ଯେଉଁ ଦେଶର ଉତ୍ପାଦନ ଶକ୍ତିଶାଳୀ, ସେହି ଦେଶ ଆତ୍ମନିର୍ଭର ଓ ସମୃଦ୍ଧ । ଏହି କାରଣରୁ ଉତ୍ପାଦନ କ୍ଷେତ୍ର ଯାହାକୁ ଇଂଲିଶରେ ମାନୁଫ୍ୟାକଚରିଂ (manufacturing) କୁହାଯାଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଆସିଛି ଏବଂ ଏହାର ବିସ୍ତାର ପାଇଁ ସରକାର ବହୁତ ଯୋଜନା ପ୍ରଣୟନ କରିଛନ୍ତି ଓ କରୁଛନ୍ତି ମଧ୍ୟ । ଏକ ଶକ୍ତିଶାଳୀ ଉତ୍ପାଦନ କ୍ଷେତ୍ର ଆମଦାନୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରେ ଏବଂ ଗୋଟିଏ ଦେଶକୁ ଘରୋଇ ସାମଗ୍ରୀ ଉତ୍ପାଦନ କରିବାରେ ସକ୍ଷମ କରେ, ଅର୍ଥନୈତିକ ସ୍ଥିରତା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରେ । ଏହା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିକରେ, ଦକ୍ଷତା ବିକାଶରେ ଉନ୍ନତି ଆଣେ ଏବଂ ସାମଗ୍ରିକ ଉତ୍ପାଦନ ବୃଦ୍ଧି କରେ । ଯେତେବେଳେ ଉତ୍ପାଦନ ଶିଳ୍ପଗୁଡ଼ିକ ସୁ-ବିକଶିତ ହୁଏ, ସେମାନେ ରପ୍ତାନିରେ ଯଥେଷ୍ଟ ସହଯୋଗ କରନ୍ତି, ଦେଶକୁ ବୈଦେଶିକ ମୁଦ୍ରା ଅର୍ଜନ କରିବାରେ ଏବଂ ବାଣିଜ୍ୟର ଏକ ଅନୁକୂଳ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରନ୍ତି । ଏହା ସହିତ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ସାଧାରଣତଃ ନବୀନତା ଓ ପ୍ରଯୁକ୍ତିଗତ ବିକାଶକୁ ଆଗକୁ ବଢ଼ାଏ, ଯାହା ଦୀର୍ଘକାଳୀନ ଉନ୍ନତିକୁ ଆହୁରି ସମର୍ଥନ କରେ । ତେଣୁ, ଭିତ୍ତିଭୂମିରେ ବିନିଯୋଗ ଉଦ୍ୟୋଗକୁ ଉତ୍ସାହିତ କରିବା ଏବଂ ଆଧୁନିକ ଜ୍ଞାନକୌଶଳ ଅବଲମ୍ବନ କରିବା ଏକ ଦୃଢ଼ ଉତ୍ପାଦନ ଭିତ୍ତିଭୂମି ନିର୍ମାଣ ଏବଂ ପ୍ରକୃତ ଆତ୍ମନିର୍ଭରଶୀଳତା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଯୁଦ୍ଧ ଓ କୋଭିଡ ପରି ମହାମାରୀ ସମୟରେ ଏକ ଶକ୍ତିଶାଳୀ ଉତ୍ପାଦନ କ୍ଷେତ୍ରର ଅଭାବ ବିଶେଷ ଭାବରେ ଅନୁଭବ କରାଯାଏ । ଯୁଦ୍ଧ ସମୟରେ ଅନ୍ତର୍ଜାତୀୟ ସପ୍ଲାଇ ଚେନ୍ ଅନେକ ସମୟରେ ବାଧାପ୍ରାପ୍ତ ହୁଏ, ଯେମିତି ବର୍ତ୍ତମାନର ଆମେରିକା-ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ଯାହାଫଳରେ ଅସ୍ତ୍ର, ଚିକିତ୍ସା ସାମଗ୍ରୀ, ଇନ୍ଧନ, ସାର ଓ ଖାଦ୍ୟ ପରି ଆବଶ୍ୟକ ପଦାର୍ଥ ଆମଦାନି କରିବା କଷ୍ଟକର ହୋଇପଡିଛି । ଏହି ଯୁଦ୍ଧ ଭାରତକୁ ସିଧାସଳଖ ପ୍ରଭାବିତ ନକରିଥିଲେ ମଧ୍ୟ, ଏହା ଅନେକ ମୁଖ୍ୟ କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ବାଣିଜ୍ୟ ଓ ଶିପିଂ ବ୍ୟବସ୍ଥା ବିଘ୍ନିତ ହେବାରୁ ଆମଦାନୀ-ରପ୍ତାନି ଖର୍ଚ୍ଚ ବଢ଼ୁଛି । ବିଶେଷ ଭାବରେ ଉତ୍ପାଦନ ଶିଳ୍ପ କ୍ଷେତ୍ରରେ କଞ୍ଚାମାଲ ଓ ଶକ୍ତି ଖର୍ଚ୍ଚ ବଢ଼ିବାରୁ ଉତ୍ପାଦନ ଖର୍ଚ୍ଚ ବଢ଼ୁଛି । ଏହା ସହିତ ଆର୍ଥିକ ବଜାର ଓ ଟଙ୍କା ଉପରେ ଚାପ ପଡ଼ି ଅସ୍ଥିରତା ସୃଷ୍ଟି ହେଉଛି । ଏହି ସମସ୍ତ କାରଣରୁ ଭାରତର ଅର୍ଥନୀତି ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ୁଛି । ଏହି ଯୁଦ୍ଧ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ମହତ୍ତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥଗୁଡ଼ିକର ସୁରକ୍ଷା ଆବଶ୍ୟକତାକୁ ସୂଚିତ କରେ । ଏହା ଦେଶ ମଧ୍ୟରେ ଅତ୍ୟାବଶ୍ୟକ ପ୍ରତିରକ୍ଷା ଉପକରଣ ତିଆରି କରିବା ପାଇଁ ଭାରତର ଆବଶ୍ୟକତାକୁ ଆଲୋକିତ କରେ, ଯାହାଦ୍ୱାରା ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ଏହି ଅସ୍ତ୍ରର ପ୍ରକୃତି ଏବଂ ସାମର୍ଥ୍ୟ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନଥିବେ ।

ନିକଟ ଅତୀତରେ, ଭାରତର ପ୍ରତିରକ୍ଷା କ୍ଷେତ୍ର ଆମଦାନୀ ଏବଂ ରପ୍ତାନିରେ ଏକ ବିପରୀତ ଧାରା ଦେଖାଇଛି । ପ୍ରତିରକ୍ଷା ରପ୍ତାନିରେ ଯଥେଷ୍ଟ ବୃଦ୍ଧି ଘଟିଛି, ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୧୬୦୦୦ କୋଟିରୁ ବୃଦ୍ଧିହୋଇ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୨୧୦୦୦ କୋଟିରେ ପହଞ୍ଚିଛି ଏବଂ ୨୦୨୪- ୨୫ ବର୍ଷରେ ପ୍ରାୟ ରେକର୍ଡ ୨୩୬୦୦ କୋଟି ପହଞ୍ଚିଛି । ଅବଶ୍ୟ ପ୍ରତିରକ୍ଷା ଆମଦାନୀ ବହୁ ଅଧିକ ରହିଆସିଛି, ଯାହାର ଆନୁମାନିକ ୨୦୨୨-୨୩ ବର୍ଷରେ ଟ.୮୫୦୦୦ –୯୦୦୦୦ କୋଟି, ୨୦୨୩- ୨୪ ଆର୍ଥିକ ବର୍ଷରେ ୮୦୦୦୦-୮୫୦୦୦ କୋଟି ଏବଂ ୨୦୨୪-୨୫ ବର୍ଷରେ ଟ.୭୫୦୦୦-୮୦୦୦୦ କୋଟି । ଯଦିଓ ଆତ୍ମନିର୍ଭରଶୀଳତା ଏବଂ ଘରୋଇ ଉତ୍ପାଦନ ଉପରେ ଅଧିକ ଧ୍ୟାନ ହେତୁ ଆମଦାନୀ ଧୀରେ ଧୀରେ ହ୍ରାସପାଉଛି, ଆମଦାନୀ ଏବଂ ରପ୍ତାନି ମଧ୍ୟରେ ବ୍ୟବଧାନ ଏପର୍ଯ୍ୟନ୍ତ ବ୍ୟାପକ ଅନ୍ତର ରହିଛି, ଯାହା ଭାରତର ବିଦେଶୀ ରକ୍ଷା ସାମଗ୍ରୀ ଉପରେ ନିର୍ଭରଶୀଳତାକୁ ପ୍ରକାଶ କରେ ।

ବିଶ୍ୱସ୍ତରରେ ବଢ଼ୁଥିବା ସଂଘର୍ଷ ପରିପ୍ରେକ୍ଷୀରେ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ, ଚୀନ, ଜର୍ମାନୀ ଓ ଫ୍ରାନ୍ସ ପରି ଦେଶମାନେ ଅସ୍ତ୍ର ରପ୍ତାନି ଦ୍ୱାରା ବିପୁଳ ବିଦେଶୀ ମୁଦ୍ରା ଅର୍ଜନ କରିବା ସହିତ ବୃହତ୍ ରୋଜଗାର ସୃଷ୍ଟିକରି ସେମାନଙ୍କ ଅର୍ଥନୀତିକୁ ମଜବୁତ କରୁଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ପ୍ରାୟ ୩୫% ଅସ୍ତ୍ର ରପ୍ତାନି କରେ, ଯାହା ଏହାକୁ ସବୁଠାରୁ ଶକ୍ତିଶାଳୀ ରପ୍ତାନିକାରୀ କରିଛି । ପ୍ରତିରକ୍ଷା ସାମଗ୍ରୀର ଗୁରୁତ୍ୱକୁ ଅନୁଭବ କରି ଭାରତ ପରି ବିଶାଳ ଦେଶ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେଇ, ରୋଜଗାରର ସୁଯୋଗ ସୃଷ୍ଟି କରିବା ସହିତ ପ୍ରତିରକ୍ଷା ରପ୍ତାନିକୁ ବୃଦ୍ଧି କରି ଦେଶର ଆର୍ଥିକ ଏବଂ ସାମରିକ ଶକ୍ତିକୁ ବିକାଶ କରିବା ମହତ୍ତ୍ୱପୂର୍ଣ୍ଣ ମନେହୁଏ।

କୋଭିଡ ମହାମାରୀ ସମୟରେ ଅନେକ ଦେଶ ମାସ୍କ, ଭେଣ୍ଟିଲେଟର, ଔଷଧ ଓ ଟୀକା ପରି ବସ୍ତୁର ଅଭାବ ସମ୍ମୁଖୀନ ହୋଇଥିଲେ, କାରଣ ହଠାତ୍ ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି ଓ ବ୍ୟାପାର ପ୍ରାୟ ବନ୍ଦ ହୋଇଯାଇଥିଲା । ଯେଉଁ ଦେଶର ମଜବୁତ ଉତ୍ପାଦନ କ୍ଷେତ୍ର ଥିଲା, ସେମାନେ ଶୀଘ୍ର ନିଜ ଉତ୍ପାଦନକୁ ପରିବର୍ତ୍ତନ କରି ଏହି ଜରୁରି ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରିଥିଲେ, ଯାହା ଜନସ୍ୱାସ୍ଥ୍ୟକୁ ଭଲଭାବରେ ସୁରକ୍ଷା କରିଥିଲା ।

ଆମ ଅର୍ଥନୀତିରେ ଉତ୍ପାଦନର ଗୁରୁତ୍ୱକୁ ହୃଦୟଙ୍ଗମ କରି ଭାରତ ସରକାର ଅକ୍ଟୋବର ୨୦୧୧ରେ ଜାତୀୟ ଉତ୍ପାଦନ ନୀତି ଆଣିଥିଲେ, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ମୋଟ୍ ଘରୋଇ ଉତ୍ପାଦରେ ଉତ୍ପାଦନର ଅବଦାନ ବୃଦ୍ଧି କରିବା । ୧୯୮୦ ପରଠାରୁ ଭାରତର ଜିଡିପିରେ ଉତ୍ପାଦନର ଅବଦାନ ୧୬% ସ୍ଥିର ରହିବା ଏବଂ ଏସିଆର ଅନ୍ୟ ତୁଳନାତ୍ମକ ଅର୍ଥନୀତିରେ ଏହା ୨୫-୩୪%କୁ ନଜରରେ ରଖି ଭାରତ ସରକାର ଜିଡିପିରେ ଉତ୍ପାଦନର ଅବଦାନକୁ ୨୫% ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ନୀତି ପ୍ରଣୟନ କଲେ । ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ସେପ୍ଟେମ୍ବର ୨୦୧୪ରେ ଆରମ୍ଭ କରାଗଲା, ଯାହାର ତିନିଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା: ୧) ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାରକୁ ବାର୍ଷିକ ୧୨-୧୪% କୁ ବୃଦ୍ଧି କରିବାକୁ, ୨) ୨୦୨୨ ସୁଦ୍ଧା ଅର୍ଥନୀତିରେ ୧୦୦ ନିୟୁତ ଅତିରିକ୍ତ ଉତ୍ପାଦନ ନିଯୁକ୍ତି ସୃଷ୍ଟି କରିବାକୁ, ୩) ଜିଡିପିରେ ଉତ୍ପାଦନ କ୍ଷେତ୍ରର ଅବଦାନ ୨୦୨୨ ସୁଦ୍ଧା ୨୫%କୁ ବୃଦ୍ଧି କରିବାକୁ (ପରେ ୧୦୨୫କୁ ସଂଶୋଧିତ ହୋଇଛି) ନିଶ୍ଚିତ କରିବାକୁ । ଜାତୀୟ ଉତ୍ପାଦନ ନୀତିର ଅନୁଚ୍ଛେଦ ୧.୯ରେ ମୋଟାମୋଟି ମେକ୍ ଇନ୍ ଇଣ୍ଡିଆର ଆଭିମୁଖ୍ୟ ରହିଥିଲା । ଏଥିରୁ ଜଣାପଡ଼େ ଯେ, ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ମହଲରେ ଜୋରଦାର ପ୍ରୟାସ ହୋଇଛି । ଏହି ନୀତିଗୁଡ଼ିକର ଫଳାଫଳ କ'ଣ ହୋଇଛି? ଜିଡିପିରେ ଉତ୍ପାଦନର ଅବଦାନ କ'ଣ ବୃଦ୍ଧିପାଇଛି ଏବଂ ଏହା ଅନ୍ୟ ଏସୀୟ ଦେଶଗୁଡ଼ିକ ସହିତ କିପରି ତୁଳନା କରାଯାଏ? ତଥାପି, ବାସ୍ତବତା ହେଉଛି ଯେ ସ୍ଥିତିରେ ଉନ୍ନତି ହୋଇନାହିଁ ଏବଂ ଅନ୍ୟ ଏସୀୟ ଦେଶଗୁଡ଼ିକ ତୁଳନାରେ ଭାରତର ଜିଡିପିରେ ଉତ୍ପାଦନର ଅବଦାନ ପଛରେ ପଡ଼ିଛି ।

ତଥ୍ୟ ଅନୁସନ୍ଧାନ କଲେ ଜଣାପଡ଼େ ଯେ, ନିକଟ ଅତୀତରେ (୨୦୨୪-୨୦୨୬), ଭାରତର ଜିଡିପିରେ ଉତ୍ପାଦନର ଅବଦାନ ବୃଦ୍ଧି ହୋଇନାହିଁ ଏବଂ ପ୍ରାୟ (୧୬-୧୭%) ସୀମା ମଧ୍ୟରେ ରହିଆସିଛି, ଯାହା ଚାଇନା (୨୪-୨୫%), ଥାଇଲ୍ୟାଣ୍ଡ (୨୬-୨୮%), ଭିଏତନାମ (୨୪–୨୬%), ଜାପାନ (୨୦–୨୧%), ଦକ୍ଷିଣ କୋରିଆ (୨୫-୨୭%), ମାଲେସିଆ (୨୩- ୨୫%) ଏବଂ ବାଂଲାଦେଶ (୨୦-୨୩%) ପରି ଅନ୍ୟାନ୍ୟ ଏସୀୟ ଦେଶମାନଙ୍କ ତୁଳନାରେ କମ୍ ରହିଛି । ଏଥିସହିତ ଜାନୁଆରୀ ୨୦୨୬ରେ ବାଣିଜ୍ୟ ନିଅଣ୍ଟ ପ୍ରାୟ ୩୪.୭ ବିଲିୟନ ଡଲାରରେ ପହଞ୍ଚିଛି ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ଚୀନ୍ ସହିତ ବାଣିଜ୍ୟ ନିଅଣ୍ଟ ପ୍ରାୟ ୧୦୨ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ପୂରା ବର୍ଷପାଇଁ ୧୧୦ ବିଲିୟନ ଡଲାରରୁ ଅଧିକ ହୋଇପାରେ । ବିଶେଷ ଭାବରେ ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରପାତି, ସୋଲାର ଉପକରଣ ଏବଂ ଫାର୍ମାସ୍ୟୁଟିକାଲ୍ କଞ୍ଚାମାଲ ଉପରେ ଭାରତର ଚାଇନା ନିର୍ଭରଶୀଳତା ହେତୁ ଏହି ନିଅଣ୍ଟ ସୃଷ୍ଟି ହୋଇଛି । ଭାରତ ମଧ୍ୟ ଅନେକ ଦେଶ ସହିତ ବଳକା ବାଣିଜ୍ୟ କରିଥାଏ, ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା ସହିତ, ଯେଉଁଠାରେ ବଳକା ବାଣିଜ୍ୟ ପ୍ରାୟ ୩୫-୪୦ ବିଲିୟନ ଡଲାର ଥାଏ । ୟୁଏଇ ସହିତ ଏହା ପ୍ରାୟ ୧୫-୨୦ ବିଲିୟନ ଡଲାରର, ନେଦରଲ୍ୟାଣ୍ଡ ସହିତ ଭାରତର ପାଖାପାଖି ୧୦-୧୫ ବିଲିୟନ ଡଲାର, ବ୍ରିଟେନ ସହିତ ପ୍ରାୟ ୮-୧୨ ବିଲିୟନ ଡଲାରର ବଳକା ବାଣିଜ୍ୟ କରିବାର ଜଣାପଡ଼େ ।

ଯୁଦ୍ଧ ଏବଂ ମହାମାରୀ ସମୟରେ କଳାବଜାରି ଏବଂ ଓ ମହଜୁଦଦାରୀ ପରି କାର୍ଯ୍ୟକଳାପ ବ୍ୟାପକ ହୋଇଯାଏ, ବିଶେଷତଃ ଯେତେବେଳେ ସାଧାରଣ ଜନତା ଭାବନ୍ତି ଯେ ଆମଦାନୀ ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ । ଏହି ଭୟ ଜନସାଧାରଣଙ୍କ ମଧ୍ୟରେ ଆତଙ୍କିତ କ୍ରୟ କରିବାକୁ ଏବଂ ଏହାର ସୁଯୋଗ ନେଇ କଳାବଜାରିମାନେ କୃତ୍ରିମ ଅଭାବ ସୃଷ୍ଟିକରି ଦର ବଢ଼ାଇବା ପାଇଁ ସାମଗ୍ରୀକୁ ମହଜୁଦ କରନ୍ତି । ଯଦି ଅତ୍ୟାବଶ୍ୟକ ସାମଗ୍ରୀ ଘରୋଇ ଭାବରେ ଉତ୍ପାଦିତ ହୁଏ, ତେବେ ଏହା ଲୋକଙ୍କୁ ସ୍ଥିର ଉପଲବ୍ଧତା ବିଷୟରେ ଆଶ୍ୱାସନା ଦେଇଥାଏ, ଏହାଫଳରେ ଅତ୍ୟଧିକ ମହଜୁଦକାରୀ ଓ କଳାବଜାରି କମିଯାଏ । କେବଳ ଏକ ନୀତି ଘୋଷଣା କରିବା ପର୍ଯ୍ୟାପ୍ତ ନୁହେଁ, ଏହାର କାର୍ଯ୍ୟକାରୀ ଅମଳ ପାଇଁ ସ୍ପଷ୍ଟ ଯୋଜନା, ନିରୀକ୍ଷଣ ବ୍ୟବସ୍ଥା ଓ ଦାୟିତ୍ୱ ନିର୍ଦ୍ଧାରଣ ଆବଶ୍ୟକ । ସ୍ୱଳ୍ପମିଆଦି ଲକ୍ଷ୍ୟ ଏବଂ ମାପଯୋଗ୍ୟ ପରିଣାମ ନିର୍ଦ୍ଧାରଣ କରିବା ଦ୍ୱାରା ଦୀର୍ଘମିଆଦି ଲକ୍ଷ୍ୟ ସାଧନ ପାଇଁ ସହାୟକ ହୋଇପାରେ । ଯଦି କୌଣସି ନୀତିକୁ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରିବାକୁ ପଡ଼ିବ, ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇପାରେ: ନିର୍ଦ୍ଦିଷ୍ଟ ମାଇଲଖୁଣ୍ଟ ସହିତ ସମୟସୀମା ବିଶିଷ୍ଟ କାର୍ଯ୍ୟ ଯୋଜନା ସ୍ଥିର କରିବା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା, ମନିଟରିଂ ଏବଂ ମୂଲ୍ୟାଙ୍କନ ପ୍ରଣାଳୀକୁ ମଜବୁତ କରିବା ଏବଂ ଫଳାଫଳ ପାଇଁ ସମ୍ବନ୍ଧିତ ସଂସ୍ଥାମାନଙ୍କୁ ଉତ୍ତରଦାୟୀ କରିବା । ଅତିରିକ୍ତ ଭାବରେ ପର୍ଯ୍ୟାପ୍ତ ଭିତ୍ତିଭୂମି, ଆର୍ଥିକ ସହାୟତା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯୋଗାଇଦେବା ଦ୍ୱାରା ନୀତିର ଉଦ୍ଦେଶ୍ୟକୁ ବାସ୍ତବତାରେ ପରିଣତ କରିହେବ । ଏହା ସହିତ ଯୁବମାନଙ୍କର ସକ୍ରିୟ ଓ ନେତୃତ୍ୱମୂଳକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରି- ନବୀନତା, ଉଦ୍ୟମୀତା ଓ କୌଶଳ ବିକାଶ ମାଧ୍ୟମରେ ସେମାନଙ୍କୁ ଅଭିବୃଦ୍ଧିର ଚାଳକ ଭାବେ ଗଢ଼ିତୋଳିବା ଦରକାର ।