ନୂଆଦିଲ୍ଲୀ, ୨୪।୩: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି । ଏଥିରେ ୧୧୪ଟି ମଲ୍ଟି-ରୋଲ୍ ରାଫେଲ୍ ଯୁଦ୍ଧ ବିମାନ, ୬୦ଟି ମିଡିୟମ୍ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ (MTA) ଏବଂ ଅତିରିକ୍ତ ଏୟାରବୋର୍ଣ୍ଣ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ୍ (AEW&C) ସିଷ୍ଟମ ସାମିଲ ରହିଛି । ସଂସଦର ସ୍ଥାୟୀ କମିଟିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ବାୟୁସେନାର ଆଧୁନିକୀକରଣ ପାଇଁ ଚଳିତ ବଜେଟରେ ପୁଞ୍ଜିଗତ ବ୍ୟୟ ଅଟକଳକୁ ୩୭.୦୩ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏହା ବି ପଢ଼ନ୍ତୁ... ​​​​​​​୩୩୦ ଫୁଟ୍‌ ଦୂରକୁ ଛିଟିକି ପଡ଼ିଲେ, ବିମାନ ଦୁର୍ଘଟଣାରେ ମୃତ୍ୟୁକୁ ମାତ୍‌ ଦେଲେ ଏହି ଏୟାର ହୋଷ୍ଟେସ୍ !

ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ଉପରେ ଏକ ନଜର:

୧୧୪ ରାଫେଲ୍ ଯୁଦ୍ଧ ବିମାନ: ଏହି ମେଗା ଡିଲ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା । 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ଅଧୀନରେ ଫ୍ରାନ୍ସ କମ୍ପାନୀ ସହାୟତାରେ ଏହି ବିମାନଗୁଡ଼ିକ ଭାରତରେ ହିଁ ନିର୍ମିତ ହେବ ।

୬୦ଟି ପରିବହନ ବିମାନ (MTA): ପୁରୁଣା An-32 ବିମାନକୁ ବଦଳାଇବା ପାଇଁ ବାୟୁସେନା ୬୦ଟି ମିଡିୟମ୍ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ କିଣିବ । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଏଥିମଧ୍ୟରୁ ୧୨ଟି ବିମାନ ସିଧାସଳଖ କିଣାଯିବା ବେଳେ ବାକି ୪୮ଟି ଭାରତରେ ପ୍ରସ୍ତୁତ କରାଯିବ ।

ଆଧୁନିକ ସିଷ୍ଟମ: ଏହା ବ୍ୟତୀତ ଶତ୍ରୁ ଉପରେ ନଜର ରଖିବା ପାଇଁ AEW&C ସିଷ୍ଟମ, ଫ୍ଲାଇଟ୍ ରିଫ୍ୟୁଲର ଏବଂ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ କିଣାଯିବ । ଏହି ନୂତନ ଜ୍ଞାନକୌଶଳ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବା ସହ ଯୁଦ୍ଧ କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତି ନେବାରେ ସହାୟକ ହେବ । ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ଆତ୍ମନିର୍ଭର ଭାରତକୁ ପ୍ରାଧାନ୍ୟ:

ବାୟୁସେନା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳର ବିକାଶ ପାଇଁ IAF ପକ୍ଷରୁ 'ଏୟାରୋସ୍ପେସ୍ ଡିଜାଇନ୍ ନିର୍ଦ୍ଦେଶାଳୟ' (DAD) ପ୍ରତିଷ୍ଠା କରାଯାଇଛି । ଏହା ବିଭିନ୍ନ ଅନୁସନ୍ଧାନ କେନ୍ଦ୍ର ଏବଂ ଶିଳ୍ପ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ନୂତନ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ କରିବ । ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂସଦୀୟ କମିଟି ବାୟୁସେନାକୁ ଆବଣ୍ଟିତ ବଜେଟର ସଠିକ୍ ଓ ପ୍ରଭାବଶାଳୀ ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ଭାରତୀୟ ଆକାଶ ସୀମା ଅଧିକ ସୁରକ୍ଷିତ ହେବା ସହ ପଡ଼ୋଶୀ ଶତ୍ରୁ ଦେଶମାନଙ୍କ ପାଇଁ ଏହା ଏକ ଶକ୍ତ ଚେତାବନୀ ହେବ ।