ନୂଆଦିଲ୍ଲୀ, ୨୩।୨: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ ବୋମା ଆତଙ୍କ ଦେଖାଦେଇଛି । ସୋମବାର ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ଏବଂ ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଛି । ଏହି ଧମକ ଏକ ଖାଲିସ୍ତାନୀ ଗ୍ରୁପ୍ ନାଁରେ ପଠାଯାଇଛି, ଯାହା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଧମକ ମିଳିବା ମାତ୍ରେ ଦିଲ୍ଲୀ ବିଧାନସଭା ପରିସରରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁକୁର ସ୍ୱାଡ୍ ସମଗ୍ର ଅଞ୍ଚଳକୁ ଯାଞ୍ଚ କରିଛନ୍ତି । ଦିଲ୍ଲୀ ପୋଲିସ କହିଛି ଯେ, "ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ତଥାପି ସୁରକ୍ଷା ଦୃଷ୍ଟିରୁ ସାଇବର ସେଲ୍ ଏହି ଇ-ମେଲ୍ର ଉତ୍ସ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।"
ଏହା ବି ପଢ଼ନ୍ତୁ... ୪୮ ଘଣ୍ଟାରେ ଭୟଙ୍କର ଯୁଦ୍ଧ ! ପରିସ୍ଥିତି ଗମ୍ଭୀର, ତୁରନ୍ତ ଇରାନ୍ ଛାଡିବାକୁ ଭାରତୀୟ ନାଗରିକଙ୍କୁ ସତର୍କ କଲା ଭାରତୀୟ ଦୂତାବାସ
ନେତାଙ୍କୁ ମଧ୍ୟ ମିଳିଲା ମୃତ୍ୟୁ ଧମକ:
କେବଳ ସରକାରୀ ଅଟ୍ଟାଳିକା ନୁହେଁ, ବରଂ ଆପ୍ ନେତା ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ପାଣ୍ଡେଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ମିଳିଛି । ତାଙ୍କ ବ୍ୟକ୍ତିଗତ ଇ-ମେଲ୍ ଆଇଡିକୁ ଏକ ମେସେଜ୍ ଆସିଥିଲା, ଯାହା ବିଷୟରେ ସେ ସୋସିଆଲ ମିଡିଆରେ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି । ପୁଲିସକୁ ଏହି ମାମଲା ହସ୍ତାନ୍ତର କରାଯାଇଛି । କହିରଖୁ କି, ଆଜି ସକାଳେ ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଥିଲା । ଆର୍ମି ପବ୍ଲିକ୍ ସ୍କୁଲକୁ ସକାଳ ୮ଟା ୫୦ମିନିଟ୍ ରେ ଧମକ ଆସିବା ପରେ ସ୍କୁଲ ଖାଲି କରାଯାଇଥିଲା । ସେହିଭଳି ସକାଳ ୯ଟା ୩୬ମିନିଟ୍ ରେ ଏୟାରଫୋର୍ସ ବାଲ ଭାରତୀ ସ୍କୁଲକୁ ମଧ୍ୟ ସମାନ ଧମକ ଆସିଥିଲା ।ତେବେ ଉଭୟ ସ୍କୁଲରେ କୌଣସି ବିସ୍ଫୋରକ ମିଳିନଥିବାରୁ ଏହାକୁ 'ହୋକ୍ସ କଲ୍' ବା ମିଥ୍ୟା ଧମକ ବୋଲି ଘୋଷଣା କରାଯାଇଛି ।
ଦେଢ଼ ବର୍ଷରେ ୫୦ରୁ ଅଧିକ ଧମକ:
ଦିଲ୍ଲୀରେ ଏଭଳି ଘଟଣା ନୂଆ ନୁହେଁ । ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଥର ବିଭିନ୍ନ ସ୍କୁଲ, କଲେଜ ଓ ସରକାରୀ ପ୍ରତିଷ୍ଠାନକୁ ଏଭଳି ଇ-ମେଲ୍ ମିଳିସାରିଛି ।
୧୩ ଫେବ୍ରୁଆରୀ: ସର୍ଦାର ପଟେଲ ବିଦ୍ୟାଳୟ ସମେତ ଡଜନେ ସ୍କୁଲକୁ ଧମକ ମିଳିଥିଲା
୯ ଫେବ୍ରୁଆରୀ: ପ୍ରାୟ ୧୨ଟି ସ୍କୁଲକୁ ସମାନ ଧରଣର ମେଲ୍ ଆସିଥିଲା
୨୯ ଜାନୁଆରୀ: ଭିପିଏନ୍ (VPN) ଜରିଆରେ ୮ଟି ସ୍କୁଲକୁ ଧମକ ଦିଆଯାଇଥିଲା
ଦିଲ୍ଲୀ ପୁଲିସ ପାଇଁ ଏବେ ଏହି ଧମକପୂର୍ଣ୍ଣ ମେଲ୍ ପଠାଉଥିବା ମାଷ୍ଟରମାଇଣ୍ଡକୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।