ଗୋପାଳପୁର, ୧୩/୬ : ଗୋପାଳପୁର ସମୁଦ୍ର କୂଳରେ ଥିବା ଝୁପୁଡ଼ି ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। ଏନଏସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ଲୋକମାନେ ବସ୍ତି ଛାଡ଼ୁ ନଥିଲେ। ତେଣୁ ଆଜି ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ କରାଯାଉଛି।
ସୂଚନାନୁଯାୟୀ, ଦୀର୍ଘ ବର୍ଷ ଧରି ଗୋପାଳପୁର ସମୁଦ୍ର କୂଳରେ ୪୩ ପରିବାର ଝୁପୁଡ଼ି ବସ୍ତିରେ ରହି ଆସୁଛନ୍ତି। ବାତ୍ୟାକୁ ନଜରରେ ରଖି ସେମାନଙ୍କୁ ଥଇଥାନ କରିବା ନିମନ୍ତେ ତୋଟା ଆମ୍ମା ମନ୍ଦିର ନିକଟରେ ଆଦର୍ଶ କଲୋନି ନିର୍ମାଣ କରାଯାଇଛି। ହେଲେ କିଛି ପରିବାର ସେଠାରେ ରହୁଥିବା ବେଳେ ଆଉ କିଛି ପରିବାର ଝୁପୁଡ଼ି ବସ୍ତିରେ ରହୁଛନ୍ତି। ଏନେଇ ବାରମ୍ବାର ନୋଟିସ୍ କରାଯାଉଥିଲେ ସୁଦ୍ଧା ସେମାନେ ବସ୍ତି ଛାଡ଼ୁ ନାହାଁନ୍ତି। ତେଣୁ ଆଜି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ ଏନଏସି କର୍ମଚାରୀ ବସ୍ତି ଉଚ୍ଛେଦ କରୁଛନ୍ତି। ଘଟଣାସ୍ଥଳରେ ଯେମିତି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସଦର ଏସଡିପିଓ ସୁଧାଂଶୁ ଶେଖର ପରିଡ଼ା, ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକଙ୍କ ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।