ଭୁବନେଶ୍ୱର,୧୩/୦୬: ରେଡ଼କ୍ରସ-ନିକୋ ପାର୍କ ରାସ୍ତାରେ ଦୁର୍ବୁତ୍ତମାନେ ଆତଙ୍କ ଖେଳାଇଛନ୍ତି । ଜଣେ ଡେଲିଭରି ବୟଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ଡେଲିଭରି ବଏ ଜଣଙ୍କ ଆକ୍ରମଣରେ ଗୁରୁତର ଆହତ ହେଇଛନ୍ତି । ସେହିପରି କାର୍ଗିଲ ବସ୍ତିରେ ସାମାନ୍ୟ ବାଚସାରୁ ଜଣେ ପଡୋଶୀ ୨ ଭାଇଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରି ପକାଇଛି ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟାରେ ଅର୍ଡର ମୁତାବକ ଡାଲମା ହୋଟେଲ ନିକଟ ଏକ ଘରକୁ ଖାଦ୍ୟ ଡେଲିଭରି ଦେବାକୁ ଜଣେ ଯୁବକ ଯାଇଥିଲେ । ୨ଟା ବାଇକ୍ରେ ୫ଜଣ ଦୁର୍ବୁତ୍ତ ସେହି ରାସ୍ତାରେ ଉତ୍ପାତ କରୁଥିଲେ । ରାସ୍ତାରେ ଯାଉଥିବା ଗାଡ଼ିଚାଳକଙ୍କୁ ଅଟକାଇ ଗାଳି ଗୁଲଜ କରୁଥିଲେ । ଡେଲିଭରି ବଏ ଜଣକ ସେହି ରାସ୍ତାରେ ଫେରିବା ବେଳେ ଦୁର୍ବୁତ୍ତଙ୍କ ହାବୁଡ଼ରେ ପଡିଗଲେ । ଦୁର୍ବୁତ୍ତମାନେ ସଂଘବଦ୍ଧ ହେଇ ତାଙ୍କ ଉପରକୁ ଝାମ୍ପି ପଡ଼ିଲେ । ସେମାନେ ପ୍ରଥମେ ଡେଲିଭରି ବୟଙ୍କ ବାଇକ୍କୁ ଛଡାଇ ନେଲେ । ଡେଲିଭରି ବୟ ଜଣକ ଭୟରେ ଧାଇଁବାକୁ ଲାଗିଲେ । ଦୁର୍ବୁତ୍ତମାନେ ତାଙ୍କୁ ରାସ୍ତାରେ ଗୋଡ଼ଇବା ସହ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ । ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ଖାରବେଳନଗର ଥାନା ଅଧିକାରୀ ଦେବେନ୍ଦ୍ର ପୃଷ୍ଟି ଏହା ଦେଖି ଡେଲିଭରି ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଘଟଣାସ୍ଥଳରୁ ଦୁଇଜଣ ଦୁର୍ବୁତ୍ତଙ୍କୁ ପୁଲିସ କାବୁ କରିଛି । ଫେରାର ୩ ଜଣଙ୍କୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଛି ।
ଅଧିକ ପଢ଼ନ୍ତୁ :- କ୍ୟାବିନେଟ୍ରେ ୮ଟି ପ୍ରସ୍ତାବରେ ମୋହର : ପ୍ରସ୍ତୁତ ହେବ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା, ଗ୍ରାମୀଣ ପରିବାରକୁ ୧୨୫ ଦିନର କାମ ଗ୍ୟାରେଣ୍ଟି
ସେହିପରି ରାତିରେ ଅନ୍ୟ ଏକ ଘଟଣାରେ ଏୟାରପୋର୍ଟ ଥାନା ଅଧୀନ କାର୍ଗିଲ ବସ୍ତିରେ ରାତି ସାଢ଼େ ୧୧ଟା ବେଳେ ୨ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଇଛି । ଆକ୍ରମଣରେ ଗଗନ ବେହେରା ଓ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି । ଗଗନଙ୍କ ମୁଣ୍ଡ ସମେତ ଶରୀରର ଏକାଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି । ଏୟାରପୋର୍ଟ ଥାନା ପୁଲିସ ଆକ୍ରମଣ କରିଥିବା ସାରଙ୍ଗ ବେହେରା ନାମକ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି । ସେ କାହିଁକି ଆକ୍ରମଣ କଲେ, ସେନେଇ ପୁଲିସ ତନାଘନା କରୁଛି ।