ନୂଆଦିଲ୍ଲୀ,୨୮/୧୨: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ପୂର୍ବରୁ ପୁଲିସ ‘ଅପରେସନ୍ ଆଘାତ ୩.୦’ କ୍ରମେ ବିଗତ ୨୪ ଘଣ୍ଟା ମଧ୍ୟରେ ୬୬୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି । ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଲ୍ଲୀ ଜିଲ୍ଲାରୁ ଏହି ଗିରଫଦାରି ହୋଇଛି । ଏହି ସମୟରେ ପୁଲିସ ଅନେକ ଅସ୍ତ୍ରଶସ୍ତ୍ର, ଲକ୍ଷାଧିକ ଟଙ୍କା, ବେଆଇନ ମଦ, ଗଞ୍ଜେଇ, ଛୁରି, ମୋବାଇଲ୍, ବାଇକ୍ ଆଦି ଜବତ କରିଛି ।

ଦିଲ୍ଲୀ ପୁଲିସର ଯୁଗ୍ମ କମିଶନର ଏସ୍‌କେ  ଜୈନ୍‌ଙ୍କ ଅନୁସାରେ, ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଜିଲ୍ଲା ପୁଲିସ ପକ୍ଷରୁ ଏହି ମିଳିତ ଅପରେସନ୍ ଚଳାଯାଇଥିଲା ଯାହାକି ବେଶ୍ ସଫଳ ହୋଇଛି । ସଂଗଠିତ ଅପରାଧ ବିଶେଷ କରି ମାଦକ ଦ୍ରବ୍ୟ ଚାଲାଣକାରୀ, ବେଆଇନ ମଦ ବିକ୍ରେତା ଏବଂ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏହି ଅପରେସନ୍ର ଉଦ୍ଦେଶ୍ୟ ଥିଲା । ଅଭିଯାନକ୍ରମେ ୨୪ ଘଣ୍ଟା ଧରି ସମ୍ବେଦନଶୀଳ ଅଞ୍ଚଳରେ ସମନ୍ୱିତ ଯାଞ୍ଚ କରାଯାଇଥିଲା । ଏହି ସମୟରେ କେବଳ ଦକ୍ଷିଣ ପୂର୍ବ ଦିଲ୍ଲୀ ଜିଲ୍ଲାରୁ ୨୮୫ ଜଣ ଗିରଫ ହୋଇଥିଲେ । ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଆଇନ, ଅବକାରୀ ଆଇନ, ଏନ୍‌ଡିପିଏସ୍ ଆଇନ ଏବଂ ଜୁଆ ଆଇନକ୍ରମେ ଗିରଫ କରାଯାଇଥିଲା । ୨୮୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ଏହାଛଡ଼ା ଉପରୋକ୍ତ ଦୁଇ ଜିଲ୍ଲାରେ ୮୫୦ଜଣ ଅପରାଧୀଙ୍କୁ ଅଟକ ରଖାଯାଇଛି ।