ନୂଆଦିଲ୍ଲୀ,୨୩।୫: ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ଼ ଧରଣର ଆଶ୍ୱସ୍ତି। କୋର୍ଟ ତାଙ୍କୁ ୨୦୨୬ ଏସିଆନ୍ ଗେମ୍ସର ଚୟନ ଟ୍ରାଏଲରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଭିନେଶ ଫୋଗାଟଙ୍କ ପରି ମହିଳା କୁସ୍ତିଯୋଦ୍ଧାଙ୍କୁ କେବଳ ମାତୃତ୍ୱ ପାଇଁ ଏଥିରୁ ବାଦ ଦିଆନଯାଉ। କୋର୍ଟ ଭାରତୀୟ କୁସ୍ତି ମହାସଂଘ (WFI)ର ଚୟନ ନୀତି ଏବଂ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, ଯେ କ୍ରୀଡ଼ା ସଂଗଠନଗୁଡ଼ିକ ପ୍ରତିଶୋଧର ମନୋଭାବ ନେଇ ନୁହେଁ, ବରଂ ଖେଳାଳି ଏବଂ କ୍ରୀଡ଼ାର ହିତରେ କାମ କରିବା ଉଚିତ।
ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଭିନେଶଙ୍କୁ ଆଗାମୀ ୩୦ ଏବଂ ୩୧ ମଇରେ ହେବାକୁ ଥିବା ଚୟନ ଟ୍ରାଏଲରେ ଅଂଶଗ୍ରହଣ କରିବାକୁ ଦିଆଯାଉ। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ପରୀକ୍ଷଣଗୁଡ଼ିକର ଭିଡିଓ ରେକର୍ଡିଂ କରାଯିବା ସହିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (IOA) ରସ୍ବତନ୍ତ୍ର ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିବା ଉଚିତ।
କୋର୍ଟ କହିଛନ୍ତି ଯେ ଭିନେଶଙ୍କ ପରି ଜଣେ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ କେବଳ ଟେକ୍ନିକାଲ ଆଧାରରେ ଟ୍ରାଏଲରୁ ବାଦ ଦେବା ଖେଳ ଏବଂ ନ୍ୟାୟ ଉଭୟର ହିତରେ ନୁହେଁ। ଖଣ୍ଡପୀଠ କହିଛନ୍ତି ଯେ ଭିନେଶଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର କାରଣ ପୂର୍ବନିର୍ଦ୍ଧାରିତ ଏବଂ ପୂର୍ବରୁ ବନ୍ଦ ହୋଇଥିବା ପ୍ରସଙ୍ଗଗୁଡ଼ିକୁ ପୁଣି ଖୋଲିବା ସହିତ ସମାନ ଭଳି ଲାଗୁଛି। ଭିନେଶଙ୍କୁ ଟ୍ରାଏଲରେ ସାମିଲ ହେବାର ସୁଯୋଗ ଦିଆଯିବା ଆବଶ୍ୟକ।
ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଦେଶରେ ମାତୃତ୍ୱକୁ ସମ୍ମାନ କରାଯାଏ ଏବଂ ଏହାକୁ ଜଣେ ଖେଳାଳିଙ୍କ କ୍ୟାରିୟର ବିରୁଦ୍ଧରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ‘ମାତୃତ୍ୱ ଏକ ଉତ୍ସବ। ଏହାକୁ ଜଣେ ଖେଳାଳିଙ୍କ ପାଇଁ କ୍ଷତିକାରକ କରିହେବନି।’ ଭିନେଶ ଜୁଲାଇ ୨୦୨୫ ରେ ମା ହୋଇଥିଲେ ଏବଂ ବର୍ତ୍ତମାନ ଘରୋଇ ପ୍ରତିଯୋଗିତାକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ମା ହେବାର ମାତ୍ର ୧୦ ମାସ ପରେ ଜଣେ ଖେଳାଳିଙ୍କୁ ଟ୍ରାଏଲରୁ ବାଦ ଦେବାର ଯୁକ୍ତି ଉପରେ କୋର୍ଟ ପ୍ରଶ୍ନ ଉଠାଇଥିଲେ।
ନିକଟରେ ଭାରତୀୟ କୁସ୍ତି ମହାସଂଘ ଭିନେଶଙ୍କୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଘରୋଇ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅଯୋଗ୍ୟ ଘୋଷଣା କରିଛି। ଫେଡେରେସନ ଯୁକ୍ତି ଦେଇଛି ଯେ ୟୁନାଇଟେଡ୍ ୱାର୍ଲ୍ଡ କୁସ୍ତି (UWW) ଆଣ୍ଟି-ଡୋପିଂ ନିୟମ ଅନୁଯାୟୀ, ଅବସରରୁ ଫେରିବା ପରେ ଯେକୌଣସି ଖେଳାଳିଙ୍କୁ ଅତି କମରେ ଛଅ ମାସର ନୋଟିସ୍ ଦେବାକୁ ପଡିବ। WFI ଅନୁଯାୟୀ, ଭିନେଶ ଏହି ବାଧ୍ୟତାମୂଳକ ନୋଟିସ୍ ଅବଧି ପୂରଣ କରି ନଥିଲେ, ଯାହା ଫଳରେ ସେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅଯୋଗ୍ୟ।