ନୂଆଦିଲ୍ଲୀ,୧୩/୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା ଲାଗିଛି । ଲାଲୁଙ୍କ ପରିବାରର ଅଡୁଆ ବଢିଛି । ଆଇଆରସିଟିସି ଘୋଟାଲାରେ ଲାଲୁଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି ଦିଲ୍ଲୀ କୋର୍ଟ । ପଦର ଦୁରୂପଯୋଗ କରି ଟେଣ୍ଡର ପ୍ରକ୍ରିୟାରେ ଲାଲୁ ପରିବର୍ତ୍ତନ କରିଛନ୍ତି ବୋଲି କହିଛନ୍ତି କୋର୍ଟ ।  ଲାଲୁଙ୍କ ସହ ରାବରି ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି କୋର୍ଟ । ଅର୍ଥାତ୍ ଏବେ ଏହି ମାମଲାରେ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିବ ।

​​​​​​​IRCTC ମାମଲାରେ ଚାର୍ଜ ଫ୍ରେମ୍- ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ରାବରି ଦେବୀ, ତେଜସ୍ୱୀ ଯାଦବ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ୍ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲାଲୁ ପ୍ରସାଦ ଯାଦବ, ରାବରି ଦେବୀ  ଏବଂ ତେଜସ୍ୱୀ ଯାଦବ କୋର୍ଟରେ ହାଜର ହୋଇଥିଲେ । ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଦୁଇଟି IRCTC ହୋଟେଲ ରକ୍ଷଣାବେକ୍ଷଣ ପାଇଁ ଏକ ସଂସ୍ଥାକୁ ଚୁକ୍ତିନାମା ପ୍ରଦାନ କରିବାରେ ଅନିୟମିତତା କରିଥିଲେ । ମାମଲାରେ ସିବିଆଇ ଲାଲୁ ଯାଦବ, ରାବରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ବିରୁଦ୍ଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତିର ଅଭିଯୋଗ ଦାୟର କରିଥିଲା । ୩ ଜଣ ଯୁକ୍ତି ଦର୍ଶାଇଥିଲେ ଯେ ମାମଲା ଚଳାଇବା ପାଇଁ ସିବିଆଇ ପାଖରେ ପ୍ରମାଣର ଅଭାବ ଅଛି । ମାମଲାରେ ମୋଟ ୧୪ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ୍ କରାଯାଇଛି । ୪୨୦ ଦଫା ଲାଗିଛି । ଦୁର୍ନୀତି ଏବଂ ଠକେଇ ଚାର୍ଜ ଲାଗିଛି ।

​​​​​​​ଆଇପିସିର ଧାରା ୪୨୦ ଏବଂ ୧୨୦ବି ଅନୁଯାୟୀ ଅଭିଯୋଗ ଫଇସଲା କରାଯାଇଛି । ଏହା ବ୍ୟତୀତ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୩(୧)(ଡି) ଅନୁଯାୟୀ କେବଳ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଅଭିଯୋଗ ଫଇସଲା ହୋଇଇଛି। କୋର୍ଟ ଲାଲୁ ଯାଦବଙ୍କୁ ପଚାରିଥିଲେ ଯେ ସେ ତାଙ୍କର ଦୋଷ ସ୍ୱୀକାର କରନ୍ତି କି ? ଏହା ଉପରେ ଲାଲୁ ପ୍ରସାଦ ଯାଦବଙ୍କ ସହିତ ରାବରି ଏବଂ ତେଜସ୍ୱୀ ଯାଦବ ମଧ୍ୟ ସେମାନଙ୍କର ଦୋଷ ମାନିବାକୁ କରିବାକୁ ମନା କରିଦେଇଥିଲେ ।