ନୂଆଦିଲ୍ଲୀ ୦୫/୦୧: ଦିଲ୍ଲୀ ବିଧାନସଭା ପରିସରରେ ମାଙ୍କଡ଼ଙ୍କ ଦୌରାତ୍ମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ବିଧାୟକ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ମାଙ୍କଡ଼ଙ୍କ ସ୍ୱରର ନକଲ କରିପାରୁଥିବା ଲୋକଙ୍କ ନିଯୁକ୍ତି ଲାଗି ଏକ ଟେଣ୍ଡର ବାହାର କରାଯାଇଛି । ଏହି ପଦରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ସପ୍ତାହରେ ୬ ଦିନ ଡ୍ୟୁଟି କରିବାକୁ ହେବ । ମାଙ୍କଡ଼ଙ୍କ ସ୍ୱରର ନକଲ କରି ବିଧାନସଭା ପରିସର, ଶିକ୍ଷା ନିର୍ଦ୍ଦେଶାଳୟ, ସିଭିଲ୍ ଲାଇନ୍ସସ୍ଥିତ ବିକାଶ ଭବନକୁ ମାଙ୍କଡ଼ମୁକ୍ତ କରିବାକୁ ପଡି଼ବ । ଶିଫ୍ଟ ଅନୁସାରେ ସେମାନେ ୮ ଘଣ୍ଟା ଧରି କାମ କରିବେ । ସେମାନଙ୍କୁ ୧୮-୨୦ ହଜାର ଟଙ୍କା ଯାଏ ବେତନ ମିଳିବ ।
ପୂର୍ବରୁ ମାଙ୍କଡ଼ଙ୍କୁ ହଟାଇବା ଉଦ୍ଦେଶ୍ୟରେ ଦିଲ୍ଲୀ ବିଧାନସଭା ପରିସରରେ ସେମାନଙ୍କ କଟ୍-ଆଉଟ୍ ଲଗାଯାଇଥିଲା । କିନ୍ତୁ ମାଙ୍କଡ଼ ଆଉ ତାକୁ ଡରୁନାହାନ୍ତି । ସେହି କଟ୍-ଆଉଟ୍ ଉପରେ ବସିଯାଉଛନ୍ତି । ସେଥିଲାଗି ଏହି ଅଭିନବ ନିଯୁକ୍ତିର ବ୍ୟବସ୍ଥା କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ସୂଚନାଥାଉକି, ଦିଲ୍ଲୀ ବିଧାନସଭା ଏବଂ ଆଖପାଖର ସରକାରୀ କୋଠା ପରିସରରେ ମାଙ୍କଡ଼ଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି । ଏହାଦ୍ୱାରା ସରକାରୀ କାର୍ଯ୍ୟ ପ୍ରଭାବିତ ମଧ୍ୟ ହେଉଛି ।