- ବିଡିଏ ଟାଉନ ପ୍ଲାନିଂ ଅଞ୍ଚଳରେ ୧୭୫ କୋଟିର ଭୂତଳ ସ୍ୱେରେଜ
- ଆସିବ ଓଡ଼ିଶା ହସ୍ତଶିଳ୍ପ ଅମଲା ସେବା ନିୟମାବଳୀ
- ବନ୍ଦ ସମବାୟ ସୂତାକଳର ବକେୟା ସୁଝି ଅନ୍ୟ ଶିଳ୍ପ ହେବ
- ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀର ସଂଶୋଧନ
ଭୁବନେଶ୍ୱର, ୧୩/୦୬ : ଏବେ ରାଜ୍ୟରେ ଅନେକ ସ୍ଥାନର ସରକାରୀ ରେକର୍ଡରେ ବିକୃତ ବନାନ ବ୍ୟବହାର ହେଉଥିବା ବେଳେ ତାହାକୁ ସଂଶୋଧନ କରାଯିବ । ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନକୁ ଚୂଡାନ୍ତ କରି ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର କରାଯିବ । କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଅବଗତ କରାଯିବ । ଏହାସହ ସର୍ଭେ ଅଫ୍ ଇଣ୍ଡିଆ, ଭାରତୀୟ ରେଳବାଇ, ଡାକ ବିଭାଗ, ରେଜିଷ୍ଟ୍ରାର ଜେନେରାଲ, ଜନଗଣନା କମିଶନରଙ୍କ ସମେତ କେନ୍ଦ୍ରୀୟ ସଂସ୍ଥାଗୁଡିକୁ ନିଜର ସରକାରୀ ରେକର୍ଡରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରାଯିବ । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି ।
ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଦିନସାରା ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାତି ୯ଟାରେ ୪୨ତମ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାତି ସାଢ଼େ ୧୧ଟାରେ ବୈଠକ ସରିବା ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ଯେ ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ୍ (ଗ୍ରାମୀଣ) ଅଧିନିୟମ (ବିଭିଜୀ-ରାମଜୀ) ଭଳି ରାଜ୍ୟରେ ବିଭିଜୀ-ରାମଜୀ-ଓଡ଼ିଶାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏହି ଯୋଜନାରେ ରାଜ୍ୟରେ ଗ୍ରାମୀଣ ଜୀବିକାକୁ ସୃଦୃଢ କରାଯିବ । ପ୍ରତି ଯୋଗ୍ୟ ଗ୍ରାମୀଣ ପରିବାରକୁ ବର୍ଷରେ ୧୨୫ ଦିନର କର୍ମନିଯୁକ୍ତି ଗ୍ୟାରେଣ୍ଟି ଦିଆଯିବ । ଗ୍ରାମାଞ୍ଚଳରେ ବିଶେଷ କରି ଜଳସୁରକ୍ଷା, ମୌଳିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି ଓ ଚରମ ପାଣିପାଗ ପରିସ୍ଥିତିର ପ୍ରଶମନ ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ହେବ । ଗ୍ରାମୀଣ ବିକାଶ ସୁନିଶ୍ଚିତ କରିବା ପାଇଁ ସହଭାଗୀ ତଥା ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପ୍ରଣାଳୀ ମାଧ୍ୟମରେ ‘ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା’ ପ୍ରସ୍ତୁତି କରାଯିବ । ଏ ବାବଦରେ ୫୫୭୫ କୋଟି ଖର୍ଚ୍ଚ ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ଏ ନେଇ ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇବେ । ଏହି ଯୋଜନା ଆସନ୍ତା ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ।
ସେହିପରି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଟାଉନ ପ୍ଲାନିଂ ଅଞ୍ଚଳ (ଟିପି-୧, ୨,୩) ପାଇଁ ଭୂତଳ ସ୍ୱେରେଜ ବିଛାଇବ ୱାଟକୋ । ୧୭୫ କୋଟି ଟଙ୍କା ବ୍ୟୟରେ ଏହି ସ୍ୱେରେଜ ପ୍ରକଳ୍ପ ହେବ । ଏଥିପାଇଁ କ୍ୟାବିନେଟ ବୈଠକରେ ଟେଣ୍ଡରକୁ ଅନୁମୋଦନ ମିଳିଛି । ‘ଓଡ଼ିଶା ହସ୍ତଶିଳ୍ପ ଅମଲା ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୨୬ ପ୍ରଣୟନ କରାଯିବ । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ଯାହା ଦ୍ୱାରା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ହସ୍ତଶିଳ୍ପ ଅମଲା ସେବାର ବିଭିନ୍ନ ପଦବିରେ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରିତ କରିହେବ । ଏହି ପ୍ରସ୍ତାବକୁ ଜିଏ ଏବଂ ଅର୍ଥ ବିଭାଗ ଦ୍ୱାରା ସମ୍ମତି ଦିଆଯାଇଛି । ଆଇନ ବିଭାଗ ଦ୍ୱାରା ବିଧିସମ୍ମତ ଯାଞ୍ଚ କରାଯାଇଛି । ନିୟମାବଳୀର ମୂଳ ଉଦ୍ଦେଶ୍ୟ ହେଉଛି ହସ୍ତଶିଳ୍ପ କ୍ଷେତ୍ରର କାର୍ଯ୍ୟକ୍ଷମ ପରିଚାଳନା ଓ ଅମଲା କର୍ମଚାରୀଙ୍କ ବୃତ୍ତିଗତ ଉନ୍ନତି ମଧ୍ୟରେ ସମନ୍ୱୟ ସ୍ଥାପନ କରିବା । ଏହା ଲାଗୁ ହେଲେ ଶାସନ ପ୍ରକ୍ରିୟାକୁ ଆହୁରି ସୁସଂଗଠିତ କରିବା ସହିତ ପ୍ରଶାସନିକ କ୍ଷମତା ବୃଦ୍ଧି, ନୀତିଗତ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଅଧିକ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଗଠନରେ ସହାୟକ ହେବ । ରାଜ୍ୟରେ ବନ୍ଦ ହୋଇଥିବା ସମବାୟ ସୂତାକଳ, କଳତନ୍ତ ୟୁନିଟ୍ ଏବଂ ସାଇଜିଂ ୟୁନିଟର ବକେୟା ଦେୟ ପରିଶୋଧ କରାଯିବ । ପରେ ସେହି ଜମିରେ ଅନ୍ୟ ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ । ୨୬୧.୨ ଏକର ଜମିରେ ଥିବା ସମବାୟ ସୂତାକଳ, କଳତନ୍ତ ୟୁନିଟ୍ ଏବଂ ସାଇଜିଂ ୟୁନିଟର ବକେୟା ଦେୟ ୩୬୧.୬୭ କୋଟି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଅନୁମୋଦନ କରାଯାଇଛି । ଏହା ସହିତ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ସଂଶୋଧନ କରାଯାଇଛି । ଓଡ଼ିଶା ରାଜ୍ୟ ବିଧି ଆୟୋଗର ଅଣ-ସରକାରୀ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ପାରିତୋଷିକ ବୃଦ୍ଧି ସମ୍ପର୍କିତ ଧାରା୧୬ରେ ସଂଶୋଧନ କରାଯାଇଛି । ପିଏମ ସ୍ୱନିଧି ଯୋଜନାରେ ଷ୍ଟାମ୍ପ୍ ଡ୍ୟୁଟିକୁ ଛାଡ଼ କରାଯାଇଛି।
ଆହୁରି ପଢନ୍ତୁ- ଜୁନ୍ ୧୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ସାମ୍ବାଦିକଙ୍କ ପେନସନକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ...