ନୂଆଦିଲ୍ଲୀ, ୨୩।୧: ଦିଲ୍ଲୀର ପ୍ରସାଦ ନଗର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଟ୍ରାଫିକ୍ ସିଗ୍ନାଲରେ ଗୋଲାପ ବିକୁଥିବା ଜଣେ ୧୧ ବର୍ଷୀୟ ଝିଅକୁ ଅପହରଣ କରି ଜଙ୍ଗଲକୁ ନେଇ ଦୁଷ୍କର୍ମ କରାଯାଇଥିଲା । ଦିଲ୍ଲୀ ପୁଲିସ ଏହି ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୩୦୦ ସିସିଟିଭି କ୍ୟାମେରାରୁ ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତ ଇ-ରିକ୍ସା ଚାଳକକୁ ଗିରଫ କରିଛି ।

ଏହି ଭୟଙ୍କର ଘଟଣା ଜାନୁଆରୀ ୧୧ ତାରିଖରେ ଘଟିଥିଲା। ପୀଡ଼ିତା ନାବାଳିକା ଜଣକ ପ୍ରସାଦ ନଗର ଅଞ୍ଚଳରେ ଗୋଲାପ ବିକନ୍ତି । ପୁଲିସ ସୂଚନା ଅନୁଯାୟୀ, ୪୦ ବର୍ଷୀୟ ଅଭିଯୁକ୍ତ ଦୁର୍ଗେଶ ଯାତ୍ରୀମାନଙ୍କୁ ଛାଡ଼ିବା ପରେ ଝିଅଟି ପାଖରେ ଇ-ରିକ୍ସା ଅଟକାଇଥିଲା । ଯେତେବେଳେ ଝିଅଟି ଫୁଲ ବିକ୍ରି କରିବାକୁ ତା’ ପାଖକୁ ଯାଇଥିଲା, ଅଭିଯୁକ୍ତ ତାଙ୍କର ସମସ୍ତ ଗୋଲାପ ବିକ୍ରି କରିବାର ପ୍ରତିଶ୍ରୁତି ଦେଇଥିଲା । ନାବାଳିକା ଜଣକ ତାଙ୍କ କଥାରେ ପଡ଼ି ରିକ୍ସାରେ ବସିଥିଲେ । ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଅଭିଯୁକ୍ତ ଝିଅଟିକୁ ପ୍ରଫେସର ରାମନାଥ ବିଜ ମାର୍ଗ ନିକଟସ୍ଥ ଏକ ନିର୍ଜନ ଜଙ୍ଗଲକୁ ନେଇ ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣା ପରେ ନାବାଳିକା ଜଣକ ଅଚେତ୍ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡ଼ିରହିଥିଲେ । ପୁଲିସ କହିଛି ଯେ, ଅଭିଯୁକ୍ତ ତାଙ୍କୁ ମୃତ ଭାବି ଘଟଣାସ୍ଥଳରୁ ପଳାଇ ଯାଇଥିଲା । ଚେତା ଫେରିବା ପରେ, ଝିଅଟି ତାଙ୍କ ଘରକୁ ପହଞ୍ଚିବାରେ ସଫଳ ହୋଇଥିଲା । ଯାହା ପରେ ତାଙ୍କ ପରିବାର ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ ।

ଅଭିଯୁକ୍ତକୁ ଧରିଲା ୩୦୦ ସିସିଟିଭି କ୍ୟାମେରା:

ଝିଅଟିର ନିଖୋଜ ସ୍ଥାନଠାରୁ ଜଙ୍ଗଲ ପର୍ଯ୍ୟନ୍ତ ପ୍ରାୟ ୧୫ଟି ରାସ୍ତାରେ ୩୦୦ ସିସିଟିଭି କ୍ୟାମେରାର ଫୁଟେଜ୍ ପୁଲିସ ଯାଞ୍ଚ କରିଥିଲା । ଗୋଟିଏ ଫୁଟେଜରେ ଝିଅଟି ଏକ ଇ-ରିକ୍ସାରେ ଚଢ଼ିଥିବାର ଦେଖାଯାଇଥିଲା । ରିକ୍ସାର ପଞ୍ଜିକରଣ ନମ୍ବର ବ୍ୟବହାର କରି ପୁଲିସ ଅଭିଯୁକ୍ତ ଦୁର୍ଗେଶକୁ ଟ୍ରାକ୍ କରିଥିଲା ଏବଂ ତାକୁ ଗିରଫ କରିଥିଲା । ପଚରାଉଚରା ସମୟରେ, ଅଭିଯୁକ୍ତ ସ୍ୱୀକାର କରିଛି ଯେ ସେ କିଛି ସମୟ ଧରି ସିଗନାଲରେ ଝିଅଟିକୁ ଦେଖୁଥିଲା ଏବଂ ତାକୁ ଅପହରଣ କରିବାକୁ ଯୋଜନା କରିଥିଲା । ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଲିସ ରକ୍ତ ଲାଗିଥିବା ପୋଷାକ ଏବଂ ଅନ୍ୟାନ୍ୟ ପ୍ରମାଣ ଜବତ କରିଛି ପୁଲିସ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପହରଣ, ଦୁଷ୍କର୍ମ ଏବଂ ପୋକ୍ସୋ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ନାବାଳିକାଙ୍କର ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସା ଚାଲିଛି । ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ.. ଅଷ୍ଟ୍ରେଲିଆର ପଥ ଅନୁସରଣ କରିବ ଭାରତର ଏହି ରାଜ୍ୟ, ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ