ନିରନ୍ତର ବିକାଶରେ ଦୁର୍ନୀତି ହେଉଛି ବଡ଼ ବାଧକ । ଲାଞ୍ଚ ନଦେଲେ ଘୁଞ୍ଚୁନି ସରକାରୀ ଫାଇଲ । ନିଜ ହକ୍ ପାଇବାକୁ ସାଧାରଣ ଲୋକଟିଏ ଲାଞ୍ଚ ଦେଉଛି । ଏହି ମାରାତ୍ମକ ବ୍ୟାଧି ଆମ ସରକାରୀ ବ୍ୟବସ୍ଥାକୁ ଖତେଇ ହେଉନି କି? ଦୁର୍ନୀତିରେ କାହିଁକି ଲାଗୁନି ତାଲା? କିଏ ଦେବ ଏ ପ୍ରଶ୍ନର ଉତ୍ତର?

​​​​​​​

ଆଖି ତରାଟିଲା ଭଳି ସଂପତ୍ତି । ବର୍ଷ କେଇଟାରେ ‘କଳାଧନ’ର ପାହାଡ଼ । ଯିଏ ଯେତେ ପାରିଲା ଲୁଟିଲା । ମାଳ ମାଳ ପ୍ଲଟ୍ । ଗଣ୍ଡା ଗଣ୍ଡା ଫ୍ଲାଟ୍ । ଚାକିରି କାଳ ସରିବା ବେଳକୁ ସଂପତ୍ତି ପରିମାଣ ଡେଉଁଛି ଦୁଇ ଶହ ଗୁଣ । ସରକାରୀ ପଦବୀର ଅପବ୍ୟବହାର କରି ନୀତି ନିୟମକୁ ଅଳିଆ ଗଦାକୁ ଫିଙ୍ଗି ଧନୀ ହେବାର ନିଶା ଘାରିଛି । ରାତି ପାହିଲେ ‘ଟଙ୍କା’ ଚିନ୍ତା । ଗୁପ୍ତଧନ ସାଇତିବାର ନିଶା । ଭିଜିଲାନ୍ସ ସିରିଜ୍ ଚଢ଼ାଉ କରୁଛି । ବଡ଼ ମାଛ ଜାଲରେ ପଡ଼ୁଛନ୍ତି । ସଂପତ୍ତି ସୂଚକାଙ୍କରେ ‘ଏକୁ ଆରେକ’ । ସରକାରୀ କର୍ମଚାରୀ ଏମିତି ବିପୁଳ ପରିମାଣର ଗୁପ୍ତଧନ ରଖିପାରନ୍ତି ତାହା ଆଶ୍ଚର୍ଯ୍ୟଚକିତ କରୁଛି । ‘ଆଈ ମା’କାହାଣୀ ଶୁଣିଲା ଭଳି ଲାଗୁଛି । ତାଳୁରୁ ତଳିପା’ ଯାଏ ଏବେ ଦୁର୍ନୀତିର ଘା’ । ଏହାର ମୂଳୋତ୍ପାଟନ ଦୂରର କଥା, ନିୟନ୍ତ୍ରଣ ବି ଆଖିଦୃଶିଆ ନୁହେଁ । କ’ଣ ଏହାର କାରଣ? ଆଇନ ତ ଅଛି, ଦଣ୍ଡବିଧାନ ହାର କେତେ? କିଛି ମୁଷ୍ଟିମେୟ ସରକାରୀ ବାବୁ ଆଖିରେ ଆଙ୍ଗୁଠି ଗେଞ୍ଜି ଏମିତି କେତେ ଦିନ କରିବେ ଅୟସ, ଆରାମ?

ତାଳୁରୁ ତଳିପା’ ଯାଏ ଉବୁଟୁବୁ

କଳାହାଣ୍ଡି ଧର୍ମଗଡ଼ର ଉପଜିଲ୍ଲାପାଳ ଥିବା ଆଇଏଏସ୍ ଧୀମାନ ଚକମା ଲାଞ୍ଚ ନେବା ଘଟଣା ଜାତୀୟ ଗଣମାଧ୍ୟମ ପାଇଁ ଥିଲା ବଡ଼ ଖବର । ସେହିଭଳି ୨୦୧୯ ଓଏଏସ୍ ଟପ୍ପର ସମ୍ବଲପୁର ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ନେଇ ଧରା ହେଲେ । ଧୀମାନ ତ୍ରିପୁରାର ପଛୁଆ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା । ସେ ୨୦୨୧ରେ ଆଇଏଏସ୍ ହୋଇ ପାଲଟି ଯାଇଥିଲେ ରୋଲ୍ ମଡେଲ । ଦିନ କେଇଟା ପରେ ଏବେ ସେ ଘୃଣାର ପାତ୍ର । ଦେଶ ପାଇଁ, ରାଜ୍ୟ ପାଇଁ କାମ କରିବାର ଶପଥ ନେଇଥିବା ଏ ଯୁବ ଅଫିସରମାନେ ହଠାତ୍ କେମିତି ଦୁର୍ନୀତିର ବୁଢ଼ିଆଣୀ ଜାଲରେ ଛନ୍ଦି ହେଲେ? ମୋହ ଓ ଲୋଭଗ୍ରସ୍ତ ହୋଇ କେବଳ ‘କଳାଟଙ୍କା’ ପଛରେ ଧାଇଁଲେ? ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଏହିଭଳି ୧୫ ଯୁବ ଅଫିସର ଜାଲରେ ପଡ଼ିଛନ୍ତି । ସରକାର ଆଉ କେତେ ସୁବିଧା ସୁଯୋଗ ଦେଇଥିଲେ ମନ ଶାନ୍ତି ହୋଇଥାନ୍ତା?

ଚାକିରି ପୂର୍ବରୁ ପ୍ରତିଶ୍ରୁତି ଦେଉଛନ୍ତି, ଚାକିରି ପାଇବା ପରେ ଭୁଲି ଯାଉଛନ୍ତି । ଚାକିରି ଆରମ୍ଭ ଦିନରୁ ଗଳାବାଟରେ ‘ଧନଲକ୍ଷ୍ମୀ’ଙ୍କ ଆବାହନ । ବହୁ ସରକାରୀ ବାବୁ ସାରା ଜୀବନ ସଚ୍ଚୋଟତାର ସହ କାମ କରୁଛନ୍ତି । ନିଜ ରୋଜଗାରକୁ ନେଇ ଦିନ କାଟୁଛନ୍ତି । ହେଲେ ଆଉ କିଛି ଏମିତି ଦୁର୍ନୀତିକୁ କାହିଁକି ମନ୍ତ୍ର କରୁଛନ୍ତି? ଯେତିକି ଉଚ୍ଚଶିକ୍ଷିତ, ସେତିକି ଅଧିକ ଦୁର୍ନୀତି । ବାବୁମାନେ ସରକାରୀ ତହବିଲରୁ ଚଳୁ କରି ନିଜ ସମ୍ପତ୍ତି ବଢ଼ାଉଛନ୍ତି । ‘ଗୁପ୍ତଧନ’ର ଭଣ୍ଡାର ଠୁଳ କରିବା ପରେ ଧରାପଡ଼ୁଛନ୍ତି । ଦୁର୍ନୀତିର ଏ ଦାନବ କାୟା ମେଲାଇ ଚାଲିଛି । ସରକାର ଫାଶ ଭିଡ଼ୁଛନ୍ତି । ହେଲେ ଫଳ ସନ୍ତୋଷଜନକ ନୁହେଁ । ଗତ ଦେଢ଼ ବର୍ଷରେ ଦୁର୍ନୀତିଯୁକ୍ତ ୩୦୨ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଥିରେ ଅଛନ୍ତି ୯୦ ଜଣ ପ୍ରଥମ ପାହ୍ୟା ଅଫିସର । ସର୍ବଭାରତୀୟ ସେବା ଅଧିକାରୀ, ଚିଫ୍ ଇଞ୍ଜିନିୟର, ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଏବଂ ପୁଲିସ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୩୦୩ ଜଣଙ୍କୁ ଗିରଫ କରାଯାଇଛି । ୭୩୯ ଚଢ଼ାଉ ସହ ୨୨୧ କୋଟି ଟଙ୍କା ଜବତ ହୋଇଛି । ୨୪ କେଜି ସୁନା, ୮୩୨ ପ୍ଲଟ, ୮୪ ଏକର ଜମି, ୮ଟି ଫାର୍ମ ହାଉସ୍ ଜବତ ସହ ୧୪୭୮ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ ହୋଇଛି । ୩୩୦ ଜଣ ସରକାରୀ ଚାକିରିଆ ବହିଷ୍କୃତ ହୋଇଛନ୍ତି । ତେବେ ଏହା ସମୁଦ୍ରରୁ ଶଙ୍ଖେ । ଖାଲି ଲୋକ ଦେଖାଣିଆ । ଦୁର୍ନୀତିର ଏ ସାମାଜିକ ବ୍ୟାଧିକୁ ନିୟନ୍ତ୍ରଣ ନ କଲେ ବିକାଶ ପାଇଁ ଖାଲି ଆମେ ଦିନ ଗଣୁଥିବା ।

କାଟୁ କରୁନି ଦନ୍ତହୀନ ଆଇନ

ବିଲେଇ ଆଖି ବୁଜି କ୍ଷୀର ପିଇଲା ଭଳି ଆମ ସରକାରୀ ବାବୁମାନେ ମଧ୍ୟ ଲାଞ୍ଚ ନେଇ ଅନିୟମିତତାକୁ ପ୍ରଶ୍ରୟ ଦେଉଛନ୍ତି । ସରକାରୀ ତହବିଲକୁ କ୍ଷତି ପହଞ୍ଚାଉଛନ୍ତି । ବିକାଶ ରାସ୍ତାରେ ସାଜୁଛନ୍ତି ବାଡ଼ । ଲୋଭ ଓ ଆଗକୁ ଯିବାର ଝୁଙ୍କ୍ ହିଁ ଦୁର୍ନୀତିର କାରଣ । ହକ୍ ଓ ସରକାରୀ ସେବା ପାଇଁ ସାଧାରଣ ମଣିଷଟିଏ ହାତଗୁଞ୍ଜା ଦେଉଛି । ଦୁର୍ନୀତି ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ବଡ଼ ରୋଗ । ଆମ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ନୀତି ଓ ଭ୍ରଷ୍ଟାଚାଲ ମାମଲା । ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ (୨୦୨୪) କହୁଛି ଦୁର୍ନୀତି ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରେ ଭାରତ ୯୬ତମ ସ୍ଥାନରେ ଅଛି । ଲାଞ୍ଚ ହେଉଛି ଦୁର୍ନୀତିର ମୂଳଦୁଆ । ଦୁର୍ନୀତି ନିବାରଣରେ ଆମକୁ ଆଖିଦୃଶିଆ ଫଳ ମିଳୁନି । ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ସଂଖ୍ୟା ସାଢ଼େ ୪ କୋଟିରୁ ଅଧିକ । ଆମ ରାଜ୍ୟରେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ପ୍ରାୟ ସାଢ଼େ ୪ ଲକ୍ଷ । ସମଗ୍ର ଦେଶରେ ୫୦ କୋଟିରୁ ଅଧିକ ଶ୍ରମଜୀବୀ ଅଛନ୍ତି । ସିବିଆଇ, ଆୟ କର, ଏନ୍ସିବି, ଇଡିଠାରୁ ଆରମ୍ଭ କରି ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ, ପୁଲିସ ଆଦି ବହୁ ସଂସ୍ଥା ଅଛି । ଦୁର୍ନୀତି ରୋକିବାକୁ ବି ମାଳମାଳ ଆଇନ । ହେଲେ ରକ୍ଷକମାନେ ଭକ୍ଷକ ସାଜୁଥିବାରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଜାତୀୟ ବ୍ୟାଧିରେ ପରିଣତ ହୋଇଛି । ବାଡ଼ ଖାଉଛି କ୍ଷେତ । ଫିନ୍ଲ୍ୟାଣ୍ଡ, ଡେନ୍ମାର୍କ, ସ୍ୱିଡେନ୍ ଓ ସିଙ୍ଗାପୁର ଭଳି ଦେଶ ସ୍ୱଚ୍ଛତା ପାଇଁ କାହିଁ କେତେ ଆଗରେ । ବର୍ଷକୁ ବର୍ଷ ଦୁର୍ନୀତି ନିବାରଣ ଆଇନରେ ମାମଲା ସଂଖ୍ୟା ବଢ଼ୁଛି । ତେବେ ଏହି ମାମଲାରେ ଦଣ୍ଡବିଧାନ ହାର ଜାତୀୟ ସ୍ତରରେ ମାତ୍ର ୪୦ ପ୍ରତିଶତ । ଓଡ଼ିଶାରେ ଦୁର୍ନୀତିଖୋର ଅଧିକାରୀଙ୍କୁ ଧରିବା ସହ ଆୟ ବହିର୍ଭୂତ ଗୁପ୍ତଧନ ଖୋଜିବା ଅଭିଯାନକୁ ଜୋରଦାର୍ କରିଛି ରାଜ୍ୟ ଭିଜିଲାନ୍ସ । ଗତବର୍ଷ ଦଣ୍ଡହାର ପ୍ରାୟ ୫୦ ପ୍ରତିଶତ ଥିଲା । ଏହା ରାଜ୍ୟ ଭିଜିଲାନ୍ସର ବଡ଼ ସଫଳତା ବୋଲି କୁହାଯାଉଛି । ମାତ୍ର ଅଳ୍ପ ପଥ ଅତିକ୍ରାନ୍ତ, ବହୁପଥ ବାକି ଭଳି ଏ କଳାଧନର କୁବେରମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହାର ବଢ଼ାଇବାର ଆବଶ୍ୟକତା ରହିଛି । ଆମ ଦନ୍ତହୀନ ଆଇନର ଗଳାବାଟରେ ଲାଞ୍ଚଖୋର ବାବୁମାନେ ଖସି ଯାଉଛନ୍ତି । ଜବତ ସଂପତ୍ତି ବାଜ୍ୟାପ୍ତିର ସମ୍ଭାବନା ନାହିଁ କହିଲେ ଚଳେ । ଦୁର୍ନୀତିମୁକ୍ତ ଓଡ଼ିଶା ଗଢ଼ିବାକୁ ସରକାର ଆଇନକୁ ସଂଶୋଧନ କରି ଶକ୍ତିଶାଳୀ କରନ୍ତୁ । ଦୋଷୀ କଠୋର ଦଣ୍ଡ ପାଆନ୍ତୁ ।

ବିକାଶରେ ବଡ଼ ବାଧକ

ବହୁତ ହୋଇଗଲା । ସରକାର ଦୁର୍ନୀତିକୁ ବରଦାସ୍ତ କରିବେନି । ରାଜନୈତିକ ଚାପକୁ ଶୁଣନି । ଦୁର୍ନୀତିକୁ ବାଏ ବାଏ କରି ସଚ୍ଚୋଟତାର ସହ କାମ କର । ଏଥିରେ ଏପାଖ ସେପାଖ ନଜରକୁ ଆସିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳ-ଏସ୍‌ପି ସମ୍ମିଳନୀରେ ଏମିତି ଫତୱା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନିୟମିତତା କିମ୍ବା ବେଆଇନ କାମ ନ କରି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୁଶାସନ ପାଇଁ ଦୁର୍ନୀତି ବଡ଼ ବ୍ୟାଧି ବୋଲି ସେ ସତର୍କ କରାଇ ଦେଇଛନ୍ତି । ଗାଦିମଡ଼ା ବାବୁଙ୍କ ପାଇଁ ଦୁର୍ନୀତି ବଢ଼ୁଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଗାଦିମଡ଼ା ବାବୁଙ୍କୁ ବଦଳି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ଚାପରେ ପଡ଼ି ଲୋକମାନଙ୍କୁ ହଇରାଣ ହରକତ ନ କରିବାକୁ ଏସ୍ପିମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ସରକାର ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ପାଇଁ ସଂକଳ୍ପବଦ୍ଧ ବୋଲି ବାର୍ତ୍ତା ଦେଇଛନ୍ତି । ଅଧିକାରୀମାନେ ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରନ୍ତୁ । ପୁଲିସ ଏସ୍ଆଇ ସ୍କାମ ଯୋଗୁଁ କେତେ ସଂଖ୍ୟାରେ ଯୁବପିଢ଼ି ଅନ୍ତର୍ଦାହରେ ଛଟପଟ ହେଉଛନ୍ତି କିଏ ହିସାବ ରଖିଛି? ଅମିନ ଓ ଆରଆଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାସ ମାସ ଧରି ପ୍ରସ୍ତୁତି କରିଥିବା ପିଲାଙ୍କୁ କେତେ ମାନସିକ ଆଘାତ ଦେଇଛି? କାହିଁକି ସରକାରୀ ନୀତି ନିୟମ, ଲୋକଙ୍କୁ ସେବାକୁ ସାତପର କରି ଦୁର୍ନୀତିକୁ ଆପଣାର କରୁଛନ୍ତି ସରକାରୀ ବାବୁ? ୟୁପିଏସ୍‌ପି ଓ ଓପିଏସ୍ସିରେ ଭଲ ପ୍ରଦର୍ଶନ କରିଥିବା ପିଲାମାନେ ଦୁର୍ନୀତିରେ ଲିପ୍ତ ହୋଇ ଜେଲ୍ ଯାଉଛନ୍ତି । ଏହା ସବୁଠାରୁ ବଳି ସାମାଜିକ ବିଡ଼ମ୍ବନା । ଯେଉଁମାନଙ୍କୁ ଆଦର୍ଶ ବୋଲି ନୂଆ ପିଢ଼ି ଭାବୁଛନ୍ତି, ଲୋଭର ନିଆଁରେ ନୀତି ନୈତିକତାକୁ ଜାଳି ପୋଡ଼ି ସେମାନେ ପାଉଁଶ କରି ଦେଉଛନ୍ତି । ସମାଜ ପାଇଁ ଏହା ଦୁର୍ଭାଗ୍ୟଜନକ ନା ପ୍ରଶାସନିକ ତ୍ରୁଟି? ହଁ..ମନେଡ଼ୁଛି ଆଶୁତୋଷ ରାଣାଙ୍କ ଫେସବୁକ୍ ପୋଷ୍ଟ । ମଣିଷ ୫ ହଜାର ବର୍ଗଫୁଟର ବଙ୍ଗଳା ତିଆରି କରୁଛି । ହେଲେ ରହୁଛି ମାତ୍ର ୫ ଶହ ବର୍ଗଫୁଟରେ । ବଳକା ଅଂଶରେ ରହୁଛି କେବଳ ଅହଂକାର । ଆବଶ୍ୟକତାଠାରୁ ଅଧିକ ଆଶା, ନିଜକୁ ସମାଜରେ ପ୍ରତିଷ୍ଠିତ କରାଇବାକୁ ମିଛ ମାୟାମୃଗ ପଛରେ ଲମ୍ବା ଦୌଡ଼ ଆମକୁ ବେଶ୍ କ୍ଷତି ପହଞ୍ଚାଉଛି । କେବେ ଏ ବିଷୟରେ ଭାବିଛନ୍ତି?