ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନଜରରେ ରଖି ଗୁରୁବାର ସୁପ୍ରିମକୋର୍ଟ ଜରୁରି ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଦିଲ୍ଲୀ ଭଳି ଉତ୍ତର ପ୍ରଦେଶ ଏବଂ ହରିୟାଣା ବାଣ ଉପରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି । ଏନିସିଆର କ୍ଷେତ୍ର ସଂଲଗ୍ନ ରାଜ୍ୟଗୁଡ଼ିକ ଏଭଳି ପ୍ରତିବନ୍ଧକ ଲାଗୁ କଲେ ହିଁ ରାଜଧାନୀରେ ପ୍ରଦୂଷଣ କମ୍ କରିହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ରାଜସ୍ଥାନ ମଧ୍ୟ ଏନସିଆର ସହ ଲାଗିଥିବା ଅଞ୍ଚଳରେ ଏଭଳି ପ୍ରତିବନ୍ଧକ ଲଗାଇଛି । ବର୍ତ୍ତମାନ ସମୟରେ ଉତ୍ତର ପ୍ରଦେଶ ଏବଂ ହରିୟାଣା ଡିସେମ୍ବର ୧୯ରେ ଦିଲ୍ଲୀରେ ଲାଗୁ ହୋଇଥିବା କଟକଣା ଲାଗୁ କରନ୍ତୁ । ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜଙ୍କ ଖଣ୍ଡପୀଠ ଦିଲ୍ଲୀ ପ୍ରଦୂଷଣ ଏବଂ ଏହାକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି । ଏସବୁ ଭିତରେ, ବର୍ଷସାରା ବାଣ ଉପରେ ବ୍ୟାନ୍ ଏବଂ ଗ୍ରାପ୍ କଟକଣା ସାମିଲ ରହିଛି ।
ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଶାଦାନ ଫରାସତ କୋର୍ଟରେ କହିଛନ୍ତି, ଦିଲ୍ଲୀ ସରକାର ବାଣ ତିଆରି, ବିକ୍ରି ଏବ ଭଣ୍ଡାରଣ ଉପରେ ରୋକ ଲଗାଇଛନ୍ତି । ତେବେ ପ୍ରଦୂଷଣକୁ ପ୍ରଭାବୀ ଢ଼ଙ୍ଗରେ ମୁକାବିଲା କରିବାକୁ ହେଲେ ଏନସିଆର ରାଜ୍ୟଗୁଡ଼ିକ ସମାନ ନୀତି ଆପଣାଇବାକୁ ପଡ଼ିବ । ସେହି ସବୁ ରାଜ୍ୟରୁ ଦିଲ୍ଲୀକୁ ବାଣ ପ୍ରବେଶ କରିପାରିବ । ଏହା ସହ ସେ କୋର୍ଟଙ୍କୁ କହିଛନ୍ତି, ହରିୟାଣା ସବୁଜ ବାଣକୁ ଅନୁମତି ଦେଇଥିବା ବେଳେ ରାଜସ୍ଥାନ ଏନସିଆର କ୍ଷେତ୍ରରେ ବାଣ ଉପରେ ବ୍ୟାନ ଲଗାଇଛି ।