ନୂଆଦିଲ୍ଲୀ,୨୬/୦୫; ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏପରି ବୟାନ ଦେଇଛନ୍ତି ଯାହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ୟାରେ ପକାଇ ଦେଇଛି । ଏହି ବୟାନ ସୋସିଆଲ ମିଡିଆରେ ଏତେ ହଇଚଇ ସୃଷ୍ଟି କରିଛି । ଯେ ଆମେରିକାର ବୈଦେଶିକ ବିଭାଗ ମଧ୍ୟ ଲଜ୍ଜିତ ହୋଇଛି । ଅଧିକାରୀମାନେ ତାଙ୍କ ମନ୍ତବ୍ୟ ଥିବା ପୋଷ୍ଟକୁ ସୋସିଆଲ ମିଡିଆରୁ ତୁରନ୍ତ ହଟାଇ ଦିଆଯାଇଛି । ତେବେ କଣ ଏମିତି କହିଦେଲେ ମାର୍କୋ ରୁବିଓ ଯାହାକୁ ନେଇ ବୋବାଲ ହୋଇଛି ।
ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନୂଆଦିଲ୍ଲୀରେ ଦେଇଥିବା ମନ୍ତବ୍ୟ ପାଇଁ ବିବାଦରେ ଫସିଛନ୍ତି । ଭାରତୀୟମାନଙ୍କ ବିରୁଦ୍ଧରେ ବର୍ଣ୍ଣବୈଷମ୍ୟମୂଳକ ଟିପ୍ପଣୀକୁ ତୀବ୍ର ନିନ୍ଦା କରିବା ସହ ଏହାକୁ 'ମୂର୍ଖ' ଲୋକଙ୍କ କାର୍ଯ୍ୟ ବୋଲି କହିଛନ୍ତି ରୁବିଓ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅନେକ ସମୟରେ ଭାରତ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କ ପ୍ରତି ଉଦ୍ଦିଷ୍ଟ ଥିବା ଆଲୋଚନା ଜୋର ଧରିବା ପରେ ରୁବିଓ ସଫଏଇ ଦେଇ କହିଛନ୍ତି ଯେ, ଟ୍ରମ୍ପ ଭାରତକୁ ବହୁତ ଭଲ ପାଆନ୍ତି । ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହେବାରୁ ଆମେରିକା ବୈଦେଶିକ ବିଭାଗ ସାମାଜିକ ଗଣମାଧ୍ୟମରୁ ହଟାଇ ଦେଇଛି । ଭାରତ ବିରୋଧୀ ମନ୍ତବ୍ୟ ମୂର୍ଖ ଲୋକଙ୍କ କାମ ବୋଲି ସେ ଦେଇଥିବା ମନ୍ତବ୍ୟକ୍ତୁ ଏଥିରୁ ହଟାଇ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ଏଠାରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ରୁବିଓ । ଭାରତୀୟ ଏବଂ ଭାରତୀୟ-ଆମେରିକୀୟଙ୍କ ବିରୋଧରେ ହେଉଥିବା ବର୍ଣ୍ଣବୈଷମ୍ୟମୂଳକ ଟିପ୍ପଣୀ ସମ୍ପର୍କରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାକୁ ରୁବିଓ ଏଭଳି ମନ୍ତବ୍ୟ 'ମୂର୍ଖ' ଲୋକଙ୍କ କାର୍ଯ୍ୟ ଏବଂ ଏହା ଆମେରିକାର ପ୍ରକୃତ ସାମାଜିକ ଚିନ୍ତାଧାରାକୁ ପ୍ରତିଫଳିତ କରେ ନାହିଁ ବୋଲି କହିଥିଲେ । ମୁଁ ନିଶ୍ଚିତ ଯେ ଅନଲାଇନରେ ଏବଂ ଅନ୍ୟାନ୍ୟ ସ୍ଥାନରେ କିଛି ଲୋକ ଏଭଳି ମନ୍ତବ୍ୟ ଦେଉଛନ୍ତି, କାରଣ ଦୁନିଆର ପ୍ରତ୍ୟେକ ଦେଶରେ 'ମୂର୍ଖ' ଲୋକ ଅଛନ୍ତି । ରୁବିଓ କହିଥିଲେ ଯେ ଆମେରିକା ଏକ ସ୍ୱାଗତଯୋଗ୍ୟ ଦେଶ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନେ ଆମେରିକୀୟ ସମାଜରେ ମିଶି ଦେଶକୁ ସମୃଦ୍ଧ କରିଛନ୍ତି ଏବଂ ଦେଶର ବିକାଶରେ ବଡ଼ ଯୋଗଦାନ ଦେଇଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର କିଛି ଘଣ୍ଟା ମଧ୍ୟରେ ଆମେରିକା ବିଦେଶ ବିଭାଗ ସେହି ନିର୍ଦ୍ଦିଷ୍ଟ ପୋଷ୍ଟକୁ ଡିଲିଟ୍ କରିଦେଇଥିଲା ।
ଏହା ବି ପଢନ୍ତୁ...US-Iran war: ଭୟଙ୍କର ଯୁଦ୍ଧ ! ଇରାନ ଉପରେ ଆମେରିକାର ବଡ଼ ହମ୍ଲା, ହୋର୍ମୁଜ ପାଖରେ ବାରୁଦ ବିଛାଉଥିବା ଜାହାଜ ଧ୍ୱଂସ
ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ସୋମବାର ଆଗ୍ରା ଯିବା ବାଟରେ ସାମ୍ବାଦିକମାନେ ତାଙ୍କୁ ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଚୀନକୁ ପୂର୍ବରୁ 'ନର୍କ କୁଣ୍ଡ' ବୋଲି ଅଭିହିତ କରିଥିବା ବିଷୟରେ ପଚାରିଥିଲେ । ଏଥିରେ ସେ ନିଜର ପ୍ରତିକ୍ରିୟା ବଦଳାଇ କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ବହୁତ ଭଲ ପାଆନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସମ୍ପର୍କ ଅତ୍ୟନ୍ତି ନିବିଡ଼ । ଗତ ଏପ୍ରିଲରେ ଟ୍ରମ୍ପ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଭାରତ ଏବଂ ଚୀନରୁ ଆସୁଥିବା ଲୋକମାନେ ଆମେରିକାର ନାଗରିକତ୍ୱ ସୁବିଧାର ଦୁରୁପଯୋଗ କରୁଥିବା ଏବଂ ଏହି ଦେଶଗୁଡ଼ିକୁ 'ନର୍କ କୁଣ୍ଡ' ଭାବେ ବର୍ଣ୍ଣନା କରାଯାଇଥିଲା । ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମନ୍ତବ୍ୟକୁ ଅଶୋଭନୀୟ ଏବଂ ନିମ୍ନ ରୁଚିର ବୋଲି କହି ପ୍ରତିବାଦ ଜଣାଇଥିଲା ।