ଫିରିଙ୍ଗିଆ,୨୦/୩ : କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ମଣିଷର ଦୃଢ଼ ମନୋବଳ ହିଁ ତାକୁ ଶୀର୍ଷରେ ପହଞ୍ଚାଇବା ସହ ସଫଳତା ଆଣିଦେଇଥାଏ । ବିଭିନ୍ନ ସମୟରେ ଏଭଳି ଅନେକ ଲୋକଙ୍କ ସଫଳତାର କାହାଣୀ ଆମେ ଦେଖିବାକୁ ପାଇଥାଉ । କିନ୍ତୁ ଆମେ ଏଭଳି ଏକ ସଫଳତା ପାଇଥିବା ଜଣେ ମଣିଷଙ୍କ କଥା କହୁଛୁ ଯିଏ ଜଣେ ଦିବ୍ୟାଙ୍ଗ ହୋଇ ସୁଦ୍ଧା ହାର ମାନିନାହାନ୍ତି । ଶିକ୍ଷକତା କରି ନିଜକୁ ନିଜେ ପ୍ରତିଷ୍ଠିତ କରାଇପାରିଥିବା ବେଳେ ଜଣେ ଭିନ୍ନକ୍ଷମ ଆଦର୍ଶ ଶିକ୍ଷକ ଭାବେ ବେଶ ନା କରିପାରିଛନ୍ତି ।
ଶିକ୍ଷକ ଜଣଙ୍କ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପଞ୍ଚାୟତ ଅଧୀନରେ ଥିବା ବନ୍ଧୁଲି ଗାଁ ଆକାପଢ଼ା ସାହିର ନାସରା କହଁର । ସେ ତାଙ୍କ ବାପା ମା’ଙ୍କର ସାନ ପୁଅ ହୋଇଥିବାବେଳେ ତାଙ୍କୁ ଯେତେବେଳେ ୪ବର୍ଷ ହୋଇଥିଲା ଏକ ଅଜଣା ରୋଗରେ ପୀଡ଼ିତ ହୋଇଥିଲେ । ରୋଗ ପାଇଁ ତାଙ୍କର ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଗୋଟେ ପଟେ ପାଠ ପଢ଼ିବାର ଇଛା ଶକ୍ତି ଅନ୍ୟପଟେ ପରିବାରର ଆର୍ଥିକ ସଙ୍କଟ ପାଇଁ ପାଠ ପଢିବାରେ ଡୋରି ବନ୍ଧା ହୋଇଯାଇଥିଲା । ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଥିବା ଏକ ଭିନ୍ନକ୍ଷମ ଆଶ୍ରମ ବିଦ୍ୟାଳୟରେ ପାଠ ପଢିବା ପାଇଁ ନାମ ଲେଖାଇ ଦେଇଥିଲେ। ପରିବାର ଲୋକେ ପରେ ସେହି ଆଶ୍ରମରେ ଦଶମ ଶ୍ରେଣୀ ଯାଏଁ ପଢିବା ପରେ ଫିରିଙ୍ଗିଆ ପଂଚାୟତ ବିଦ୍ୟାଳୟଠାରେ ଯୁକ୍ତ ଦୁଇ ପାସ କରିବା ପରେ ନିଜର ଅଧ୍ୟାବସାୟ ବଳରେ ଶିକ୍ଷା ବିଭାଗରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଶିକ୍ଷକତା କରିବା ମଧ୍ୟରେ ସେ ପରବର୍ତ୍ତି ସମୟରେ ସିଟି ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ପାସ କଲେ ଓ କିଛି ବର୍ଷ ପରେ ସେ ଓଟିଇଟି ପରୀକ୍ଷାରେ ମଧ୍ୟ ଉତ୍ତିନ୍ନ ହୋଇ ବର୍ତ୍ତମାନ ସେ ଜଣେ ସ୍ଥାୟୀ ସରକାରୀ ଶିକ୍ଷକ ଭାବରେ ଚାକିରୀ କରି ଆସୁଛନ୍ତି ।
ବର୍ତ୍ତମାନ ସେ ଏହି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପଞ୍ଚାୟତର କଡ଼ିପାରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଏହି ଭିନ୍ନକ୍ଷମ ଶିକ୍ଷକ ଜଣକ ଏହି କଡ଼ିପାରି ବିଦ୍ୟାଳୟରେ ଚାକିରୀ ଆରମ୍ଭ ଅର୍ଥାତ ଦୀର୍ଘ ୧୨ବର୍ଷ ହେବ ଶିକ୍ଷକତା କରି ଆସୁଥିବାବେଳେ ତାଙ୍କ ଗାଁଠାରୁ ବିଦ୍ୟାଳୟର ଦୂରତା ପ୍ରାୟ ୮କିଲୋମିଟର । ତଥାପି କୌଣସି କଥାକୁ ଖାତିର ନ କରି ହାତରେ ଏକ ବାଡ଼ି ଧରି ୧୨ବର୍ଷ ହେବ ନୀତିଦିନ ପ୍ରାୟ ୧୬କିଲୋମିଟର ବଣପାହାଡ଼ ରାସ୍ତାରେ ଚାଲିଚାଲି ବିଦ୍ୟାଳୟକୁ ଯିବା ଆସିବା କରି ଆସୁଛନ୍ତି I ସେପଟେ ଏହି ଚାଲିଚାଲି ଯିବା ଆସିବା କଥା ପଚାରିଲେ ହସି ହସି କୁହନ୍ତି ଅଭ୍ୟାସ ହୋଇଗଲାଣି ଆଉ କଷ୍ଟ ଲାଗୁନି । ଏହି ବିଦ୍ୟାଳୟ ମୋ ପାଇଁ ମନ୍ଦିର ଓ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମୋ ପାଇଁ ଭଗବାନ । ସେପଟେ ସବୁଠୁ ବଡ଼ କଥା ହେଲା ୧୨ ବର୍ଷ ହେବ ସେ ନିରବଛିନ୍ନ ଭାବରେ ବିଦ୍ୟାଳୟକୁ ସଠିକ ସମୟରେ ଆସି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିଆସୁଥିବାବେଳେ କେତେବେଳେ କେମିତି ବେଶୀ ଅସୁବିଧା ହେଲେ ଛୁଟି ନେବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ବିଦ୍ୟାଳୟକୁ ଆସିବାରେ କେବେ ଅବହେଳା କରିନଥିବା କହିଛନ୍ତି । କେବଳ ସେତିକି ନୁହଁ ଏହି କଡ଼ି ପାରି ବିଦ୍ୟାଳୟରେ ଏକ ଚାଳିଶ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ରହିଛି । ବେଳେବେଳେ ଶିକ୍ଷକ ଜଣକ ଏହି ଛାତ୍ର ନିବାସରେ ରହୁଥିବା ଛାତ୍ରମାନଙ୍କର ମଧ୍ୟ ଦାୟିତ୍ୱ ନେଇ ବେଶ ସୁରୁଖୁରୁରେ ଛାତ୍ର ନିବାସକୁ ମଧ୍ୟ ପରିଚାଳନା କରିଆସୁଛନ୍ତି I ତେବେ ଯେଉଁକାମକୁ ସୁସ୍ଥ ସବଳ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ କରିପାରୁନାହାନ୍ତି ସେହି କାମକୁ ଭିନ୍ନକ୍ଷମ ହୋଇ ସୁଦ୍ଧା କରି ଦେଖେଇ ପାରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ସବୁ ଦିନ ଟାଇମରେ ଆସନ୍ତି ଆଉ ଟାଇମରେ ଯାଉଛନ୍ତି। ଜଣେ ଦୃଷ୍ଟିହୀନ ହେଲେ ବି ସବୁବେଳେ ପାଠ ପଢ଼ାଉଛନ୍ତି ।