ଧୂପର ଧୂଆଁରେ ରହିଥିବା ଏହି ମାରାତ୍ମକ ଜିନିଷଗୁଡ଼ିକ ଆମମାନଙ୍କ ଶରୀରରେ କିପରି ତାଣ୍ଡବ ରଚାନ୍ତି ତା’ ଉପରେ ମଧ୍ୟ କାମ କିଛି କମ୍ ନୁହେଁ । ୨୦୦୨ ମସିହାରେ ଏକ ବିସ୍ତୃତ ଗବେଷଣାକୁ ଆଧାର କରି ମେକ୍ବ୍ରାଏନ୍ ଏବଂ ଫ୍ଲାନ୍ ମତ ଦିଅନ୍ତି ଯେ, ପୃଥିବୀର ବିଭିନ୍ନ ପ୍ରାନ୍ତରେ ଧୂପଧୂଆଁର ବିଷକ୍ରିୟା ଅଲଗା ଅଲଗା ହୋଇଥାଏ । କାରଣ ସବୁଠି ଧୂପର ଉପାଦାନ ଏବଂ ତିଆରି ହେବା ପ୍ରଣାଳୀ ଭିନ୍ନ ଭିନ୍ନ ହୋଇଥାଏ ନିଜ ନିଜର ସଂସ୍କୃତି ଓ ଚାହିଦାକୁ ଆଖି ଆଗରେ ରଖି ।
ମୁଁ ରହୁଥିବା ସାହିର ଗଳିମୁଣ୍ଡରେ ସହରର ଏକ ବଡ଼ ଛକ । ସେହି ଗଳିରୁ ଛକକୁ ବାହାରି ମେନ୍ରୋଡ୍ ଉପରେ ଡାହାଣକୁ ଖଣ୍ଡେ ବାଟ ଗଲେ ମୋର ଏକ ପୁରୁଣା ଛାତ୍ରର ଜେରକ୍ସ ଦୋକାନ । ଏ ଲେଖାଲେଖି ଧନ୍ଦା ପାଇଁ ତା’ ପାଖକୁ ଯିବା ମୋ ପାଇଁ ଏକ ସାଧାରଣ ବ୍ୟାପାର । ଥରେ ତା’ ଦୋକାନକୁ ଗଲାବେଳେ ଦେଖେ ତ ପିଲାଟି ତା’ ସାନ ଷ୍ଟଲଟିର ଦୁଆର ମୁହଁକୁ ଆବୋରି ରହିଥିବା ଲମ୍ବା ଟେବୁଲଟି ଉପରେ ଦି’କଡ଼େ ରଖାହୋଇଥିବା ଫଟୋ ଆଗରେ ଦି'ଟା ମୋଟା ଧୂପ ଜାଳି ମଝିରେ ଆରାମରେ ବସି ତା’ କାମ କରୁଛି । ଷ୍ଟଲର ସାମ୍ନାପଟ ଖୋଲା ହେଲେ ବି ଧୂଆଁଳିଆ ଜଣାଯାଉଥାଏ ଭିତରଟି, ଆଉ ତା’ ସାଙ୍ଗରେ ତୀବ୍ର ମହକ ବି ଛୁଟି ଆସୁଥାଏ ରାସ୍ତାଧାର ପର୍ଯ୍ୟନ୍ତ । ଗାଡ଼ି ରଖି ଷ୍ଟଲର ବାଟ ମୁହଁରେ ଛିଡ଼ା ହୋଇ ତା’ ନମସ୍କାରର ପ୍ରତିଦାନ ଦେଉ ଦେଉ ପଚାରିବା ଢଙ୍ଗରେ କହିଲି- ଆରେ! ଏତେ ଧୂଆଁରେ ବସି କାମ କରିବାରେ ତତେ କିଛି ଅସୁବିଧା ହେଉନି? ତଳକୁ ମୁହଁ କରି ଛିଡ଼ା ହୋଇଥିବା ଉତ୍ତରହୀନ ପିଲାଟିକୁ ମୁଁ ଏଥିରୁ ବିରତ ରହିବାକୁ କହନ୍ତେ, ନମ୍ର ଛାତ୍ର ଜଣକଠାରୁ ବାକିଥିବା ଧୂପକାଠି ସରିବା ପରେ ଆଉ ନୂଆ ନ କିଣିବାର ପ୍ରତିଶ୍ରୁତିଟି ଧରି ଘରକୁ ଫେରିଲି ଆତ୍ମସନ୍ତୋଷ ସହ ।
ସିଏ ଉପାସନା ସହ ଜଡ଼ିତ ସ୍ଥାନ ହେଇପାରେ କି ଘର ଅବା ହେଇପାରେ ସଭାସମିତି ପରି ସାମାଜିକ ବିଧି-ବ୍ୟବସ୍ଥା, ଧୂପ ବା ଅଗରବତିର ଉପସ୍ଥିତି ସବୁଠି ବାରି ହୋଇପଡ଼େ । ଏମିତିରେ ଧୂପ କହିଲେ ଜଳିଲେ ମଧୁର ବାସ୍ନା ବାହାରୁଥିବା କିଛି ପ୍ରଲେପ ସହ ଏକ ସରୁ କାଠିର ଚିତ୍ର ଆପେ ଆପେ ଆମ ସଭିଙ୍କ ମନକୁ ଚାଲିଆସେ । ଧୂପର ଆରମ୍ଭ ପ୍ରକୃତରେ ପୃଥିବୀର କେଉଁ ସ୍ଥାନରେ ହୋଇଥିଲା ସେକଥା ଠିକ୍ଭାବରେ କହିବା ଏକ କାଠିକର ପାଠ ହେଲେ ହେଁ, ଜର୍ଣ୍ଣାଲ ଅଫ୍ ବାୟୋଇନୋଭେସନ୍ରେ ପ୍ରକାଶିତ ବୀରେନ୍ଦ୍ର ୟାଦବ ଏବଂ ସାଥୀଙ୍କ ଏକ ଗବେଷଣାମୂଳକ ପ୍ରବନ୍ଧରୁ ଜଣାଯାଏ ଯେ ଭାରତ, ଚୀନ କିମ୍ବା ଇଜିପ୍ଟରୁ ଏହା ହୁଏତ ବିଶ୍ୱର କୋଣ ଅନୁକୋଣକୁ ପହଞ୍ଚି ଯାଇଥାଇପାରେ । ସେହିପରି ପ୍ରସିଦ୍ଧ ଅତର କମ୍ପାନି କାରମେଣ୍ଟବେଲିର ତଥ୍ୟ ଅନୁଯାୟୀ, ସେକାଳର ମେସୋପୋଟାମିଆ ଏବଂ ଇଜିପ୍ଟରେ ସୁଗନ୍ଧଯୁକ୍ତ ଦ୍ରବ୍ୟର ବ୍ୟବହାର ୬୦୦୦ ବର୍ଷରୁ ଅଧିକ ପୁରୁଣା । ମାତ୍ର, ଆରବ ତଥା ସୋମାଲି ସାଗରକୂଳରୁ ବାସ୍ନାଯୁକ୍ତ ଗଛସବୁର ଆମଦାନି ହୋଇଥିବା କଥାଟି ଏନ୍ସାଇକ୍ଲୋପେଡିଆ ବ୍ରିଟାନିକାର ଏକ ଲେଖାରୁ ବୁଝାପଡ଼େ । ଏଥିସହ ବେବିଲୋନୀୟ ସଂସ୍କୃତିରେ ଏହାର ବହୁଳ ପ୍ରଭାବ ବିଷୟଟି ସେଠାରେ ସୂଚାଇ ଦିଆଯାଇ ହିନ୍ଦୁ, ବୌଦ୍ଧ ଓ ଖ୍ରୀଷ୍ଟିଆନ ଧର୍ମଗୁଡିକରେ ମଧ୍ୟ ଏହାର ବ୍ୟବହାର ପୂର୍ଣ୍ଣରୂପରେ ହେଉଥିବା କଥାଟି ଜଣାଇ ଦିଆଯାଏ । ଏପରି ଟଣାଓଟରା ଭିତରେ କିନ୍ତୁ ସତ କଥାଟି ହେଉଛି ଜାତି, ବର୍ଣ୍ଣ, ଧର୍ମ ତଥା ପ୍ରାନ୍ତ ନିର୍ବିଶେଷରେ ଏବେ ସମସ୍ତେ ଯେ ଧୂପର ପୂଜାରୀ ଏଥିରେ ସନ୍ଦେହ ନହେଲେ ଭଲ ।
ସେଇ ବୀରେନ୍ଦ୍ର ୟାଦବ ଏବଂ ସାଥୀଙ୍କ ଆଲେଖ୍ୟରେ ଧୂପକୁ କିପରି ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରିବ ତାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଅଛି । ଜଳାଇବା ପଦ୍ଧତିକୁ ନେଇ ଧୂପ ଦୁଇ ପ୍ରକାରର-ସିଧାସଳଖ ନିଆଁ ଲଗାଇ ଜଳା ହେଉଥିବା ଧୂପ ଏବଂ କେବଳ ଗରମ କରି ପ୍ରୟୋଗ କରାହେଉଥିବା ଧୂପ । ସଂରଚନା ଦୃଷ୍ଟିରୁ ବି ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ପ୍ରାକୃତିକ ଧୂପ ଏବଂ କୃତ୍ରିମ ଧୂପ ଭାବରେ । ସେହିପରି ଏମାନଙ୍କ ଉତ୍ପତ୍ତିକୁ ବିଚାର କଲେ ପୁଣି ଏମାନେ ପଶ୍ଚିମ ଦେଶଜ ଏବଂ ପୂର୍ବ ଦେଶଜ ରୂପରେ ଗଣା ହୁଅନ୍ତି । ସିଧାସଳଖ ଜଳୁଥିବା ଧୂପଗୁଡ଼ିକରେ ବାସ୍ନା ଦେଉଥିବା ଚିଜଟିକୁ ସୂକ୍ଷ୍ମ ଗୁଣ୍ଡ ବା ତରଳ ଆକାରରେ ବ୍ୟବହାର କରାଯାଇଥାଏ, ଯାହାକି ଏକ ସ୍ୱରୂପ ଦିଆଯାଇପାରୁଥିବା ଗନ୍ଧହୀନ ଅଠା ସହ ଲାଖିରହି କାର୍ଯ୍ୟଟିକୁ ସମାପନ କରିଥାଏ ।
ଇନୋ ଏବଂ ସାଥୀଙ୍କ ଏକ ପୁରାତନ ଗବେଷଣା ପ୍ରବନ୍ଧରୁ ଏ ଧରଣର ଧୂପର ପ୍ରଚଳନ ସର୍ବପ୍ରଥମେ ହୁଏତ ଜାପାନରେ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ହୋଇଥିବାର ନଜରକୁ ଆସେ । ଉଭୟ ଭାରତ ଏବଂ ଚୀନ ଦେଶରେ ଏ ପ୍ରକାର ଧୂପର ବହୁଳ ବ୍ୟବହାର ଦେଖାଯାଏ । କିନ୍ତୁ ଗରମ ହେଲେ ବାସ୍ନା ହେବାର ବାଟଟି ଟିକିଏ ଅଲଗା ଥାଏ, କାରଣ ଏହି ଧୂପରେ ନିଜେ ଜଳୁଥିବା ସେମିତି କିଛି ପଦାର୍ଥ ମିଶିନଥାଏ ଏବଂ ଖୁବ୍ଶୀଘ୍ର ଏହା ଧୂଆଁ ହୋଇ ଜାଗାଟିକୁ ମହକେଇ ଦିଏ । ଏପରି ଧୂପର ପ୍ରଚଳନ ଅନେକ ଦେଶରେ ଥିଲେ ହେଁ ଆରବ ମୂଲକର ‘ବଖୁର୍'କୁ ଏହାର ଏକ ସୁନ୍ଦର ଉଦାହରଣ ଭାବରେ ନିଆଯାଇପାରେ ବୋଲି ଆଲାବଦୌଲି ଏବଂ ଜିଆଗନେଷ ତାଙ୍କ ଏକ ଲେଖାରେ ପ୍ରକାଶ କରିଛନ୍ତି । ଚନ୍ଦନ, ଜସ୍ମିନ୍, କସ୍ତୁରୀ ଆଦିକୁ ଉପାଦାନ ରୂପରେ ନେଇ ପ୍ରାକୃତିକ ଧୂପ ତିଆରି ହେଉଥିବାବେଳେ କୃତ୍ରିମ ଧୂପଗୁଡ଼ିକରେ ନାନା ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ । ଠିକ୍ ସେହିପରି ପଶ୍ଚିମ ଦେଶଜ ଧୂପ ମୁଖ୍ୟତଃ ଗଛର ଅଠା, ବାସ୍ନାଯୁକ୍ତ କାଠ, ଫୁଲ, ବୃକ୍ଷର ରସାୟନଧାରୀ ତେଲ ତଥା ବାସ୍ନା ହେଉଥିବା କୃତ୍ରିମ ରସାୟନକୁ ନେଇ ଗଢ଼ାଯାଉଥିବା ବେଳେ ପୂର୍ବ ଦେଶଜ ଧୂପରେ ଚନ୍ଦନ, ସୁଗନ୍ଧରା ବା ପଚୋଲି, ଅଗୁରୁ, ଖସଖସ ଘାସ ଆଦି ଉପାଦାନ ରୂପରେ ବ୍ୟବହୃତ ହୋଇଥାଏ ବୋଲି ଏଟ୍ମୋସ୍ଫିଅରିକ୍ ଏନ୍ଭିରନ୍ମେଣ୍ଟ ନାମକ ପତ୍ରିକାରେ ପ୍ରକାଶିତ ଟ୍ରାନ୍ ଓ ମାରିଅଟ୍ଙ୍କ ପ୍ରବନ୍ଧରୁ ଜଣାଯାଇଥାଏ । ପ୍ରାୟ କୋଡ଼ିଏ ବର୍ଷ ତଳେ ଆମ ଦେଶରେ ବାର୍ଷିକ ହୁଏତ ୬୦୦୦୦ ମିଲିୟନ ଟନ୍ ଧୂପକାଠି ତିଆରି ହେଉଥିଲା । ହଜାରିକା ଆଦି ଗବେଷକଙ୍କ ଲେଖାରେ ଏକଥା ବି କୁହାଯାଇଅଛି ଯେ, ଭାରତ ତାଇୱାନ ପରେ ପୃଥିବୀର ଦ୍ୱିତୀୟ ଧୂପ ବ୍ୟବହାରକାରୀ ରାଷ୍ଟ୍ର । ସିଏ ମୁକୁନ୍ଦ ଏବଂ ସାଥୀ ହୁଅନ୍ତୁ ଅବା ରମୈୟା ଓ ଗବେଷକ ଦଳ ସଭିଏଁ ଏଥିରେ ଏକମତ ଯେ, ଭାରତୀୟ ଧୂପରେ ମୂଳ ଭାବରେ ୯୦ରୁ ୯୫ ପ୍ରତିଶତ କରତଗୁଣ୍ଡ, ୪ରୁ ୫ ପ୍ରତିଶତ କୋଇଲାଗୁଣ୍ଡ, ୦.୧ରୁ ୧ ପ୍ରତିଶତ ବାସ୍ନାଯୁକ୍ତ ପଦାର୍ଥ ଏବଂ ଅଳ୍ପ ପରିମାଣର ଅଠାଳିଆ ପଦାର୍ଥ ରହିଥାଏ। ଏବେ ଘର, ସାମାଜିକ କାର୍ଯ୍ୟକ୍ରମ ଆଦିକୁ ନିଜ ସୁଗନ୍ଧ ଜାଲରେ ସମ୍ମୋହିତ କରିଦେଉଥିବା ଏ ଅଦ୍ଭୁତ ଆକର୍ଷଣର ଅସଲ ଚେହେରାକୁ ଟିକିଏ ଉଜାଗର କରିବା ହୁଏତ ଠିକ୍ ହେବ ବୋଲି ମୁଁ ଭାବୁଛି । କାଠଗୁଣ୍ଡ, ବାସ୍ନା ଦେଉଥିବା ରସାୟନ ଯେତେ, ବାଉଁଶ ବା କାଠର କଙ୍କାଳ କି ଅଠା ଆଦି ଜଳିଲେ ଧୂଆଁ ତ ବାହାରେ ନିଶ୍ଚୟ ।
ଧୂପଧୂଆଁର ଏ ଅକ୍ଟୋପସର ହାତଗୁଡ଼ିକ ଚାରିଆଡ଼େ କିନ୍ତୁ ବିଞ୍ଚିଦେଇ ଚାଲେ କେତେ ଯେ ଦେହକୁ ବିଗାଡ଼ି ଦେଉଥିବା ଅଣୁ-ପରମାଣୁ ସବୁକୁ । ଆସନ୍ତୁ, ଏ ରହସ୍ୟକୁ ଆଉ ଟିକିଏ ଉଜାଗର କରିବା ବିଭିନ୍ନ ସମୟରେ ପ୍ରସିଦ୍ଧ ଜର୍ଣ୍ଣାଲଗୁଡ଼ିକରେ ପ୍ରକାଶିତ ଲି, ଲିନ୍ ଓ ସେନ୍, ୟାଙ୍ଗ୍ ତଥା ତାଙ୍କ ସାଥୀ ଗବେଷକଙ୍କ ଲେଖାର ସାରମର୍ମ ଯେତିକକୁ ବିଚାରକୁ ନେଇ । ଧୂପ ଜଳିବା ହେତୁ ସୂକ୍ଷ୍ମ କଣିକା, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲ୍ଫର୍ ଡାଇଅକ୍ସାଇଡ୍, କାର୍ବନ୍ ମନୋକ୍ସାଇଡ୍ ପରି ସାଂଘାତିକ ବାଷ୍ପ ତଥା ଆଲୁମିନିୟମ୍ ଅକ୍ସାଇଡ, ସିଲିକନ୍ ଡାଇଅକ୍ସାଇଡ୍ ଭଳି ଧାତବ ଅକ୍ସାଇଡ୍ ସବୁ ବାୟୁମଣ୍ଡଳରେ ବିଚ୍ଛୁରିତ ତ ନିହାତି ହୁଏ । ତା’ ସଙ୍ଗେ ସଙ୍ଗେ ନାନା ହାଲୁକା ତଥା ଆରାମରେ ଉଡ଼ିଯାଉଥିବା ଜୈବ ଯୌଗିକ (ଭିଓସି) ସବୁ ଯେପରିକି ଜାଇଲିନ୍, ବେନ୍ଜିନ୍, ଟୋଲୁଇନ୍, ଏସିଟୋନ୍, ଫ୍ୟୁରାନ୍, ଡିଇପି ଓ ଅନ୍ୟ ଘାତକ ହାଇଡ୍ରୋକାର୍ବନ୍ ଆଦି ମଧ୍ୟ ସମତାଳରେ ଖେଳାଇ ହୋଇଯାଆନ୍ତି ସବୁ ଦିଗରେ ।
ଧୂପର ଧୂଆଁରେ ରହିଥିବା ଏହି ମାରାତ୍ମକ ଜିନିଷଗୁଡ଼ିକ ଆମମାନଙ୍କ ଶରୀରରେ କିପରି ତାଣ୍ଡବ ରଚାନ୍ତି ତା’ ଉପରେ ମଧ୍ୟ କାମ କିଛି କମ୍ ନୁହେଁ । ୨୦୦୨ ମସିହାରେ ଏକ ବିସ୍ତୃତ ଗବେଷଣାକୁ ଆଧାର କରି ମେକ୍ବ୍ରାଏନ୍ ଏବଂ ଫ୍ଲାନ୍ ମତ ଦିଅନ୍ତି ଯେ, ପୃଥିବୀର ବିଭିନ୍ନ ପ୍ରାନ୍ତରେ ଧୂପଧୂଆଁର ବିଷକ୍ରିୟା ଅଲଗା ଅଲଗା ହୋଇଥାଏ । କାରଣ ସବୁଠି ଧୂପର ଉପାଦାନ ଏବଂ ତିଆରି ହେବା ପ୍ରଣାଳୀ ଭିନ୍ନ ଭିନ୍ନ ହୋଇଥାଏ ନିଜ ନିଜର ସଂସ୍କୃତି ଓ ଚାହିଦାକୁ ଆଖି ଆଗରେ ରଖି । କଥାଟିର ଚେର ଆଡ଼କୁ ଆଉ ଟିକିଏ ପଶିଲେ ଜଣାଯାଏ ଯେ, ଏହି ସୂକ୍ଷ୍ମ ଅଣୁଗୁଡ଼ିକ ନିଃଶ୍ୱାସ ସାହାଯ୍ୟରେ ଭିତରକୁ ପଶି ଆସି ଆମ ଶ୍ୱସନତନ୍ତ୍ରର ଭିତର ଅଂଶ ଫୁସ୍ଫୁସ୍ ଆଦିରେ ଜମା ହୁଅନ୍ତି ଏବଂ ଏପରି ବାରମ୍ବାର ହେଲେ ଆସ୍ତେ ଆସ୍ତେ ଏହାର ପ୍ରଭାବ ବାରି ହୋଇପଡ଼େ ହୁଏତ କାଶ ବା ଧଇଁସଇଁ ହେବା କି ବ୍ରୋଙ୍କାଇଟିସ୍ ଅବା ଶ୍ୱାସରୋଗ ରୂପରେ । ‘ଆମେରିକାନ୍ ଲଙ୍ଗ୍ ଏସୋସିଏସନ୍' ମତରେ ଏସବୁକୁ ବାଦ୍ ଦେଇ ଏପରି ସୂକ୍ଷ୍ମ କଣିକାଗୁଡିକ ଆହୁରି ମଧ୍ୟ ହୃଦୟ ରୋଗ ଏବଂ ଫୁସ୍ଫୁସ୍ କର୍କଟ ଆଦି ରୋଗ କରିବାର ସାମର୍ଥ୍ୟ ରଖନ୍ତି ।
ଏକଥା ବି ଅନେକେ ଜାଣିଥିବେ ଯେ, କାର୍ବନ୍ ମନୋକ୍ସାଇଡ୍ ଅତି ଅଳ୍ପ ଶୁଙ୍ଘିଲେ ମଧ୍ୟ ମୁଣ୍ଡବଥା, ନିଦ ନିଦ ଭାବ, ଦୁର୍ବଳ ଲାଗିବା ଏବଂ ବାନ୍ତି ଦେଖାଇବାର ଲକ୍ଷଣ ପ୍ରକାଶ ପାଏ, ହେଲେ ଅଧିକ ପରିମାଣର ଆଘ୍ରାଣ ମରଣକୁ ଡାକି ଆଣିପାରେ । ସେହିପରି ମୁଁ ଆଗରୁ କହିଥିବା ଆଉ ଦୁଇଟି ବାଷ୍ପ ହୃଦୟ ତଥା ଶ୍ୱସନତନ୍ତ୍ର ଉପରେ ସିଧାସଳଖ କୁପ୍ରଭାବ ପକାନ୍ତି । ମାତ୍ର ଉଦ୍ବାୟୀ ଜୈବ ଯୌଗିକ ବା ଭିଓସିଗୁଡ଼ିକର ଦୁଷ୍ଟାମି କଥା ଯେତେ କହିଲେ ବି କମ୍ ହୋଇଯିବ । ଆଖିଫୁଲା, ନାକ ଏବଂ ଗଳାରେ ପ୍ରତିକ୍ରିୟା, ବାନ୍ତି, ମୁଣ୍ଡବଥା, ଫୁସ୍ଫୁସ୍ରେ ତୀବ୍ର ପ୍ରତିକ୍ରିୟା, ଲିଭର୍ ନଷ୍ଟ ଠାରୁ ଆରମ୍ଭ କରି ବହୁଦିନ ଧରି ଏହାର ସଂସ୍ପର୍ଶରେ ଆସିଲେ କେନସର୍ ପରି ରୋଗ ମଧ୍ୟ ହେବାର ବାଟ ଫିଟିଯାଏ । ଏହା ବାଦ୍ ଏଥିରୁ ବାହାରୁଥିବା ଆଲ୍ଡିହାଇଡ୍, ପୋଲି ସାଇକ୍ଲିକ୍ ଏରୋମେଟିକ୍ ହାଇଡ୍ରୋକାର୍ବନ୍, ଡିଇପି ଭଳି ଅନ୍ୟ ରାସାୟନିକ ପଦାର୍ଥ ସବୁ ମଧ୍ୟ ଆମ ଶରୀରର ବିଭିନ୍ନ ଅଙ୍ଗକୁ ବିପରୀତ ରୂପେ ପ୍ରଭାବିତ କରି ନାନାଦି ରୋଗର କାରଣ ସାଜିଥାନ୍ତି । ଏଇ କିଛିଦିନ ତଳେ ୨୦୨୪ ମସିହାରେ ପ୍ରକାଶିତ ସୁଧାକରନ୍ ଏବଂ ସାଥୀଙ୍କ ଏକ ଗବେଷଣାତ୍ମକ ରଚନାରେ ଏହିସବୁ ରସାୟନଗଣ ସ୍ନାୟୁତନ୍ତ୍ର ଏବଂ ଶରୀର ଗଠନ ପ୍ରକ୍ରିୟାକୁ କିଭଳି ନଷ୍ଟ କରିଦେଇଥାନ୍ତି ତାହା ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଅଛି ।
ଯଦିଓ କିଛି ଲେଖାରେ ପ୍ରାକୃତିକ ଧୂପକୁ ଭଲ ବୋଲି କହିବାର ଚେଷ୍ଟା କରାଯାଇଛି, ତଥାପି ଆମେ ପାରୁପର୍ଯ୍ୟନ୍ତ ଧୂପଠୁ ଦୂରେଇ ରହିଲେ ଭଲ । ମାତ୍ର, କୌଣସି କାରଣରୁ ଏହା ସମ୍ଭବ ନହେଲେ ଏ ସଂକ୍ରାନ୍ତରେ କିଛି ନିୟମ ପାଳନ କରିବା ଆମ ପାଇଁ ବରଦାନ ସଦୃଶ ହୋଇଥାଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଯେପରିକି ପ୍ରାକୃତିକ ଉପାୟରେ ତିଆରି ଧୂପକୁ ଆଦରିବା ହିଁ ବିଜ୍ଞତାର କାମ, ଧୂପ ଜଳୁଥିବା ସ୍ଥାନଟିରେ ବାୟୁ ଚଳାଚଳ ହେଉଥିବା ଜରୁରି ତଥା ଆଘ୍ରାଣ ସମୟ ବି ଯେତେ କମ୍ ହେଲେ ସେତେ ଭଲ, ସୁଗନ୍ଧ ନିହାତି ଦରକାର ହେଲେ ଏହାର ବିକଳ୍ପ ଯଥା- ରୁମ୍ ଫ୍ରେସ୍ନର୍, ଜୈବ ରସାୟନଧାରୀ ତେଲ ବାଷ୍ପୀକରଣ ଆଦିକୁ ମାଧ୍ୟମ କରାଯାଇପାରେ । ପରିଶେଷରେ ଏତିକି କୁହାଯାଇପାରେ ଯେ, ସବୁ ସ୍ତରରେ ଉପଯୁକ୍ତ ପ୍ରଚାର ସହ ଧୂପ ଆଦି ଜିନିଷର ବିକ୍ରିବେଳେ ଠିକ୍ଭାବରେ ନଜରକୁ ଆସୁଥିବା ବୈଧାନିକ ସତର୍କତାର ମୁଦ୍ରଣ ଖୋଳ ଉପରେ ରହିଲେ ହୁଏତ ଏ ଦିଗରେ ଲୋକେ ଅଧିକ ସଚେତନ ହୋଇପାରିବେ ବୋଲି ଏ ଲେଖକର ମନେହୁଏ ।