ନୂଆଦିଲ୍ଲୀ ୦୫/୦୪: ଥାର୍ ମରୁଭୂମିର ସୁନେଲି ବାଲିରେ ଆଶ୍ଚର୍ଯ୍ୟଚକିତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୀଷଣ କୁଆପଥର ବର୍ଷାରେ ରାଜସ୍ଥାନର କେତେକାଂଶ କାଶ୍ମୀରର ବରଫାବୃତ୍ତ ଉପତ୍ୟକାରେ ରୂପାନ୍ତରିତ ହୋଇଛି । ବିକାନେର ଜିଲ୍ଲାର ଅର୍ଜୁନସାର ଓ ରଜିୟାସାର ଅଞ୍ଚଳ ବାସିନ୍ଦା ଏହି ବିରଳ ବାୟୁମଣ୍ଡଳୀୟ ଘଟଣାର ପ୍ରତ୍ୟକ୍ଷଦର୍ଶୀ । କୁଆପଥର ବର୍ଷା ଯୋଗୁ ତାପମାତ୍ରା ଖସିଛି ଏବଂ ବରଫର ମୋଟା ପରସ୍ତ ରାସ୍ତାଘାଟକୁ ସମ୍ପୂର୍ଣ୍ଣ ଢାଙ୍କି ଦେଇଛି । ଏହା ୱିଣ୍ଟର ୱଣ୍ଡରଲାଣ୍ଡ ଭଳି ଦିଶୁଛି ।

ବାସ୍ତବରେ ‘ୱେଷ୍ଟର୍ନ ଡିଷ୍ଟର୍ବାନ୍ସ’ ବା ପଶ୍ଚିମରେ ବ୍ୟାଘାତ ଭୀଷଣ କୁଆପଥର ବର୍ଷାର କାରଣ ହୋଇଛି । ୱେଷ୍ଟର୍ନ ଡିଷ୍ଟର୍ବାନ୍ସ ଏକ ଜଳବାୟୁ ପ୍ରଣାଳୀ ଯାହାର ଉତ୍ପତ୍ତି ସ୍ଥଳ ଭୂମଧ୍ୟସାଗରୀୟ କ୍ଷେତ୍ର । ଏହା ପୂର୍ବ ଦିଗ ଅଭିମୁଖେ ଯାତ୍ରା କରି ଉତ୍ତରପୂର୍ବ ଭାରତରେ ଆର୍ଦ୍ରତା ଓ ଶୀତଳତା ଆଣିଛି । ଏହି ଆର୍ଦ୍ରତାଯୁକ୍ତ ବାୟୁ ଯେତେବେଳେ ମରୁଭୂମିର ତୀବ୍ର ଉତ୍ତାପ ସହ ମିଶିଲା, ଉଦ୍ଧ୍ୱର୍ମୁଖା ଶକ୍ତିଶାଳୀ ଝଡ଼ ଉତ୍ପନ୍ନ କଲା । ଏହା ବଢୁଥିବା ବାୟୁର ସ୍ରୋତ ଯାହା ବାୟୁମଣ୍ଡଳର ବରଫପୂର୍ଣ୍ଣ ପରସ୍ତରେ ରୂପାନ୍ତରିତ ଜଳବିନ୍ଦୁ ଧାରଣ କରେ । ଏହି ଜଳବିନ୍ଦୁ କୁଆପଥରରେ ରୂପାନ୍ତରିତ ହୁଏ । ପବନର ସମର୍ଥନରେ ଏହି ବରଫ ଖଣ୍ଡ ଭାରୀ ହୋଇ କୁଆପଥର ରୂପେ ଭୂପୃଷ୍ଠରେ ମାଡ଼ ହୁଏ । ଏହି କୁଆପଥର ଝଡ଼ ଖାସ୍କରି ସ୍ଥାନୀୟ ଚାଷୀ ସମୁଦାୟ ପାଇଁ ଅତ୍ୟନ୍ତ ବିଧ୍ୱଂସକାରୀ ।

କାରଣ ଏହି ସମୟରେ ଅନେକ ଚାଷୀ ରବି ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଥାନ୍ତି । ମାର୍ବଲ ଖଣ୍ଡ ଭଳି କୁଆପଥର ଫସଲକୁ ନଷ୍ଟ କରିଦିଏ, ଯାହା ଦ୍ୱାରା ସେମାନଙ୍କର ବ୍ୟାପକ ଆର୍ଥିକ କ୍ଷତି ହୁଏ । ରାଜସ୍ଥାନ ଯଦିଓ ପ୍ରଚଣ୍ଡ ଗରମ ପାଇଁ ପରିଚିତ, ଜଳବାୟୁରେ ବଡ଼ ଧରଣର ଅସନ୍ତୁଳନ ଯୋଗୁ ଏପ୍ରିଲରେ ଏଠାରେ କୁଆପଥର ଝଡ଼ ହୋଇଥାଏ । ଭୂପୃଷ୍ଠର ଉତ୍ତପ୍ତ ବାୟୁ ଉତ୍ତରରୁ ଥଣ୍ଡା, ଆର୍ଦ୍ରତାଯୁକ୍ତ ପବନ ସହ ମାଡ଼ ହେବା ଦ୍ୱାରା ଏହି ଘଟଣା ଘଟେ । ତେବେ ବିକାନେରରେ ଦେଖାଯାଇଥିବା ଭାରୀ ମାତ୍ରାର କୁଆପଥର ଏକ ଅସ୍ୱାଭାବିକ ଘଟଣା, ଯାହା ସମଗ୍ର ଦେଶରେ ଜଳବାୟୁ ଘଟଣାର ଅନିଶ୍ଚିତତାକୁ ଦର୍ଶାଉଛି ।

ଆହୁରି ପଢ଼ନ୍ତୁ...ଭାରତୀୟ ଇଞ୍ଜିନିୟରଙ୍କ ଅସମ୍ଭବ ପ୍ରୟାସ, ନିର୍ମାଣ କରୁଛନ୍ତି କୃତ୍ରିମ ସୂର୍ଯ୍ୟ