ରାଜ୍ୟର ସମଗ୍ର ଉନ୍ନତିର ମୂଳ ଆଧାର ହେଉଛି ଜନସାଧାରଣଙ୍କର ସୁସ୍ଥମୟ ଜୀବନ । ସୁସ୍ଥ ନାଗରିକ ହେଉଛନ୍ତି ଉତ୍ପାଦନଶୀଳ ସମାଜର ମୂଳ ଶକ୍ତି ଏବଂ ଏହି ଶକ୍ତିକୁ ସୁନିଶ୍ଚିତ କରିବାର ପ୍ରମୁଖ ମାଧ୍ୟମ ହେଉଛି ସୁଦୃଢ଼ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଆଜିର ଦିନରେ କେବଳ ସାମାଜିକ ସୁରକ୍ଷା, ଶିଳ୍ପ କିମ୍ବା ପୁଞ୍ଜିନିବେଶ ମାତ୍ର ଉନ୍ନତିର ମାପଦଣ୍ଡ ନୁହେଁ, ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଏକ ରାଜ୍ୟକୁ ଦୀର୍ଘକାଳୀନ ଉନ୍ନତି ଦିଗରେ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ସେହି ପରିପ୍ରେକ୍ଷୀରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ସହ ସମନ୍ୱୟ ରଖି ପ୍ରସ୍ତୁତ ଚଳିତ ବର୍ଷର ବଜେଟ କେବଳ ଆୟ-ବ୍ୟୟର ହିସାବ ନୁହେଁ ବରଂ ଏହା ରାଜ୍ୟର ଲୋକଙ୍କ ଆଶା, ଆକାଂକ୍ଷା ଓ ଭବିଷ୍ୟତ ଉନ୍ନତିର ଏକ ସ୍ପଷ୍ଟ ରୋଡ୍‌ ମ୍ୟାପ୍ । "ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭'ର ସ୍ୱପ୍ନକୁ ସାକାର କରିବା ତଥା ରାଜ୍ୟର ସାମଗ୍ରିକ ବିକାଶ ଓ ଲୋକକଲ୍ୟାଣକୁ କେନ୍ଦ୍ରବିନ୍ଦୁ କରି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା ସହ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହାର ୭.୫%ରୁ ଅଧିକ ଅର୍ଥାତ୍ ୨୩ହଜାର ୧୮୨ କୋଟିର ବିପୁଳ ବ୍ୟୟବରାଦ କରିବା ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ଆମ ସରକାରର ସମ୍ବେଦନଶୀଳତାକୁ ଦର୍ଶାଉଛି ।

ସମାଜର ସର୍ବନିମ୍ନ ସ୍ତରରେ ଥିବା ବ୍ୟକ୍ତି ପାଖରେ ଗୁଣାତ୍ମକ ଚିକିତ୍ସା ସୁବିଧା ପହଞ୍ଚାଇବା ଏବଂ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଅଧୀନରେ ଭିତ୍ତିଭୂମିର ବିକାଶ ପାଇଁ ୫,୦୦୮କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ବଢୁଥିବା ରୋଗୀଙ୍କ ସଂଖ୍ୟା ଓ ଜରୁରିକାଳୀନ ଆବଶ୍ୟକତାକୁ ପୂରଣ କରିବାପାଇଁ ଆମ ସ୍ୱାସ୍ଥ୍ୟସେବା କ୍ଷମତାର ବଡ଼ ସମ୍ପ୍ରସାରଣ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, କଟକ (ଏସସିବି)ର ପୁନର୍ବିକାଶ ପାଇଁ ୧୦୦୦କୋଟି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁର (ଏମକେସିଜି) ଏବଂ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ବୁର୍ଲା (ଭିମସାର) ର ପୁନର୍ବିକାଶ ପାଇଁ ୬୦୦କୋଟି କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହୁରି ୫ହଜାର ଆଇପିଡି ଶଯ୍ୟା ବୃଦ୍ଧି କରାଯିବ । ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ଓ କେନ୍ଦ୍ରୀୟ ତଦାରଖ ସୁବିଧା ସହ ୧ହଜାର ଉନ୍ନତ ଗୁରୁତର ଚିକିତ୍ସା ବିଭାଗ (ଆଇସିୟୁ) ଏବଂ ୫୦୦ ଉଚ୍ଚ ନିର୍ଭରଶୀଳ ଚିକିତ୍ସା ବିଭାଗ (ହାଇ-ଡିପେଣ୍ଡେନ୍ସି ୟୁନିଟ୍/ଏଚଡିୟୁ) ସ୍ଥାପନ କରିବା ସହ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, କଟକରେ ୧୮୦୦ ଆଇପିଡି ଶଯ୍ୟାବିଶିଷ୍ଟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯିବ । ଏଥିପାଇଁ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ମଧ୍ୟ ଆମ ସରକାର ପଦକ୍ଷେପ ଗ୍ରହଣ କରିବେ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚିକିତ୍ସା ସେବାର ବିସ୍ତାର କରିବା ନିମନ୍ତେ ପଞ୍ଚାୟତ ସ୍ତରରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ୧୭୬କୋଟି ବ୍ୟୟରେ ୧୮୦୭ଟି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କରାଯିବା ଫଳରେ ରାଜ୍ୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକର ସୁଦୃଢ଼ ନେଟୱାର୍କ ସ୍ଥାପନ ହେବ ।

ଗରିବ ଓ ମଧ୍ୟବିତ୍ତ ପରିବାରବର୍ଗଙ୍କୁ ଚିକିତ୍ସାଭାର ଜନିତ ଆର୍ଥିକ ସଙ୍କଟରୁ ମୁକ୍ତ କରି ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ପାଇଁ ୪,୨୭୯କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରେ ୩୨ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ରହିଥିବା ବେଳେ ୧.୦୩କୋଟି ପରିବାରର ପ୍ରାୟ ୩.୪କୋଟି ବ୍ୟକ୍ତିବିଶେଷଙ୍କୁ ନଗଦ ବିହୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଔଷଧ, ଟୀକା ତଥା ଚିକିତ୍ସା ସମ୍ବନ୍ଧୀୟ ମାଗଣା ବିତରଣ ପାଇଁ ନିରାମୟ ଯୋଜନାକୁ ସମ୍ପ୍ରସାରିତ କରିବାକୁ ୭୮୬କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ନିଃଶୁଳ୍କ ରୋଗ ନିରୂପଣ, ସିଟି ସ୍କାନ, ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ଏମ୍ଆରଆଇ ତଥା ଉଚ୍ଚମାନର ଡାୟାଲିସିସ୍ ପାଇଁ ନିଦାନ ଯୋଜନାରେ ୩୭୧କୋଟି ବ୍ୟୟ କରାଯିବ । ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଓ ସଚେତନତା ପହଞ୍ଚାଇବା ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଶା କର୍ମୀମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ସହାୟ ଯୋଜନା ୧୮୩କୋଟି ଘୋଷଣା ହୋଇଛି । ଜରୁରିକାଳୀନ ସେବାକୁ ମଜଭୁତ କରିବା ପାଇଁ ୪୨୮ଟି ଆମ୍ବୁଲାନ୍ସ ରାଜ୍ୟବାସୀ ସେବାରେ ଲୋକାର୍ପଣ ହୋଇଥିଲାବେଳେ ଆମ୍ବୁଲାନ୍ସ ସେବାପାଇଁ ଆହୁରି ୧୯୮କୋଟି ଟଙ୍କା ବଜେଟରେ ରହିଛି । ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ସୁଧାର, ଟୀକାକରଣ କାର୍ଯ୍ୟକ୍ରମ, ସଂକ୍ରାମକ ରୋଗ ନିୟନ୍ତ୍ରଣ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧,୯୫୮କୋଟି ଟଙ୍କା ପ୍ରାବଧାନ ହୋଇଥିବା ହିଁ ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରରେ ସାର୍ବଜନୀନ କରିବାପାଇଁ ଆମ ସରକାର ପ୍ରତିବଦ୍ଧ ।

ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଗୁରୁତ୍ୱ ଦେଇଆସିଛନ୍ତି, ତେଣୁ ୧୪୦କୋଟି ଟଙ୍କା ବ୍ୟୟରେ ଗଜପତି, ରାୟଗଡ଼ା ଓ ମାଲକାନଗିରିରେ ତିନିଟି ନୂତନ ଆୟୁର୍ବେଦିକ ଭେଷଜ ମହାବିଦ୍ୟାଳୟ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ନୂତନ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହି ପାଞ୍ଚଟି ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ହେବାଦ୍ୱାରା ଶିକ୍ଷାର ସମ୍ପ୍ରସାରଣ, ଗୁଣାତ୍ମକ ଚିକିତ୍ସା ଏବଂ ଆୟୁଷ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ । ଏହା ବ୍ୟତୀତ ଆୟୁଷ ଚିକିତ୍ସା କ୍ଷେତ୍ରରେ ଗବେଷଣା, ଶିକ୍ଷା ଓ ମାନବ ସମ୍ବଳର ଚାହିଦା ପୂରଣ କରିବାକୁ ୨୦୨୭ ସୁଦ୍ଧା ସ୍ନାତକ ଓ ସ୍ନାତକୋତ୍ତର ସିଟ୍ ସଂଖ୍ୟା ବୃଦ୍ଧି କରିବାପାଇଁ ୧୨୪କୋଟି ବ୍ୟୟ ଅଟକଳ କରାଯାଇଛି । ରାଜ୍ୟରେ ଆୟୁଷ ଔଷଧର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ବଜେଟର ବ୍ୟବସ୍ଥା ହୋଇଛି । ଶରୀର, ମନ ଓ ଆତ୍ମାର ସମନ୍ୱୟ ରଖି ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ମାସକୁ ଆଠଟି ଯୋଗ ଅଧିବେଶନକୁ ବୃଦ୍ଧିକରି ୨୦ଟି ଶିକ୍ଷାମୂଳକ ଯୋଗ ଅଧିବେଶନ କରାଯିବ । ଲୁପ୍ତପ୍ରାୟ ଚେରମୂଳି ଔଷଧର ରକ୍ଷଣାବେକ୍ଷଣ ଓ ମାନକୀକରଣ, କର୍କଟ ଚିକିତ୍ସା ଉପରେ ଗବେଷଣା, ବାୟୋଲଜିର ବିକାଶ, ଉନ୍ନତ ଥେରାପି ଉତ୍ପାଦ, ଚିକିତ୍ସା ଉପକରଣ କ୍ଷେତ୍ରରେ ନୂତନ ଉଦ୍ଭାବନ ସହ ଶିକ୍ଷା ଓ ଶିଳ୍ପାନୁଷ୍ଠାନର ସହଭାଗିତାକୁ ସହାୟତା ତଥା ଉନ୍ନତ ଗବେଷଣା ଏବଂ ଶିକ୍ଷା ଅଭିବୃଦ୍ଧିକୁ ପ୍ରୋତ୍ସାହନ ପାଇଁ ଏକ ଫାର୍ମା ବାୟୋଟେକ ଗବେଷଣା ଏବଂ ନବସୃଜନ କେନ୍ଦ୍ର ସ୍ଥାପନ କରାଯିବ ।

ସ୍ୱତନ୍ତ୍ର ଜରୁରିକାଳୀନ ଚିକିତ୍ସା ଏବଂ ପୁନଃ ଥଇଥାନ ସେବାପାଇଁ ପୁରୀ, ବୁର୍ଲା, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ଚାରିଟି ନୂତନ ବର୍ଣ୍ଣ ୟୁନିଟ୍ ପାଇଁ ୨୦୦କୋଟି ବ୍ୟତୀତ ଅଗ୍ନି ନିରାପତ୍ତା ପାଇଁ ୪୭୩କୋଟି ବ୍ୟୟବରାଦ କରାଯାଇଛି । ସରକାର ବିତରଣ କରୁଥିବା ଔଷଧର ଗୁଣବତ୍ତା ସହ ଔଷଧ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡର ଏକ କେନ୍ଦ୍ରୀୟ ଔଷଧ ଓ ଚିକିତ୍ସା ଉପକରଣ ପଣ୍ୟାଗାର ସ୍ଥାପିତ ହେବ । ରାଜ୍ୟରେ ବିଶେଷଜ୍ଞ ଡାକ୍ତରମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଗାମୀ ଦୁଇବର୍ଷ ମଧ୍ୟରେ ୫୦୦ ସ୍ନାତକୋତ୍ତର ସିଟ୍ ବୃଦ୍ଧି କରିବାକୁ ଆମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଏବଂ ଯେଉଁ ଜିଲ୍ଲାମାନଙ୍କରେ ଏଭଳି ସୁବିଧା ଉପଲବ୍ଧ ନାହିଁ ସେଠାରେ ନର୍ସିଂ, ପାରାମେଡିକାଲ ଓ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ପାଠ୍ୟକ୍ରମ ଆରମ୍ଭ କରାଯିବ । ନୟାଗଡ଼ରେ ୫ଶହ ଏକରବିଶିଷ୍ଟ ଓଡ଼ିଶା ଫାର୍ମା ପାର୍କ ଏବଂ ଖୋର୍ଦ୍ଧାଠାରେ ୨୦୦ ଏକରବିଶିଷ୍ଟ ଓଡ଼ିଶା ମେଡଟେକ୍ ପାର୍କ ପ୍ରତିଷ୍ଠା ଫଳରେ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ରାଜ୍ୟରେ ବର୍ତ୍ତମାନ କର୍କଟ ରୋଗ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି ।

ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିଚାଲିଛି । ଉତ୍କୃଷ୍ଟ କର୍କଟ ଚିକିତ୍ସା ସେବା ଯୋଗାଇବା ପାଇଁ କର୍କଟ ଚିକିତ୍ସାଳୟ ମାଧ୍ୟମରେ ଏହାର ଆଗୁଆ ନିରୂପଣ, ସମୟୋଚିତ ଚିକିତ୍ସା, ବ୍ୟକ୍ତିଗତ ଯତ୍ନ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଏହି କ୍ଷେତ୍ରରେ ଗବେଷଣା ଏବଂ ନବସୃଜନର ଆବଶ୍ୟକତା ରହିଛି, ତେଣୁ ଓଡ଼ିଶା କର୍କଟ ଚିକିତ୍ସା ଯୋଜନାକୁ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଭାବେ ରୂପାନ୍ତରିତ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାର ଆଗୁଆ ଚିକିତ୍ସା ପାଇଁ ଡିଜିଟାଲ ହବ୍ ଆଣ୍ଡ ସ୍ପାକ୍ ମଡେଲ ମାଧ୍ୟମରେ ବ୍ୟାପକ ଗୋଷ୍ଠୀ ସଚେତନତା, ଗ୍ରାମାଞ୍ଚଳ ସ୍ତରରେ ପୂର୍ବନିର୍ଣ୍ଣୟ ପରୀକ୍ଷା (ସ୍କ୍ରିନିଙ୍ଗ), କର୍କଟ ପରୀକ୍ଷା ଶିବିର କରାଯିବ । କର୍କଟ ରୋଗୀଙ୍କୁ ସୁଲଭ ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ । ଏହି ଅଭିଯାନ ଅଧୀନରେ କିଶୋରୀମାନଙ୍କୁ ସର୍ଭାଇକାଲ୍ କର୍କଟରୁ ରକ୍ଷାକରିବା ପାଇଁ ମାଗଣା ଏଚପିଭି ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଦ୍ୱାରା ଦେଶବ୍ୟାପୀ ଜାତୀୟ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ ଗତ ଫେବ୍ରୁଆରୀ ୨୮ ତାରିଖରେ ହୋଇଯାଇଛି । ଓଡ଼ିଶାରେ ୧୪ରୁ ୧୫ ବୟସ ମଧ୍ୟରେ ଥିବା ପ୍ରାୟ ୩ଲକ୍ଷ ୩୬ହଜାର କିଶୋରୀଙ୍କୁ ଏହି ଟୀକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ରକ୍ତଜନିତ, ବଂଶଗତ ହିମୋଫିଲିଆ ରୋଗର ନିରାକରଣ ଓ ଏଥିରେ ଆକ୍ରାନ୍ତ ଥିବା ବ୍ୟକ୍ତିର ରକ୍ତସ୍ରାବକୁ ବନ୍ଦ ରହିବା ପାଇଁ ଫ୍ୟାକ୍ଟର-୮ ଟୀକାର ସବୁବେଳେ ଅଭାବ ପରିଲକ୍ଷିତ ହେଉଥିଲା । ରାଜ୍ୟରେ ରକ୍ତର ଅଭାବକୁ ଦୂରକରିବା ପାଇଁ ଆରମ୍ଭ ହେବ ଅଟଳ ରକ୍ତଦାନ ଅଭିଯାନ । ଏହି ଯୋଜନା ଅନ୍ତର୍ଗତ ସମସ୍ତ ଭେଷଜ ମହାବିଦ୍ୟାଳୟରେ ରକ୍ତଭଣ୍ଡାର ପ୍ରତିଷ୍ଠା ସହ ସମସ୍ତ ରକ୍ତଭଣ୍ଡାରର ଉନ୍ନତି ତଥା ଆଧୁନିକୀକରଣ କରାଯିବା ସହ ରକ୍ତ ସଂଗ୍ରହ ପାଇଁ ୫୦ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ କ୍ରୟ କରାଯିବ ।

ଚଳିତ ବର୍ଷର ସ୍ୱାସ୍ଥ୍ୟ ବଜେଟ୍ କେବଳ ଖର୍ଚ୍ଚ ନୁହେଁ, ଏହା ହେଉଛି ଓଡ଼ିଶାର ଭବିଷ୍ୟତ ପାଇଁ ଏକ ଦୀର୍ଘକାଳୀନ ନିବେଶ । ଏହି ବଜେଟ ଲୋକାଭିମୁଖୀ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ସନ୍ଦେଶ ବହନ କରେ । ତେଣୁ ଏହା ମାଧ୍ୟମରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ସହ ରାଜ୍ୟର ଆର୍ଥିକ ଗତିଶୀଳତା ମଧ୍ୟ ବଢ଼ିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭାଷାରେ "ଆରୋଗ୍ୟଂ ପରମଂ ଧନମ୍' ଦର୍ଶନରେ ଅନୁପ୍ରାଣିତ ଆମ ସରକାରର ନୀତି ହେଉଛି ହୋଇ ସୁସ୍ଥ ଓଡ଼ିଶା ବିକଶିତ ଓଡ଼ିଶା । ଏହି ସ୍ୱାସ୍ଥ୍ୟ ବଜେଟ ବିକଶିତ ଓଡ଼ିଶା ବିକାଶ ଇଞ୍ଜିନର ଆଧାରଶିଳା ହେବ । ଏହି ଦୃଷ୍ଟିକୋଣ ସହ ମୁଁ ଏହି ବଜେଟକୁ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ନିକଟରେ ଉତ୍ସର୍ଗୀକୃତ କରୁଛି ।