ମଧ୍ୟପ୍ରଦେଶ, ୩୦।୪: ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ୫୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଓଭରଲୋଡେଡ୍ ପିକଅପ୍ ଭ୍ୟାନ୍ ଏବଂ ଏକ ସ୍କର୍ପିଓ ମଧ୍ୟରେ ହୋଇଥିବା ଏହି ଭୟଙ୍କର ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥର ଚିକଲିଆ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଧାର୍ରୁ ଅମଝେରା ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନରେ କ୍ଷମତାଠାରୁ ଅଧିକ ଶ୍ରମିକଙ୍କୁ ବସାଯାଇଥିଲା । ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡର ସହ ଧକ୍କା ହୋଇଥିଲା ଏବଂ ପରେ ଓଲଟି ପଡ଼ି ସାମ୍ନା ପଟୁ ଆସୁଥିବା ଏକ ସ୍କର୍ପିଓ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ଶ୍ରମିକ ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି ।
ଉଚ୍ଚ ଶବ୍ଦରେ ଗୀତ ଓ ଓଭରଲୋଡିଂରୁ ଦୁର୍ଘଟଣା:
ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ଗାଡ଼ି ଚାଳକ ଜଣକ ଅତି ଉଚ୍ଚ ଶବ୍ଦରେ ଗୀତ ବଜାଇ ବେପରୁଆ ଭାବେ ଗାଡ଼ି ଚଲାଉଥିଲେ । ଏହା ସହିତ ଗାଡ଼ିରେ ଲୋକଙ୍କୁ ଠୁସି ଠୁସି ଭର୍ତ୍ତି କରାଯାଇଥିଲା, ଯାହା ଗାଡ଼ିର ସନ୍ତୁଳନ ରକ୍ଷା କରିବାରେ ବାଧକ ସାଜିଥିଲା । ଏକ ସଙ୍ଗେ ଏତେ ସଂଖ୍ୟକ ଆହତ ଡାକ୍ତରଖାନାକୁ ଆସିବାରୁ ଧାର୍ ଜିଲ୍ଲା ଚିକିତ୍ସାଳୟରେ ଶଯ୍ୟାର ଅଭାବ ଦେଖାଦେଇଥିଲା । ବାଧ୍ୟ ହୋଇ ଗୁରୁତର ଶ୍ରମିକମାନଙ୍କୁ ଚଟାଣରେ ଶୁଆଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି ।
ସରକାରୀ ସହାୟତା ଘୋଷଣା:
ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ ଅନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ମିଳିଛି । ଏସପିଙ୍କ କହିବା ଅନୁଯାୟୀ, ଦ୍ରୁତ ଗତି ଯୋଗୁଁ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ପିକଅପ୍ଟି ରାସ୍ତାରେ ଓଲଟି ପଡ଼ିଥିଲା । ଗାଡ଼ିଟି ଓଲଟିବା କାରଣରୁ ଶ୍ରମିକମାନେ ଅତି ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଅନେକଙ୍କର ମୃତ୍ୟୁ ହୋଇଥିଲା । ଗାଡ଼ିଟି ଓଲଟିବା ସମୟରେ ଏହାର ଗତି ଏତେ ପ୍ରଖର ଥିଲା ଯେ, ଏହା ରାସ୍ତାର ଅପରପାର୍ଶ୍ୱକୁ ଚାଲିଯାଇ ସାମ୍ନା ପଟୁ ଆସୁଥିବା ଏକ ସ୍କର୍ପିଓ ସହ ଜୋରଦାର ଧକ୍କା ହୋଇଥିଲା । ଏହି ମୁହାଁମୁହିଁ ସଂଘର୍ଷ ଦୁର୍ଘଟଣାର ଭୟାବହତାକୁ ଆହୁରି ବଢ଼ାଇ ଦେଇଥିଲା ।
ଆହୁରି ପଢ଼ନ୍ତୁ... ଅଲୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗ୍ୟାସ୍ ଲିକ୍ରୁ ହୁତୁହୁତୁ ହୋଇ ଜଳିଲା କାର୍, ୫ ଯାତ୍ରୀ ପୋଡ଼ି ଅଙ୍ଗାର