ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ଧୁରନ୍ଧର କେବଳ ଭାରତ ନୁହେଁ ସାରା ବିଶ୍ବରେ କମାଲ କରିଛି । ଏହି ଫିଲ୍ମ ୩୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି । ଏବେ ମଧ୍ୟ ଫିଲ୍ମଟି ଥିଏଟରରେ ରିଲିଜ୍ ହେଉଛି । ଏହି ଅବସରରେ ଜାପାନରେ ରିଲିଜ୍ ହୋଇଛି । କିନ୍ତୁ ଯେଉଁଭଳି ଆଶା କରାଯାଉଥିଲା ସେଭଳି ଦେଖିବାକୁ ମିଳିନାହିଁ । ପ୍ରଥମ ଦିନରୁ ହିଁ ଫିଲ୍ମଟି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବଡ଼ ଧରଣର ବିଫଳତାର ସମ୍ମୁଖୀନ ହୋଇଛି।

ଜାପାନର ଟ୍ରେଡ୍ ୱେବସାଇଟ୍ 'ମିମୋରିନ୍' ଅନୁଯାୟୀ, ୮୦ଟି ଥିଏଟରରେ ରିଲିଜ୍ ହୋଇଛି । ତଥାପି 'ଧୁରନ୍ଧର' ଜାପାନର ପ୍ରଥମ ଦିନର ଶ୍ରେଷ୍ଠ ୨୫ଟି ଫିଲ୍ମ ତାଲିକାରେ ମଧ୍ୟ ସ୍ଥାନ ପାଇପାରିନାହିଁ । ରିପୋର୍ଟ ମୁତାବକ, ଦିନର ପ୍ରଥମ ଭାଗରେ ସ୍ଥିତି ସାମାନ୍ୟ ଭଲ ଥିଲେ ବି ଦ୍ୱିତୀୟାର୍ଦ୍ଧରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇଥିଲା । ପ୍ରଥମ ଦିନରେ ଫିଲ୍ମଟି ୯୦୦ରୁ କମ୍ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି, ଯାହାକି ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨' ସହିତ ସମାନ ରହିଛି।

କାହିଁକି ହେଲା ଏଭଳି ଅବସ୍ଥା ?

ବିଶେଷଜ୍ଞଙ୍କ ମତରେ, ଫିଲ୍ମର ମାର୍କେଟିଂ ବା ପ୍ରଚାର-ପ୍ରସାରରେ ଅଭାବ ଏବଂ ଜାପାନୀ ବଜାର ପାଇଁ ଅନୁପଯୁକ୍ତ ରିଲିଜ୍ ରଣନୀତି ଏହି ନିରାଶଜନକ ପ୍ରଦର୍ଶନର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। 'ଆରଆରଆର' (RRR) ପରି ଭାରତୀୟ ଫିଲ୍ମ ଯେଉଁ ସଫଳତା ଜାପାନରେ ପାଇଥିଲା, 'ଧୁରନ୍ଧର' ତାହା ଦୋହରାଇବାରେ ବର୍ତ୍ତମାନ ପାଇଁ ବିଫଳ ହୋଇଛି। ଯଦି ଆସନ୍ତା ୱିକେଣ୍ଡରେ ଦର୍ଶକଙ୍କ ସଂଖ୍ୟା ନ ବଢ଼େ, ତେବେ ଜାପାନରେ ଏହାର ବକ୍ସ ଅଫିସ ଯାତ୍ରା ପ୍ରାୟତଃ ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।