ମୁମ୍ବାଇ: ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି (ନ‌ଭେମ୍ବର ୨୩) ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ କିଏ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । ନିର୍ବାଚନ ପରେ ଆସିଥିବା ଏକଜିଟ୍‌ ପୋଲ୍‌ ଅନୁସାରେ, ମହାରାଷ୍ଟ୍ରରେ ମହାୟୁତି ସରକାର ଆସିବ । ଏବେ ପ୍ରଶ୍ନ ଯେ, ଯଦି ମହାୟୁତି ସରକାର ଗଢ଼େ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ? 

ଏହାରି ଭିତରେ ବିଜେପିର ବରିଷ୍ଠ ନେତା ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ନାଗପୁରର ମହାଲସ୍ଥିତ ସଂଘ ମୁଖ୍ୟାଳୟରେ ପହଞ୍ଚି ଆରଏସଏସ୍‌ର ସରସଂଘଚାଳକ ମୋହନ ଭାଗବତଙ୍କୁ ଭେଟିଛନ୍ତି । କିନ୍ତୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଫଡ଼ନାଭିସ୍‌ କହିଛନ୍ତି । ଏକଜିଟ୍‌ ପୋଲ ଅନୁସାରେ ବିଜେପି ନେତୃତ୍ବାଧୀନ ମହାୟୁତିକୁ ୧୩୦-୧୫୬ ଆସନ୍ ମିଳିପାରେ । କିନ୍ତୁ ଏକଜିଟ୍‌ ପୋଲକୁ ନେଇ ଆକଳନ କରେ ନାହିଁ ବୋଲି ଫଡ଼ନାଭିସ୍‌ କହିଛନ୍ତି ।  ଏହା ସହ ସେ କହିଛନ୍ତି, ଅନ୍ତିମ ପରିଣାମକୁ ଅପେକ୍ଷା କରିବାକୁ ପଡ଼ିବ । ମହାୟୁତି ବହୁମତ ପାଇବ ବୋଲି ବିଶ୍ବାସ ଅଛି ।  

ଅନ୍ୟପଟେ ଆରଏସଏସ୍‌ ମୁଖ୍ୟଙ୍କ ସହ ପ୍ରାୟ ୧୫ ମିନିଟ୍‌ ଧରି ଫଡ଼ନାଭିସ୍‌ ଆଲୋଚନା କରିଛନ୍ତି ।  ଶୀର୍ଷ ପଦ (ମୁଖମନ୍ତ୍ରୀ) ପାଇଁ ଫଡ଼ନାଭିସ ସଂଘର ସମର୍ଥନ ପାଇବାକୁ ଚେଷ୍ଟା କରୁଥାଇପାରନ୍ତି ବୋଲି କେତେକ ରାଜନୈତିକ ସମୀକ୍ଷକ ଯୁକ୍ତି ବାଢ଼ିଛନ୍ତି । ସେହିଭଳି ଏଥର ମହାରାଷ୍ଟ୍ରରେ ବିଜେପି ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁଛି । ସରକାର ଗଢ଼ିବାକୁ ବିଜେପି ଆଉ କେଉଁ ଦଳକୁ ଦାବିଦାର କରାଇବା ମୁଡ୍‌ରେ ନାହିଁ । ଆଉ ଏଥିପାଇଁ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଜେପି ଆରଏସଏସ୍‌ର ପରାମର୍ଶ ନେଉଛି ବୋଲି କୁହାଯାଉଛି ।