ବୌଦ୍ଧ,୩୦।୮(ଆପ୍ର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗୋଛା ପଞ୍ଚାୟତର ମାଝିପଡା ଗ୍ରାମର ରମେଶ ଜଗଦଲା (୪୦) ଦାଦନ ଶ୍ରମିକ ଭାବରେ ତାମିଲନାଡୁରେ କାର୍ଯ୍ୟରତ ବେଳେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଗାଁକୁ ଆଣିବାକୁ ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ରମେଶ ଜଗଦଲା (୪୦) ଦାଦନ ଶ୍ରମିକ ଭାବେ ତାମିଲନାଡୁରେ ରାଜ୍ୟର ଏରୋଡ ଜିଲ୍ଲା ଅଧୀନସ୍ଥ  ଚିନିମେଲାଇ ଥାନାର  ଏଙ୍ଗର ଶିବକୋଟ ଏରିୟା ଗ୍ରାମର  ଏକ ପ୍ଲାଷ୍ଟିକ କମ୍ପାନୀ ରେ କାର୍ଯ୍ୟ କରୁଥିଲେ ।  କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ସେ ହଠାତ  ଚେତାଶୁନ୍ୟ ହୋଇ  ପଡିଗଲେ । ଅଚେତ୍ ଅବସ୍ଥାରେ ତାଙ୍କ ସହିତ କାମ କରୁଥିବା ଶ୍ରମିକମାନେ ମେଡିକାଲ କୁ ନେଇଥିଲେ   ଏବଂ  ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ ।  ମୃତ ଦାଦନ ଶ୍ରମିକଙ୍କ ଧର୍ମ ପତ୍ନୀ  ମହେନ୍ଦ୍ରୀ ଜଗଦଲା ସହିତ ଚାରୋଟି ପୁଅ ଝିଅ ଅତି ଦୁଃଖ କଷ୍ଟରେ ତାଙ୍କରି ଅପେକ୍ଷାରେ  ଅଛନ୍ତି । ଉକ୍ତ ଶ୍ରମିକ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ମୃତ ଶ୍ରମିକ ରମେଶଙ୍କ ଶବକୁ ତାମିଲନାଡୁରୁ ଜନ୍ମମାଟି ବୌଦ୍ଧକୁ ଫେରାଇ ଆଣିବାକୁ ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଜିଲ୍ଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି ।