ନୂଆଦିଲ୍ଲୀ,୧୪।୪: ଯୋଗାଯୋଗ କ୍ଷେତ୍ରରେ ଆଜି ଭାରତ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ପ୍ରତିକ୍ଷିତ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ୍-ୱେର ଲୋକାର୍ପଣ କରିବେ । ଏହି ଏକ୍ସପ୍ରେସ୍-ୱେର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ୧୨ କିଲୋମିଟର ଲମ୍ବା ଏଲିଭେଟେଡ୍ ସେକ୍ସନ, ଯାହା ଏସିଆର ସବୁଠାରୁ ବଡ଼ ୱାଇଲ୍ଡଲାଇଫ୍ କରିଡର । ୨୧୨ କିଲୋମିଟର ଲମ୍ବା ଏହି ରାସ୍ତା ଦ୍ୱାରା ଦିଲ୍ଲୀରୁ ଡେରାଡୁନ୍ ମଧ୍ୟରେ ଯାତ୍ରା ସମୟ ୬ ଘଣ୍ଟାରୁ କମି ମାତ୍ର ୨.୫ ଘଣ୍ଟା ହୋଇଯିବ । ପ୍ରାୟ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ୪ ବର୍ଷ ମଧ୍ୟରେ ଏହା ନିର୍ମିତ ହୋଇଛି । ଏହାର ୬୪% ଅଂଶ (୧୩୫ କିମି) ଉତ୍ତରପ୍ରଦେଶ ଦେଇ ଯାଇଥିବା ବେଳେ ବାକି ଅଂଶ ଦିଲ୍ଲୀ ଏବଂ ଉତ୍ତରାଖଣ୍ଡରେ ରହିଛି ।
ଏହା ବି ପଢ଼ନ୍ତୁ... ଶ୍ରମିକ ଆନ୍ଦୋଳନ ଆଗରେ ନଇଲେ ଯୋଗୀ ସରକାର, ମଜୁରୀରେ ୨୧% ବୃଦ୍ଧି ଘୋଷଣା
କ’ଣ ଏହି ‘ୱାଇଲ୍ଡଲାଇଫ୍ କରିଡର’ ?
ଏହି ଏକ୍ସପ୍ରେସ୍-ୱେର ଶେଷ ଭାଗ ରାଜାଜୀ ଟାଇଗର ରିଜର୍ଭ ଏବଂ ଶିବାଲିକ ଜଙ୍ଗଲ ଅଞ୍ଚଳ ଦେଇ ଯାଇଛି । ଜଙ୍ଗଲୀ ପଶୁମାନଙ୍କ ସୁରକ୍ଷା ପାଇଁ ଏହି ୧୨ କିଲୋମିଟର ରାସ୍ତାକୁ ଏଲିଭେଟେଡ୍ ଉପରେ ନିର୍ମାଣ କରାଯାଇଛି । କରିଡରର ଉଚ୍ଚତା ୬ ରୁ ୭ ମିଟର ରଖାଯାଇଛି, ଯାହାଫଳରେ ହାତୀ ପରି ବିଶାଳ ପଶୁମାନେ ମଧ୍ୟ ଆରାମରେ ତଳେ ଯାଇପାରିବେ । ଗାଡ଼ିର ଶବ୍ଦ ଯେପରି ଜଙ୍ଗଲୀ ଜନ୍ତୁଙ୍କୁ ବିବ୍ରତ ନକରେ, ସେଥିପାଇଁ ସ୍ୱତନ୍ତ୍ର ଶବ୍ଦ ନିରୋଧକ କାନ୍ଥ ନିର୍ମାଣ କରାଯାଇଛି । ରାତିରେ ଜୀବଜନ୍ତୁଙ୍କ ଆଖିକୁ ଯେପରି କଷ୍ଟ ନହୁଏ, ସେଥିପାଇଁ ଏଠାରେ ଧଳା ବଦଳରେ ହଳଦିଆ ଆଲୋକ ବ୍ୟବହାର କରାଯାଇଛି ।
୧୮ କିଲୋମିଟର ଯାଏଁ ଦେବାକୁ ପଡ଼ିବନି ଟୋଲ୍:
ଦିଲ୍ଲୀର ଅକ୍ଷରଧାମରୁ ଆରମ୍ଭ ହେଉଥିବା ଏହି ଏକ୍ସପ୍ରେସ୍-ୱେର ପ୍ରଥମ ୧୮ କିଲୋମିଟର ଯାତ୍ରା ପାଇଁ କୌଣସି ଟୋଲ୍ ଟିକସ ଦେବାକୁ ପଡ଼ିବ ନାହିଁ । ଏହି ଅଂଶରେ ସ୍ଥାନୀୟ ଟ୍ରାଫିକ୍ ପାଇଁ ୬-ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ମଧ୍ୟ ରହିଛି । ଏକ୍ସପ୍ରେସ୍-ୱେରେ ଗାଡ଼ିର ସର୍ବାଧିକ ବେଗ ୧୦୦ କିମି/ଘଣ୍ଟା ଧାର୍ଯ୍ୟ କରାଯାଇଛି। ଏହାଠାରୁ ଅଧିକ ହେଲେ ଅଟୋମେଟିକ ଚାଲାଣ କଟିବ । ଦୁର୍ଘଟଣା ସମୟରେ ମାତ୍ର ୧୦ ମିନିଟ୍ ମଧ୍ୟରେ ସହାୟତା ପହଞ୍ଚାଇବା ପାଇଁ ସାରା ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯାଇଛି । ମହାକୁମ୍ଭକୁ ଦୃଷ୍ଟିରେ ରଖି ସହାରନପୁରରୁ ହରିଦ୍ୱାର ପର୍ଯ୍ୟନ୍ତ ଏକ ଅଲଗା ୫୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । କାର୍ ମାଲିକଙ୍କ ପାଇଁ ପ୍ରତି କିଲୋମିଟର ପିଛା ପ୍ରାୟ ୩ ଟଙ୍କା ଟୋଲ୍ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀରୁ ଡେରାଡୁନ୍ ଯିବା ପାଇଁ ଗୋଟିଏ ପଟୁ ପ୍ରାୟ ୬୭୫ ଟଙ୍କା ଟୋଲ୍ ଦେବାକୁ ପଡ଼ିବ । ତେବେ ୨୪ ଘଣ୍ଟା ମଧ୍ୟରେ ଫେରିଲେ ଟୋଲ୍ ଉପରେ ରିହାତି ମିଳିବ ।