କୋଲକାତା, ୨୯।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (TMC) ର ଶୋଚନୀୟ ପରାଜୟ ପରେ ଦଳ ଭିତରେ ଆରମ୍ଭ ହୋଇଯାଇଛି ବଡ଼ ଧରଣର ଗୃହଯୁଦ୍ଧ । ଦୀର୍ଘ ଦିନର ଅସନ୍ତୋଷ ଏବେ ସର୍ବସାଧାରଣରେ ବିସ୍ଫୋରଣ ରୂପ ନେଇଛି । ଦଳର ଶୀର୍ଷ ନେତୃତ୍ୱ ଅର୍ଥାତ୍ ମୁଖ୍ୟ ମମତା ବାନାର୍ଜୀ ଏବଂ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ନେତୃତ୍ୱ ପଦରୁ ହଟାଇବା ପାଇଁ ଏବେ ଦଳ ଭିତରୁ ହିଁ ସ୍ୱର ଉଠିବାରେ ଲାଗିଛି । ସାଂସଦ କାକଲୀ ଘୋଷ ଦସ୍ତିଦାର, ପ୍ରଶନ୍ନ ସାଂସଦ ଡାକ୍ତର ଶାନ୍ତନୁ ସେନ, ଜବାହର ସରକାର, ଅରୂପ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତ ଘୋଷଙ୍କ ଭଳି ବଡ଼ ବଡ଼ ନେତାମାନେ ଗତ ଦୁଇ ଦିନ ମଧ୍ୟରେ ଦଳୀୟ ଦାୟିତ୍ୱ ଛାଡ଼ି ଗଣମାଧ୍ୟମରେ ଖୋଲାଖୋଲି ବୟାନବାଜି ଆରମ୍ଭ କରିଛନ୍ତି । ଏହି କ୍ରମରେ କୋଲକାତା ମହାନଗର ନିଗମର ଟିଏମସି କାଉନସିଲର ତଥା ମେୟର ପରିଷଦର ସଦସ୍ୟ ତାରକ ସିଂହ ସିଧାସଳଖ ଦଳର ସର୍ବୋଚ୍ଚ ନେତୃତ୍ୱ ବଦଳାଇବାକୁ ଦାବି କରି ଦଳ ମଧ୍ୟରେ ଚାଲିଥିବା ଅସ୍ଥିରତାକୁ ଆହୁରି ବଢ଼ାଇ ଦେଇଛନ୍ତି ।

ମମତା ବାନାର୍ଜୀଙ୍କୁ ବଦଳାଯାଉ ? ନେତା କହିଲେ- ‘ହଁ, ବିଲକୁଲ୍’

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଯେତେବେଳେ ତାରକ ସିଂହଙ୍କୁ ପଚରାଗଲା ଯେ ସେ କ’ଣ ଦଳର ଶୀର୍ଷ ନେତୃତ୍ୱ ବଦଳାଇବାକୁ ଚାହୁଁଛନ୍ତି ? ଏହାର ଉତ୍ତରରେ ସେ ସ୍ପଷ୍ଟ ଭାବେ କହିଛନ୍ତି, "ଆମେ ତାଙ୍କୁ ବଦଳାଇବାକୁ ଚାହୁଁଛୁ ଯିଏ ଦଳକୁ ଚଲାଉଛନ୍ତି ।" ଯେତେବେଳେ ପ୍ରଶ୍ନ ହେଲା ଯେ ଆପଣଙ୍କ ଇଶାରା କ’ଣ ମମତା ବାନାର୍ଜୀଙ୍କ ଆଡ଼କୁ ? ସେ ଅତି ସ୍ପଷ୍ଟ ଭାବେ କହିଥିଲେ, "ହଁ, ବିଲକୁଲ୍, ଆମେ ତାଙ୍କୁ ହିଁ ବଦଳାଇବାକୁ ଚାହୁଁଛୁ ।" ସେ ଏତିକିରେ ଅଟକି ନଥିଲେ, ବରଂ ପରିବାରବାଦ ଉପରେ ପ୍ରହାର କରି କହିଛନ୍ତି, "ତୃଣମୂଳ କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ । ଆମେ ନେତୃତ୍ୱରେ ପରିବର୍ତ୍ତନ ଚାହୁଁଛୁ ଏବଂ ମୁଁ ଏହା ଖୋଲାଖୋଲି ଭାବେ କହୁଛି ।"

ଅଭିଷେକ ବାନାର୍ଜୀଙ୍କ ଉପରେ ତୀଖା ପ୍ରହାର: ‘ପୁଅ କ୍ରିମିନାଲ୍ ହେଲେ ରାଜ କରିବିନି’

ତାରକ ସିଂହ ବିନା ନାମ ନେଇ ମମତା ବାନାର୍ଜୀଙ୍କ ପୁତୁରା ତଥା ଦଳର ଦ୍ୱିତୀୟ ସର୍ବୋଚ୍ଚ ନେତା ଅଭିଷେକ ବାନାର୍ଜୀଙ୍କ ଉପରେ ମଧ୍ୟ ଗୁରୁତର ଆରୋପ ଲଗାଇଛନ୍ତି । ସେ କହିଛନ୍ତି, "ଯଦି ମୋ ପୁଅ ଅପରାଧୀ ହୁଏ, ତେବେ ମୁଁ କେବେ ହେଲେ ଶାସନ ଗାଦିରେ ବସିବି ନାହିଁ କି ରାଜ କରିବି ନାହିଁ ।" ଅନ୍ୟପଟେ ଟିଏମସି ନେତା ବିଶ୍ୱଜିତ୍ ଦେବ ମଧ୍ୟ ନିର୍ବାଚନରେ ପରାଜୟ ଏବଂ ବ୍ୟାପକ ଦୁର୍ନୀତି ମାମଲାକୁ ନେଇ ସିଧାସଳଖ ମମତା ଓ ଅଭିଷେକଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, "ମମତା ଏବଂ ଅଭିଷେକଙ୍କ ଅଜାଣତରେ ଦଳର ନେତାମାନେ ଏତେ ବଡ଼ ସ୍ତରର ଦୁର୍ନୀତି କରିବା କଦାପି ସମ୍ଭବ ନୁହେଁ ।"

ଦଳରେ ପଦବୀ ଛାଡ଼ିବାର ଲାଗିଛି ହୋଡ୍:

ପରାଜୟ ପରେ ଦଳୀୟ କର୍ମକର୍ତ୍ତା ଓ ନେତାଙ୍କ ମଧ୍ୟରେ ଥିବା କ୍ରୋଧ ଏବେ ଇସ୍ତଫା ଆକାରରେ ବାହାରକୁ ଆସୁଛି । ବୁଧବାର ଦିନ ଟିଏମସି କାଉନସିଲର ସୁଶାନ୍ତ ଘୋଷ ବରୋ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି, "ମୁଁ ତୃଣମୂଳ କଂଗ୍ରେସ ଉପରେ ସମ୍ପୂର୍ଣ୍ଣ ନିରାଶ । ମନେହେଉଛି ଦଳ ନିଜର ଦିଗ ହରାଇ ବସିଛି ।" ସେହିଦିନ ହିଁ ଅନ୍ୟ ଜଣେ ନେତା ଅରୂପ ଚକ୍ରବର୍ତ୍ତୀ ମ୍ୟୁନିସିପାଲ ଆକାଉଣ୍ଟସ୍ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇ କ୍ଷୋଭ ପ୍ରକାଶ କରିଛନ୍ତି, "ଦଳର ନେତୃତ୍ୱ କେଉଁଠି ଅଛି ? ମମତା ବାନାର୍ଜୀ ପୂର୍ବରୁ ଯେଉଁଭଳି ନେତୃତ୍ୱ ଦେଉଥିଲେ, ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ ।"

ପ୍ରକାଶ ଥାଉ କି, ପ୍ରଖ୍ୟାତ ନେତା ତଥା ପ୍ରକାଶକ ଶାନ୍ତନୁ ସେନ ମଧ୍ୟ ନିଜକୁ ବାଗୀ ବା ବିଦ୍ରୋହୀ ତାଲିକାରେ ସାମିଲ କରି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି, "ବେଙ୍ଗଲର ଜନସାଧାରଣ ନିର୍ବାଚନ ଫଳାଫଳ ଜରିଆରେ ସ୍ପଷ୍ଟ କରିଦେଇଛନ୍ତି ଯେ ଚାକିରି ଦୁର୍ନୀତି, ଆର.ଜି. କର ମେଡିକାଲ ସ୍କାଣ୍ଡାଲ ଏବଂ ଅଭୟା କାଣ୍ଡ ଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ବିରୋଧରେ ଜନତା ସେମାନଙ୍କର ରାୟ ଶୁଣାଇଛନ୍ତି ।"

ସାଂସଦ କଲ୍ୟାଣ ବାନାର୍ଜୀ ଓ କାକଲୀ ଘୋଷଙ୍କ ମଧ୍ୟରେ ତୀବ୍ର ଲଢ଼େଇ:

ଦଳର ଅନ୍ତର୍ଦ୍ବନ୍ଦ୍ବ ଏତିକିରେ ସୀମିତ ନାହିଁ, ବରଂ ଦୁଇ ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ ଏବଂ କାକଲୀ ଘୋଷ ଦସ୍ତିଦାରଙ୍କ ମଧ୍ୟରେ ବିବାଦ ସଂସଦ ଗୃହ ପର୍ଯ୍ୟନ୍ତ ପହଞ୍ଚିଛି । କାକଲୀ ଘୋଷ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ଗୁରୁତର ମହିଳା ବିରୋଧୀ ମାନସିକତା ପ୍ରଦର୍ଶନର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଜଣେ ପୁରୁଷ ସାଂସଦ ଜଣେ ମହିଳା ସାଂସଦଙ୍କୁ ସଂସଦରେ ପୁରୁଷତାନ୍ତ୍ରିକ ଆକ୍ରୋଶମୂଳକ ବ୍ୟବହାର ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ।" ଏହାର ଜବାବରେ କଲ୍ୟାଣ ବାନାର୍ଜୀ କହିଛନ୍ତି, "ମୁଁ ତାଙ୍କୁ କେତେବେଳେ କ’ଣ କହିଲି? ସଂସଦରେ ତ ତାଙ୍କର ଉପସ୍ଥିତି ସବୁଠାରୁ କମ୍ ରହେ, ସେ ତ ଗୃହରେ ପ୍ରାୟ ଦେଖାଯାନ୍ତି ନାହିଁ, ତେବେ ମୁଁ କେଉଁଠି କହିଲି ?" ଗୋଟେପଟେ ନିର୍ବାଚନରେ ପରାଜୟର ଶୋକ, ଅନ୍ୟପଟେ କ୍ରମାଗତ ଇସ୍ତଫା ଏବଂ ବରିଷ୍ଠ ନେତାମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ରାଜନୀତି ତୃଣମୂଳ କଂଗ୍ରେସକୁ ଏକ ବଡ଼ ସଙ୍କଟ ଆଡ଼କୁ ଠେଲି ଦେଇଛି । ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଆଗାମୀ ଦିନରେ ଏହି ଅନ୍ତର୍ବିଦ୍ରୋହ ଟିଏମସିକୁ ସମ୍ପୂର୍ଣ୍ଣ ଭାବେ ଦୁଇ ଭାଗରେ ବିଭକ୍ତ କରିଦେବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ... ​​​​​​​NEET UG Retest: ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବ ବାୟୁସେନା ! ରି-ନିଟ୍ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି