ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି , ଦୁଷ୍କର୍ମ ହେଉଛି ମହିଳାଙ୍କ ବିରୋଧରେ ସବୁଠୁ ଜଘନ୍ୟ ଅପରାଧ ମଧ୍ୟରୁ ଗୋଟିଏ। କିନ୍ତୁ କିଛି ଲୋକ ଏହି ସଂପର୍କିତ ଆଇନର ଅପବ୍ୟବହାର କରି ନିଜ ପୁରୁଷ ସାଥିଙ୍କୁ ଅନାବଶ୍ୟକ ଭାବେ ହଇରାଣ କରିବାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରନ୍ତି। ଏହାସହ କୋର୍ଟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆରକୁ ଖାରଜ କରି ଦେଇଛନ୍ତି। 

ବ୍ୟକ୍ତି ଜଣଙ୍କ ତାଙ୍କ ସହ ସଂପର୍କରେ ରହିଥିବା ମହିଳାଙ୍କ ଯୌନ ଉତ୍ପୀଡ଼ନର ଅଭିଯୋଗରେ ରୁଜୁ ଏଫଆଇଆର ରଦ୍ଦ କରିବାକୁ ଅନୁରୋଧ କରି ,କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଛନ୍ତି , ରେକର୍ଡିଂ , ହ୍ୱାଟ୍ସଆପ୍‌ ଚ୍ୟାଟ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ସାମନାରେ ରୁଜୁ କରାଯାଇ ଥିବା ବୟାନରୁ ସ୍ପଷ୍ଟ ଯେ, ଦୁଷ୍କର୍ମ ସାବ୍ୟସ୍ତ କରିବା ପାଇଁ ପ୍ରମାଣ ନଥିଲା। ପୁରୁଷ  ଓ ମହିଳା ପରସ୍ପରର ସହମତିରେ ଶାରୀରିକ ସଂପର୍କ ରଖିଥିଲେ। ଏହି ରିଲେସନସିପ୍‌ ବିବାହର ମିଛ ପ୍ରତିଶ୍ରୁତିରେ ହୋଇ ନଥିଲା।

ବିଚାରପତି ଚନ୍ଦ୍ର ଧାରୀ ସିଂହ କହିଛନ୍ତି , ଏହା ସତ ଯେ, ଯେଉଁ ପ୍ରାବଧାନ ଅନୁସାରେ ଏଫଆଇଆର୍ ରୁଜୁ କରାଯାଇଛି , ତାହା ମହିଳାଙ୍କ ବିରୋଧରେ ସବୁଠୁ ଜଘନ୍ୟ ଅପରାଧ ମଧ୍ୟରେ ଗୋଟିଏ। ହେଲେ ଏହା ମଧ୍ୟ ଏକ ସ୍ଥାପିତ ତଥ୍ୟ ଯେ, କିଛି ଲୋକ ଏହାକୁ ନିଜର ପୁରୁଷ ସାଥୀଙ୍କୁ ଅନାବଶ୍ୟକୀୟ ଭାବେ ସମସ୍ୟାରେ ପକାଇବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଥାନ୍ତି। 

କୋର୍ଟ କହିଛନ୍ତି ଯେ, ଏହି ମାମଲା ଏହି କଥାର ପ୍ରମୁଖ ଉଦାହରଣ ଯେ, କେମିତି ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଦଣ୍ଡାତ୍ମକ ପ୍ରାବଧାନର ଦୁରୁପଯୋଗରେ ଅନୁଚିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। କୋର୍ଟଙ୍କୁ ମନେହୋଇଛି ଯେ,ଯଦି ମାମଲାର ଶୁଣାଇ ଜାରି ରହେ ,ତଥାପି କିଛି ନିଷ୍କର୍ଷ ବାହାରିବ ନାହିଁ। 

ଅଭିଯୁକ୍ତଙ୍କ ଓକିଲ କହିଛନ୍ତି, ଆବେଦନତାକୀ ଓ ଅଭିଯୋଗକାରୀ ପୂର୍ବରୁ ସଂପର୍କରେ ଥିଲେ। ସେମାନେ ସହମତିରେ ଶାରୀରିକ ସମ୍ୱନ୍ଧ ରଖିଥିଲେ। ଓକିଲ କହିଛନ୍ତି , କିଛି ମତଭେଦ କାରଣରୁ ଅଭିଯୁକ୍ତ ଓ ଅଭିଯୋଗକାରୀ ପରସ୍ପରକୁ ବିବାହ କରି ନଥିଲେ ଏବଂ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା।