ନୂଆଦିଲ୍ଲୀ, ୧୩/୦୩: ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର(ଆଇ୪ସି) ଡିଜିଟାଲ ଆରେଷ୍ଟ ମାମଲାରେ ସମ୍ପୃକ୍ତ ଥିବା ୩,୯୬୨ରୁ ଅଧିକ  ସ୍କାଇପ୍‌ ଆଇଡି ଏବଂ ୮୩,୬୬୮ ହ୍ୱାଟ୍‌ସ  ଆପ୍‌ ଆକାଉଣ୍ଟକୁ ଚିହ୍ନଟ କରି ସେଗୁଡ଼ିକୁ  ବ୍ଲକ୍‌ କରିଛି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ରାଜ୍ୟସଭାରେ ସୂଚନା  ଦିଆଯାଇଛି । 

ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ବନ୍ଦୀ  ସଞ୍ଜୟ କୁମାର ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କ ପ୍ରଶ୍ନର ଲିଖିତ ଉତ୍ତର  ରଖି କହିଥିଲେ, ସାଇବର ଅପରାଧୀମାନେ  ଇଡି, ସିବିଆଇ ଭଳି ଏଜେନ୍ସିର ନକଲି  ଅଧିକାରୀ ହୋଇ ଏହି ଆକାଉଣ୍ଟର  ବ୍ୟବହାର କରୁଥିଲେ । ଏହାଦ୍ୱାରା ସେମାନେ ଲୋକଙ୍କୁ ଠକୁଥିଲେ । ଏହା  ବ୍ୟତୀତ ୨୦୨୫ ଫେବ୍ରୁଆରୀ ୨୮ ସୁଦ୍ଧା ୭ ଲକ୍ଷ ୮୧ ହଜାରରୁ ଅଧିକ ସିମ୍‌ କାର୍ଡ ଏବଂ  ୨ ଲକ୍ଷ ୮ ହଜାରରୁ ଊଦ୍ଧ୍ୱର୍ ଆଇଏମ୍‌ଇଆଇ  ନମ୍ବର ମଧ୍ୟ ବ୍ଲକ୍‌ କରାଯାଇଛି । ୧୩ ଲକ୍ଷ  ୩୬ ହଜାରରୁ ଊଦ୍ଧ୍ୱର୍ ଅଭିଯୋଗ ଆଧାରରେ  ୪,୩୮୬ କୋଟି ଟଙ୍କାରୁ ଅଧିକ କ୍ଷତିକୁ  ରୋକା ଯାଇପାରିଛି । 

ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ  ଆହୁରି କହିଥିଲେ ଯେ, କେନ୍ଦ୍ର ସରକାର  ଏବଂ ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର  (ଟିଏସ୍‌ପି) ଇଣ୍ଟରନ୍ୟାସନାଲ ସ୍କୁଫ୍‌ କଲ୍‌  ବା ଠକେଇ ପାଇଁ ବାହାରୁ ଆସୁଥିବା ଫୋନ୍‌  କଲ୍‌କୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ବ୍ଲକ୍‌  କରିବା ଲାଗି ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଏପରି ଫୋନ୍‌ କଲ୍‌ ଆସିଲେ ତାହା  ମୋବାଇଲ ଡିସ୍‌ପ୍ଲେରେ ତାହା ଭାରତର  ନମ୍ବର ବୋଲି ଦେଖାଇଥାଏ । କିନ୍ତୁ ତାହା  ବାସ୍ତବରେ ବିଦେଶରୁ ଆସିଥାଏ । ଏପରି  କଲ୍‌କୁ ବ୍ଲକ୍‌ କରିବା ଲାଗି ଟିଏସ୍‌ପିକୁ  ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍‌  ସାଇବର ଅପରାଧର ଅଭିଯୋଗ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ୧୯୩୦  ଚାଲୁ କରାଯାଇଛି । ଲୋକଙ୍କ ମଧ୍ୟରେ  ସଚେତନତା ବଢ଼ାଇବା ଲାଗି ଆଞ୍ଚଳିକ  ଭାଷାରେ ସଚେତନ ବାର୍ତ୍ତା ଥିବା କଲର  ଟ୍ୟୁନ୍‌ ପ୍ରସାରିତ କରାଯାଉଛି ବୋଲି ମନ୍ତ୍ରୀ  ସଞ୍ଜୟ କହିଛନ୍ତି ।