ନୂଆଦିଲ୍ଲୀ : ଦିଲ୍ଲୀରେ ଗତ ସୋମବାର (୧୦ ନଭେମ୍ୱର)ରେ ଲାଲ୍ କିଲ୍ଲା ନିକଟରେ ହୋଇଥିବା ଜୋରଦାର ବିସ୍ଫୋରଣକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ସୂତ୍ରର କହିବାନୁସାରେ, ଜୈସ୍ ସହ ଜଡ଼ିତ ଆତ୍ମଘାତୀ ବିସ୍ଫୋରଣକାରୀ ଡାକ୍ତର ଉମର ଉନ ନବୀ ସମ୍ଭବତଃ ‘ଜୋତା ବୋମା’ର ବ୍ୟବହାର କରି ସେ ବିସ୍ଫୋରଣ କରିଥିଲା , ଯେଉଁଥିରେ ଏବେସୁଦ୍ଧା ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ପାଖାପାଖି ୨୦ ଜଣ ଲୋକେ ଆହତ ହୋଇଛନ୍ତି।
କିଛି ମିଡ଼ିଆ ରିପୋର୍ଟ୍ସର ସୂତ୍ରାନୁସାରେ କୁହାଯାଇଛି ଯେ, ବିସ୍ଫୋରଣ ସ୍ଥାନରୁ ମିଳିଥିବା ଜିନିଷ ଓ ସଂଗ୍ରହ କରାଯାଇ ଥିବା ପ୍ରମାଣରେ ଗୋଟିଏ ଜୋତା ଉପରେ ତଦନ୍ତକାରୀଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିଲା, ଯାହା ଉମରର କାର ଆଇ-୨୦ରୁ ଜବତ କରାଯାଇ ଥିଲା। ଏଥିରେ ଖୁବ୍ ବିପଜ୍ଜନକ ବିସ୍ଫୋରକ ଟିଏଟିପିର ଚିହ୍ନ ମିଳିଛି, ଯାହାକୁ ‘ସୈତାନର ମାଆ’ ମଧ୍ୟ କୁହାଯାଏ।
ଟିଏଟିପି ଖୁବ୍ ସମ୍ୱେଦନଶୀଳ ହୋଇଥାଏ , ଯାହାକୁ ହାଲୁକା ଘର୍ଷଣ କଲେ କିମ୍ୱା ଗରମରେ ଫାଟି ଯାଇପାରେ। ଏଥିପାଇଁ ଏହାକୁ ମଦର ଅଫ୍ ସଟନ କିମ୍ୱା ସୈତାନର ମାଆ ମଧ୍ୟ କୁହାଯାଏ। ଟିଏଟିପିର ଚିହ୍ନ ଉମରର ଜୋତା କିମ୍ୱା ଟାୟରରୁ ମିଳିଛି। କୁହାଯାଏ ଯେ ପ୍ରାଣଘାତୀ ଆକ୍ରମଣକାରୀ କରୁଥିବା ଡାକ୍ତର ଉମର ଗାଡ଼ିରେ ରଖିଥିବା ବିସ୍ଫୋରକକୁ ଉଡ଼ାଇବା ପାଇଁ ଜୋତାରେ ଟିଏଟିପିକୁ ରଖି ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇଥିବ।
ବିସ୍ଫୋରଣର ଯାଞ୍ଚ କରୁଥିବା ଟିମ୍ ଗୁଡ଼ିକ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଜୈଶ୍ର ଆତଙ୍କୀମାନେ ବଡ଼ ଆକ୍ରମଣ ପାଇଁ ବହୁ ମାତ୍ରାରେ ଟିଏଟିପି ଜମା କରି ରଖି ଥିଲା ଏବଂ ଲାଲ୍ କିଲ୍ଲା ବିସ୍ଫୋରଣରେ ଟିଏଟିପି ଓ ଆମୋନିୟମ ନାଇଟ୍ରେଟ୍ର ମିଶ୍ରଣ ବ୍ୟବହାର କରାଯାଇ ଥିଲା। ବିସ୍ଫୋରଣ ପୂର୍ବରୁ ଫରିଦାବାଦରେ ଦୁଇ ଜଣ ଆତଙ୍କୀ ଡାକ୍ତରଙ୍କ ଆଡ୍ଡା ଠାରୁ ପାଖାପାଖି ୨୯୦୦କିଲୋ ଆମୋନିୟମ ନାଇଟ୍ରେଟ୍ ଜବତ କରାଯାଇ ଥିଲା।
ରାଷ୍ଟ୍ରୀୟ ରାଜଧାନୀରେ ୧୦ ନଭେମ୍ୱରରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରକରେ ଲୋଡିଂ ଏକ କାର୍ରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଲାଲ୍ କିଲ୍ଲା ପାଖରେ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇ ଥିବା କାର୍କୁ ଜମ୍ମୁ କାଶ୍ମୀରର ପୁଲୱାମାର ଡାକ୍ତର ଉମର ନବୀ ଚଲାଉ ଥିଲା। ଉମର ‘ହ୍ୱାଇଟ୍ କଲର’ ମଡ୍ୟୁଲର ଜଣେ ଆତଙ୍କୀ ଥିଲା , ଯାହାର ପର୍ଦ୍ଦାଫାସ୍ ମୁଖ୍ୟ ରୂପେ ହରିଆଣାର ଫରିଦାବାଦରୁ ବିସ୍ଫୋରକର ଜବତ ପରେ ହୋଇଥିଲା। ମଡ୍ୟୁଲର କିଛି ଆତଙ୍କୀଙ୍କ ଗିରଫଦାରୀ ପରେ ଉମର ନିଜ କାରରୁ ବିସ୍ଫୋରକ ନେଇ ବାହାରି ଥିଲା ଏବଂ ଲାଲ୍ କିଲ୍ଲା ପାଖରେ ସଡ଼କ ମଝିରେ ସେ ଏହି ବିସ୍ଫୋରଣ ଘଟାଇ ଥିଲା।