ପୁରୀ, ୨୧।୩: ଶ୍ରୀକ୍ଷେତ୍ରରେ ପାଦ ଦେଉ ଦେଉ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜଗନ୍ନାଥପ୍ରେମୀ । ବଡ଼ଦାଣ୍ଡ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ଓ ବହୁତଳ ବିଲ୍ଡିଂକୁ ମିଶାଇ ବିଶାଳ ଚାରିଚକିଆ ପାର୍କିଂ । ଦେଶର ବିଭିନ୍ନ ପ୍ରାନ୍ତରୁ ଦୈନିକ ପ୍ରାୟ ଅଢ଼େଇ ହଜାର ଭଳି ଗାଡ଼ି ଆସୁଛି । ହଜାର ହଜାର ଯାତ୍ରୀ ଠାକୁର ଦର୍ଶନ ପାଇଁ ଆସି ସେହିଠାରେ ପ୍ରଥମେ ପାଦ ଥାପୁଛନ୍ତି । ଦର୍ଶନକୁ ଯିବା ପୂର୍ବରୁ ପାର୍କିଂରେ ଦୁର୍ଦ୍ଦଶା ଭୋଗୁଛନ୍ତି । ପୁରୀ ସହରର ସବୁଠାରୁ ବ୍ୟସ୍ତ ତଥା ଯାତ୍ରୀ ବହୁଳ ପାର୍କିଂରେ ଶୌଚାଳୟ ଟିଏ ନାହିଁ । ସେଠାରେ ଥିବା ଦ୍ୱିତଳ ଶୌଚାଳୟରେ ବର୍ଷ ବର୍ଷ ହେଲା ତାଲା ପଡ଼ିଛି । ପାର୍କିଂ ନାମରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ହେଲେ ଅତି ଜରୁରି ସୁବିଧା ନଦେଇ ସାଧାରଣ ମାନବିକତା ଭୁଲିଛନ୍ତି । ଏଣୁ ବାଧ୍ୟବାଧକତାରେ ଶ୍ରଦ୍ଧାଳୁମାନେ ଶୌଚାଳୟ ଖୋଜି ଯିଏ ଯେଉଁଠି ପାରିଲା କାର୍ଯ୍ୟ ସାରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ସଭିଙ୍କ ମୁକ୍ତାକାଶ ଶୌଚାଳୟ ପାଲଟିଛି । ପାର୍କିଂର ପ୍ରବେଶ ଦ୍ୱାର ପାଶ୍ୱର୍କୁ ସ୍ଥାନୀୟ କିଛି ଦୋକାନୀ ପରିସ୍ରାଗାର ଭାବେ ବାଛିଛନ୍ତି ।
ଏହା ବି ପଢ଼ନ୍ତୁ... ଭୁବନେଶ୍ୱର ରାସ୍ତାର ବଦଳିବ ଚେହେରା; ନିର୍ମାଣ ହେବ ୩୭ ନୂତନ ରାସ୍ତା,ଏଜିରୁ ବିମାନବନ୍ଦର ଭୂତଳ ମାର୍ଗ
ଅପରପାଶ୍ୱର୍ର ଖୋଲା ପଡ଼ିଆ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ପେଟ ଖାଲି କରିବା ଆସ୍ଥାନ ପାଲଟିଛି । ଜଙ୍ଗଲିଆ ଜାଗା ଦେଖି ମହିଳାମାନେ କାର୍ଯ୍ୟ ସାରୁଛନ୍ତି । କେହି କେହି ଗାଡ଼ି ତଥା କ୍ୟାବିନ୍ ପଛକୁ ଆଢ଼ୁଆଳ କରି ଅନ୍ୟ ସାଥିକୁ ଜଗାଇ ହାଲ୍କା ହେଉଛନ୍ତି । ହୃଦୟ ଯୋଜନାରେ ଗଢ଼ା ବିଶାଳ ପଥର ନିର୍ମାଣ ପରିତ୍ୟକ୍ତ ପଡ଼ିଥିବା ସ୍ଥଳେ ପରିସ୍ରା ଗନ୍ଧରେ ଉକ୍ତ ଅଞ୍ଚଳକୁ ପ୍ରବେଶ କରି ହେଉନାହିଁ । ନିକଟରେ ମହାବୀରଙ୍କ ମନ୍ଦିର ପାର୍ଶ୍ୱ ବି ବାଦ୍ ପଡ଼ୁନାହିଁ । ଲୋକେ ଠାକୁରଙ୍କ ଉଦ୍ୟାନରେ ମଳ ଓ ପରିସ୍ରା ତ୍ୟାଗ କରିବା ପରେ ବେଣ୍ଟ ପୋଖରୀରେ ଶୌଚ ହେଉଛନ୍ତି । ଏଭଳି ସ୍ଥିତିରେ କାହାକୁ ଦେଖନ୍ତୁ ବା ନଦେଖନ୍ତୁ ପାର୍କିଂ ସ୍ଥଳିର ଦୁର୍ଗନ୍ଧରୁ ଯେ କେହି ଏଠାକାର ସ୍ଥିତି ପରଖିପାରିବେ । ଯାଜପୁରର ମନୋରମା ଦେବୀ କୁହନ୍ତି, ଗାଡ଼ିରେ ଏତେ ସମୟ ବସି ଆସିବା ପରେ ଶୌଚାଳୟକୁ ଆସିଥିଲି । ପୂର୍ବରୁ ଏହିଠାରେ ଟଙ୍କା ଦେଇ ନିତ୍ୟକର୍ମ ସାରିଥିଲୁ । ଆଜି ଦେଖିଲୁ ସେଠାରେ ତାଲା ପଡ଼ିଛି । ପାର୍କିଂ ଜଗୁଆଳିଙ୍କୁ ପଚାରିବାରେ ସେ ଯେଉଁଠିକୁ ପଠାଇଲେ ପାଇଲୁନି । ବାଧ୍ୟ ହୋଇ ଜଣେ ଜଗି ଅନ୍ୟ ଜଣେ କାର୍ଯ୍ୟ ସାରିଲୁ ।
ସ୍ୱାଭାବିକ ଭାବେ ଆମ ଭଳି ବହୁ ଲୋକ ସମସ୍ୟା ଭୋଗୁଛନ୍ତି । ନିୟମିତ ବ୍ୟବଧାନରେ ଗାଡ଼ି ନେଇ ଆସୁଥିବା ଟ୍ୟାକ୍ସି ଚାଳକ କିଶୋର କୁମାର ଦାସ କୁହନ୍ତି, ଏଠାକାର ଆବର୍ଜନାପୂର୍ଣ୍ଣ ମାହୋଲରେ ରହିବା ବଡ଼ କଷ୍ଟକର । ଯେଉଁଆଡ଼େ ଦେଖିବ ଅଳିଆ ଅପରିଷ୍କାର ଓ ଦୁର୍ଗନ୍ଧ । ଯାତ୍ରୀ ଆମକୁ ପଚାରୁଛନ୍ତି କେଉଁଠି ଶୌଚ ହେବେ ! ଏତେ ବଡ଼ ପାର୍କିଂରେ ଗୋଟିଏ ମଧ୍ୟ ଶୌଚାଳୟ ନାହିଁ । ବହୁ ଦିନରୁ ଆସୁଛି ସ୍ଥିତି ଅପରିବର୍ତ୍ତିତ ଦେଖୁଛି । ଯାତ୍ରୀମାନେ ୫/୬ ଘଣ୍ଟା ଲେଖା ଗାଡ଼ିରେ ଚିପି ହୋଇ ବସି ପାର୍କିଂରେ ଓହ୍ଲାଇବାକୁ ଅପେକ୍ଷା କରୁଛନ୍ତି । ଦେଖିଲା ବେଳକୁ ଏଠାକାର ସ୍ଥିତି ଆହୁରି ସଙ୍ଗୀନ । ଗାଡ଼ି ରଖିବାକୁ ଭଡ଼ା ନେଉଛନ୍ତି । କେବଳ ସ୍ଥାନଟି ବ୍ୟତିତ ଆଉ କୌଣସି ସୁବିଧା ଦେଉ ନାହାନ୍ତି । ଏଠାରୁ ବହୁ ଦୂରରେ ପାଇଖାନା ଅଛି । ହେଲେ ଏତେ ଲୋକଙ୍କୁ ଦୁଇ ଚାରିଟି ପରିସ୍ରାଗାର ସମୁଦ୍ରକୁ ସଙ୍ଖେ । ଏତେବଡ଼ ପାର୍କିଂରେ ଶୌଚାଳୟ ନଥିବାରେ ସେଠାରେ ରହୁଥିବା ଲୋକେ ମଧ୍ୟ ଅତି ଅସନ୍ତୁଷ୍ଟ । ସେମାନେ କୁହନ୍ତି ପୂର୍ବରୁ ଏକ ଛୋଟ ଶୌଚାଳୟ ଥିଲା । ତାହା ପର୍ଯ୍ୟାପ୍ତ ନହେବାରେ ନୂଆ ଏକ ଦୁଇ ତାଲା ବିଶିଷ୍ଟ ଶୌଚାଳୟ ତିଆରି ହେଲା । ଉଭୟ ବହୁ ଦିନ ଚାଲିଲା । ଲୋକେ ଦେୟ ଦେଇ ବ୍ୟବହାର କରୁଥିଲେ । ଏବେ ୨ ବର୍ଷ ହେଲା ବହୁତଳ ଶୌଚାଳୟ ଅକାମୀ ପଡ଼ିଛି । ଯଦି ଖରାପ ହେଲା ଏହାକୁ ତୁରନ୍ତ ତିଆରି କରିବା କଥା । ପ୍ରତିଦିନ ହଜାର ହଜାର ଲୋକ ହଇରାଣ ହେଉଥିବା ଦେଖୁଥିଲେ ସୁଦ୍ଧା ଆମେ ନିରୁପାୟ । ପାର୍କିଂ ନାମରେ ଲକ୍ଷ ଲକ୍ଷ ଟଙ୍କା ନେଇ ଲୋକଙ୍କୁ ହଇରାଣ ହେବାକୁ ଛାଡ଼ୁଛନ୍ତି ।
ଏନେଇ ଜଗନ୍ନାଥ ବଲ୍ଲଭ ମଠ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଦାସ କୁହନ୍ତି, ପାର୍କିଂ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନାରେ । ଦୁଇତଳ ବିଶିଷ୍ଟ ଶୌଚାଳୟର ବକେୟା ବିଜୁଳି ଦେୟ ବହୁ ଦିନରୁ ଦିଆସରିଛି । ଉପରମହଲା କାର୍ଯ୍ୟକ୍ଷମ ନଥିଲା । ଶୌଚାଳୟ ଭିତରେ କିଛି ଉପକରଣ ଭାଙ୍ଗିଛି । ଅନୁମାନ ହେଉଛି ସବୁ କିଛି ମରାମତି ପାଇଁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଭଳି ଖର୍ଚ୍ଚ ହେବ । ଏଣ୍ଡାଓମେଣ୍ଟ କମିଶନ ଓ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ବିନା କାର୍ଯ୍ୟ କରିହେବ ନାହିଁ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କୁହନ୍ତି, କ୍ଷେତ୍ର ପରିଦର୍ଶନ କରିବା ସହ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଏନେଇ ଏକାଧିକ ଥର ବୈଠକ ହୋଇଛି । ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଚାଲିଥିବାରେ ଓବିସିସି ଶ୍ରୀମନ୍ଦିର ପ୍ରଶାସନକୁ ଉକ୍ତ ନିର୍ମାଣ ହସ୍ତାନ୍ତର କରି ନାହିଁ । ଓବିସିସି ମେ ସୁଦ୍ଧା କାର୍ଯ୍ୟ ସାରିବ ବୋଲି କହିଛନ୍ତି । ଏଣୁ କିଛି ସମସ୍ୟା ରହିଥାଇ ପାରେ । ପୁନଃ ଆମେ ସେଠାକୁ ଯାଇ ଦେଖିବା ପରେ ପୁରୁଣା ଶୌଚାଳୟ ଖୋଲାଯିବା ନେଇ ଯାହା ସମ୍ଭବ କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି ।