ଦାରିଙ୍ଗବାଡି,୪।୩ : ଲକ୍ଷ୍ମୀ ବସ୍ ଚଳାଚଳ ହେବା ପରେ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରିଛି ବସ ସେବା । ଲୋକେ ସହଜରେ ଉପାନ୍ତ ଅଞ୍ଚଳରୁ ବ୍ଲକ ହେଡ୍ କ୍ଵାଟର ହେଉ ଅବା ମେଡ଼ିକାଲ କିମ୍ବା ଅନ୍ୟ କାମରେ ସହରକୁ ଯାତାୟତ କରିପାରୁଛନ୍ତି । ଫଳରେ ଲୋକେ ଅନେକ ସୁବିଧା ସୁଯୋଗ ପାଉଛନ୍ତି । ହେଲେ ବର୍ତ୍ତମାନ ବସ୍ ଚଳାଚଳ ସମୟରେ ପରିବର୍ତ୍ତନ  ହୋଇଥିବା ନେଇ ସୂଚନା ରହିଛି।  ଏଥି ଯୋଗୁଁ ଲୋକେ ଆଗକୁ ବହୁ ସମସ୍ୟା ସମ୍ମୁଖୀନ ହେବା  ଆଶଙ୍କା ପ୍ରକାଶ କରି ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଓ ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ ଦାରିଙ୍ଗବାଡି ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । 

ସୂଚନା ମୁତାବକ ଉପାନ୍ତ ପଞ୍ଚାୟତ ଭାବେ ଜଣାଶୁଣା ଦନେକବାଡ଼ି ପଞ୍ଚାୟତ ଓ ସିର୍କାବର୍ଗ ପଞ୍ଚାୟତ ନିମନ୍ତେ ଗୋଟିଏ ଲକ୍ଷ୍ମୀ ବସ ଚଳାଚଳ ହେଉଛି । ଦିନ କୁ ୪ ଥର ବସ୍ ଚଳାଚଳ କରୁଅଛି  । ଦାରିଙ୍ଗବାଡି ଠାରୁ ସକାଳ ୬ ଟା,୯ ଟା, ସାଢେ ୧୨ ଟା ଓ ସାଢେ ୩ ଟା ସମୟରେ  ସିର୍କାବର୍ଗକୁ ଯାଉଛି । ହେଲେ ୪ ଥର ମଧ୍ୟରୁ ବର୍ତ୍ତମାନ ୨ ଥର ଯିବା ପାଇଁ ସମୟରେ ପରିବର୍ତ୍ତନ କରାଯାଇଥିବା ସୂଚନା ରହିଥିବା ବେଳେ ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ । ଫଳରେ ୨ ଟି ପଞ୍ଚାୟତର ଲୋକେ ଓ କୋଟଗୋଡ଼ ବ୍ଲକର କିଛି ପଞ୍ଚାୟତ ଲୋକେ ଠିକ୍ ଭାବେ ଯାତାୟତ କରିପାରିବେ ନାହିଁ । 

ଦାରିଙ୍ଗବାଡି ଠାରୁ ଦନେକବାଡ଼ି ୧୦ କିଲୋମିଟର ଦୂରରେ ହୋଇଥିବା ବେଳେ ସିର୍କାବର୍ଗ ପଞ୍ଚାୟତ ୨୫ କିଲୋ ମିଟର ଦୂରରେ ଅବସ୍ଥିତ । ଏହି ଦୁଇ ପଞ୍ଚାୟତ ପାଇଁ ଲକ୍ଷ୍ମୀ ବସ୍ କୁ ଛାଡି ଦେଲେ କୌଣସି ବସ ଚଳାଚଳ କରୁ ନାହିଁ । ଫଳରେ ଲୋକେ ଗୋଟିଏ ଲକ୍ଷ୍ମୀ ବସ୍ ଉପରେ ନିର୍ଭର କରି ଯାତାୟତ କରୁଛନ୍ତି। ଯଦି ୪ ଥର ପରିବର୍ତ୍ତେ ୨ ଥର ବସ ଯାଏ ତାହାଲେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସିର୍କାବର୍ଗ ସରପଞ୍ଚ ଓ ଦନେକବାଡ଼ି ସରପଞ୍ଚ ଅଭିଯୋଗ କରିଛନ୍ତି । ଏଣୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ,ଲକ୍ଷ୍ମୀ ବସ୍ ସେବା ଦାଇତ୍ୱରେ ରହିଥିବା ଜିଲ୍ଲା ଅଧିକାରୀ ଓ ଆଞ୍ଚଳିକ ପରିବହନ ବିଭାଗ ଦୃଷ୍ଟି ଦେଇ ବର୍ତ୍ତମାନ ଯେଉଁ ଭଳି ଭାବେ ୪ ଥର ଗାଡ଼ି ଚଳାଚଳ କରୁଛି ସେହି ସମୟକୁ ଅପରିବର୍ତ୍ତିତ ରଖିବା ପାଇଁ ସରପଞ୍ଚଙ୍କ ସମେତ ୨ ପଞ୍ଚାୟତବାସୀ ଦାବି କରିଛନ୍ତି ।