ମୁମ୍ୱାଇ,୦୮/୦୧:  ବକ୍ସ ଅଫିସ୍‌ରେ ପୁଣି ଏକ ରେକର୍ଡ ଭାଙ୍ଗିଛି ରଣବୀର ସିଂହ ଷ୍ଟାରର୍‌ ‘ଧୁରନ୍ଧର୍‌’ । ଗତ ମଙ୍ଗଳବାର ଏହା ଅଲ୍ଲୁ ଅର୍ଜୁନଙ୍କ ବ୍ଲକ୍‌ବଷ୍ଟର୍‌ ‘ପୁଷ୍ପା୨’ର ହିନ୍ଦୀ ସଂସ୍କରଣର ବକ୍ସ ଅଫିସ୍‌ କଲେକ୍ସନ୍‌ ରେକର୍ଡ ଭାଙ୍ଗିଛି । ଏହି ରେକର୍ଡ ସହିତ ଅଦ୍ୟାବଧି ହିନ୍ଦୀ ସିନେମାର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି ‘ଧୁରନ୍ଧର୍‌’ । ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ଦେଶରେ ୮୩୧ କୋଟି ବ୍ୟବସାୟ କରିଛି ।

 ବୁଧବାର ସନ୍ଧ୍ୟାରେ ଫିଲ୍ମର ପ୍ରଡକ୍ସନ୍‌ ହାଉସ୍‌ ଜିଓ ଷ୍ଟୁଡିଓଜ୍‌ ଏକ ପୋଷ୍ଟର୍‌ ଶେୟାର କରି ‘ଧୁରନ୍ଧର୍‌’କୁ ଭାରତର ସର୍ବାଧିକ ଆୟ କରିଥିବା ଫିଲ୍ମ ଘୋଷଣା କରିଛି । ପୋଷ୍ଟର୍‌ରେ ଫିଲ୍ମର ଅନ୍ୟ କଳାକାରଙ୍କ ସମେତ ରଣବୀର ମଝିରେ ଅଛନ୍ତି । ଏଥିସହିତ ଲେଖାହୋଇଛି ‘ଧନ୍ୟବାଦ ଭାରତ । ଗଣପତି ବାପ୍ପା ମୋରୟା ।’ ୩୩ ଦିନରେ ଭାରତରେ ଫିଲ୍ମର ମୋଟ୍‌ କଲେକ୍ସନ୍‌ ୮୩୧ କୋଟି ଟପିଥିବା ମଧ୍ୟ ପୋଷ୍ଟର୍‌ରେ ଉଲ୍ଲେଖ ହୋଇଛି । ୨୦୨୪ରେ ମୁକ୍ତିପ୍ରାପ୍ତ ପାନ୍‌-ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ ହିନ୍ଦୀ ସଂସ୍କରଣରେ ୮୨୧ କୋଟି ବ୍ୟବସାୟ କରିଥିଲା । ସେହି ରେକର୍ଡକୁ ଏବେ ‘ଧୁରନ୍ଧର୍‌’ ଭାଙ୍ଗିଛି । ସେହିପରି ସର୍ବାଧିକ କଲେକ୍ସନ୍‌ ମାମଲାରେ ମଧ୍ୟ ଏହା ନୂଆ ରେକର୍ଡ କରିଛି । କୌଣସି ଗୋଟିଏ ଭାଷାରେ ଭାରତୀୟ ଫିଲ୍ମର ଏହା ସର୍ବାଧିକ ଆୟ । ‘ପୁଷ୍ପା-୨’ ପରେ ‘ଛାବା’ ହିନ୍ଦୀରେ ୬୦୧ କୋଟି ଓ ‘ଯୱାନ୍‌’ ୫୮୬ କୋଟି ବ୍ୟବସାୟ କରିଥିଲା । ହିନ୍ଦୀ ଭାଷାରେ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ମଧ୍ୟରେ ‘ସ୍ତ୍ରୀ-୨’, ‘ଗଦର୨’, ‘ପଠାନ୍‌’, ‘ଆନିମଲ୍‌’ ଓ ‘ବାହୁବଲୀ-୨’ ରହିଛି ।