ନୂଆଦିଲ୍ଲୀ ୨୫/୦୩: ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତ ଏବେ ସାମରିକ ଯୁଦ୍ଧରେ ଗେମ୍ ଚେଞ୍ଜର ହେବା ଭଳି ଯୁଦ୍ଧାସ୍ତ୍ର ଉପରେ ଫୋକସ୍ କରିଛି । ଡିଆର୍‌ଡିଓ ଏଥିପାଇଁ ଭାରତର ପ୍ରତିରକ୍ଷା କ୍ଷମତାକୁ ଆଗାମୀ ସ୍ତରକୁ ନେବା ପାଇଁ ଏକ ବଡ଼ ଓ ମହତ୍ୱାକାଂକ୍ଷୀ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛି । ଏହି ଯୋଜନାର ମୁଖ୍ୟ ଫୋକସ୍ ସୁପର ହାଇପରସୋନିକ୍ ଯୁଦ୍ଧାସ୍ତ୍ର, ଉନ୍ନତ ବାଲିଷ୍ଟିକ୍ ମିସାଇଲ ପ୍ରୋଗ୍ରାମ୍ ଓ ୬ଷ୍ଠ ପିଢ଼ିର ଲଢୁଆ ପ୍ରଣାଳୀ ବିକଶିତ କରିବା । ଡିଆର୍‌ଡିଓ ସ୍ପଷ୍ଟ କରିଛି, ଭବିଷ୍ୟତର ଯୁଦ୍ଧରେ ହାଇପରସୋନିକ୍ ମିସାଇଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହା ମାକ୍ ୫ (ଶବ୍ଦର ଗତିଠୁ ୫ ଗୁଣ ଅଧିକ) ବେଗରେ ଗତି କରେ । ଆକାଶରେ ଦିଗ ବଦଳାଇବାରେ ମଧ୍ୟ ସକ୍ଷମ । ତେଣୁ ଶତ୍ରୁ ପାଇଁ ଏହାକୁ ରୋକିବା ମୁସ୍କିଲ ହୋଇପଡ଼େ । ଏହାର ବିକାଶ ଲାଗି ସ୍କ୍ରାମ୍‌ଜେଟ୍ ଇଞ୍ଜନ, ଉଚ୍ଚ-ତାପମାତ୍ରାଯୁକ୍ତ ଉପକରଣ, ଉନ୍ନତ ମାର୍ଗଦର୍ଶନ ପ୍ରଣାଳୀ ଭଳି ଜଟିଳ କୌଶଳ ଆବଶ୍ୟକ ।

ଘରୋଇ କ୍ଷେତ୍ର, ବିଶ୍ୱବିଦ୍ୟାଳୟର ଭାଗିଦାରୀ :

ଡିଆର୍‌ଡିଓ ସ୍ୱୀକାର କରିଛି, ଏତେ ବଡ଼ ପ୍ରୋଜେକ୍ଟ କେବଳ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ପୂରଣ ହୋଇପାରିବ ନାହିଁ । ସେଥିପାଇଁ ଏବେ ଘରୋଇ କମ୍ପାନି, ଷ୍ଟାର୍ଟଅପ୍ ଓ ଶିକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ମିଶନରେ ଯୋଡ଼ାଯିବ । ଡିଆର୍‌ଡିଓ ଉନ୍ନତ ବାଲିଷ୍ଟିକ୍ ମିସାଇଲ ପ୍ରୋଗ୍ରାମ୍ ଉପରେ ଅଧିକ ଜୋର୍ ଦେଉଛି । ରିପୋର୍ଟ ଅନୁସାରେ, ନୂଆ ବାଲିଷ୍ଟିକ୍ ମିସାଇଲଗୁଡ଼ିକରେ ଅଧିକ ବେଗ, ସଠିକତା ଓ ଶତ୍ରୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦିବାର କ୍ଷମତା ରହିବ । ଏଥିସହ ଏମ୍ଆଇଆର୍‌ଭି ଟେକ୍ନୋଲୋଜି, ହାଇପରସୋନିକ୍ ଗ୍ଲାଇଡ୍ ଭେଇକଲ, ଏଆଇ ଆଧାରିତ ପ୍ରଣାଳୀ ଉପରେ ଜୋର୍ ଦିଆଯାଉଛି । ବର୍ତ୍ତମାନର ଅଗ୍ନି ସିରିଜ୍‌କୁ ଅଧିକ ଉନ୍ନତ କରିବା ସହିତ ସମୁଦ୍ରରୁ ଲଞ୍ଚ ହେଉଥିବା ବାଲିଷ୍ଟିକ୍ ମିସାଇଲ ଉପରେ ମଧ୍ୟ ଫୋକସ୍ ବଢ଼ିଛି ।

୬ଷ୍ଠ ପିଢ଼ି ଫାଇଟର୍ ଉପରେ କାମ ଆରମ୍ଭ :

ଭାରତ ଏବେ ୫ମ ପିଢ଼ି ଫାଇଟର୍ ଉପରେ କାମ କରୁଛି । କିନ୍ତୁ ଡିଆର୍‌ଡିଓ ଭବିଷ୍ୟତକୁ ଧ୍ୟାନରେ ରଖି ୬ଷ୍ଠ ପିଢ଼ି ଟେକ୍ନୋଲୋଜି ଉପରେ କାମ ଆରମ୍ଭ କରିଛି । ଏଥିରେ ଉନ୍ନତ ଷ୍ଟେଲ୍‌ଥ ଟେକ୍ନୋଲୋଜି, ଏଆଇ ପ୍ରଣାଳୀ, ନୂଆ ପିଢ଼ିର ଇଞ୍ଜିନ, ଲେଜର୍ ଭଳି ଡାଇରେକ୍ଟେଡ୍ ଏନର୍ଜି ୱିପନ୍ ଓ ସେନ୍ସର ଫ୍ୟୁଜନ୍ ଟେକ୍ନୋଲୋଜି ସାମିଲ ହେବ । ଏହି ରଣନୀତିର ସବୁଠୁ ଖାସ୍ ଦିଗ ହେଉଛି ମାନବ ଓ ମାନବ-ରହିତ ଟିମ୍ । ଅର୍ଥାତ୍ ଭବିଷ୍ୟତରେ ଫାଇଟର୍ ଜେଟ୍ ସହ ସ୍ୱୟଂଚାଳିତ ଡ୍ରୋନ୍ ଉଡ଼ିବେ । ଏହି ଡ୍ରୋନ୍ ବିପଦପୂର୍ଣ୍ଣ ମିଶନକୁ ସମ୍ଭାଳିବେ । ପାଇଲଟ୍‌ଙ୍କ ସୁରକ୍ଷା ବଢ଼ାଇବେ ।

ବିଶ୍ୱ ଟେକ୍ନୋଲୋଜିର ହେବ ଅଧ୍ୟୟନ :

ରିପୋର୍ଟ ଅନୁସାରେ, ଡିଆର୍‌ଡିଓ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି । ଏହା ବିଶ୍ୱରେ ହେଉଥିବା ସାମରିକ ବିକାଶ ଓ ଯୁଦ୍ଧର ଅଧ୍ୟୟନ କରିବ । ଭାରତର ତ୍ରୁଟିକୁ ଚିହ୍ନଟ କରିବ । ନୂଆ ଲକ୍ଷ୍ୟ ସ୍ଥିର କରିବ । ଭବିଷ୍ୟତର ନିବେଶ ଦିଗ ନିର୍ଣ୍ଣୟ କରିବ । ଏହି ରିପୋର୍ଟ ୩-୬ ମାସରେ ଆସିବାର ଆଶା କରାଯାଉଛି । ଏହି ରୋଡ୍‌ମ୍ୟାପ୍‌ ଦର୍ଶାଉଛି ଯେ ଭାରତ ଏବେ ପାରମ୍ପରିକ ଯୁଦ୍ଧାସ୍ତ୍ରରୁ ଆଗକୁ ବଢ଼ି ହାଇ-ଟେକ୍ ଓ ଭବିଷ୍ୟତର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦିଗରେ ଦ୍ରୁତ ଆଗକୁ ବଢୁଛି ।

ଆହୁରି ପଢ଼ନ୍ତୁ...ଆକାଶରେ ବଢ଼ିବ ଭାରତର ଦବଦବା: ବାୟୁସେନାରେ ସାମିଲ ହେବ ୧୧୪ ଯୁଦ୍ଧ ବିମାନ, ପାକିସ୍ତାନ ଶିବିରରେ ଛନକା !