ୍ୟମରେ କେବଳ ସେମାନଙ୍କ ପରିବାରର ଆୟ ବୃଦ୍ଧି କରୁଛନ୍ତି ନାହିଁ ବରଂ ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରୁଛନ୍ତି। ସେ କହିଛନ୍ତି, ଲୋକମାନେ ପ୍ରାୟତଃ ବିଦେଶୀ ବ୍ରାଣ୍ଡ ପଛରେ ପଡ଼ନ୍ତି, କିନ୍ତୁ ଭାରତୀୟ ହସ୍ତଶିଳ୍ପ, ଖଦି, ଘରୋଇ ଉତ୍ପାଦ ଏବଂ ହସ୍ତଶିଳ୍ପ ସାମଗ୍ରୀ ଗୁଣବତ୍ତା ଦୃଷ୍ଟିରୁ ଅତୁଳନୀୟ। ଏକମାତ୍ର ଆବଶ୍ୟକତା ହେଉଛି ଉନ୍ନତ ବ୍ରାଣ୍ଡିଂ ଏବଂ ମାର୍କେଟିଂ। ବିଦେଶୀ ସାମଗ୍ରୀ ବଦଳରେ ସ୍ଥାନୀୟ ଏବଂ ସ୍ୱଦେଶୀ ଉତ୍ପାଦ ବାଛିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆହ୍ୱାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ସରକାର ଚାହାଁନ୍ତି ରାଜଧାନୀର ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗଦାନ କରନ୍ତୁ, ନିଜର ପ୍ରଡକ୍ଟ ଉତ୍ପାଦନ କରନ୍ତୁ ଏବଂ ସେଗୁଡ଼ିକୁ ବଜାରରେ ବିକ୍ରି କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବ୍ୟାଙ୍କ ମାଧ୍ୟମରେ ମହିଳାମାନଙ୍କୁ ସହଜ ଋଣ ପ୍ରଦାନ କରିବାକୁ ମଧ୍ୟ ପ୍ରୟାସ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ପ୍ରବେଶକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ମଧ୍ୟ ମେଳାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଦିଲ୍ଲୀ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଷ୍ଟାର୍ଟଅପ୍ ପାଇଁ ୧୦ କୋଟି ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ (ବିନା ସୁଧରେ) ଘୋଷଣା କରିଛନ୍ତି। ଏହି ମେଗା ମେଳାରେ ପ୍ରାୟ ୨୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ହସ୍ତଶିଳ୍ପ, ଖଦି, ଘରୋଇ ଉତ୍ପାଦ, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ମେଳାରେ ପ୍ରଦର୍ଶନ ଏବଂ ବିକ୍ରୟ କରାଯାଇଥିଲା।