ଗଜପତି,୦୩/୦୩: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ପର୍ଶୁରାମଙ୍କ ତପସ୍ଥଳୀ ପବିତ୍ର ତଥା ଆଧ୍ୟାତ୍ମିକ କ୍ଷେତ୍ର ମହେନ୍ଦ୍ରଗିରି ଅଶାନ୍ତ ହୋଇପଡିଛି । ଯାହାର କାରଣ ପ୍ରଶାସନର ନୀରବତା ଯୋଗୁ ଏପରି ଅଶାନ୍ତି ଲାଗି ରହିଥିବା  ଆଲୋଚନା ହେଉଛି।  ମହେନ୍ଦ୍ରଗିରିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। କୁନ୍ତୀ ମନ୍ଦିର ନିକଟ କୂଅର ପାଣିକୁ ନେଇ ଏହି ବିବାଦ ଉପୁଜିଥିବା ବେଳେ ଏହାକୁ ନେଇ ବନ ବିଭାଗ, ମହେନ୍ଦ୍ରଗିରି ଇକୋ ଡେଭେଲପମେଣ୍ଟ କମିଟି ଓ ବାରଘର ଲୋକେ ପୃଥକ ପୃଥକ ଭାବେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୁଲିସ କିଛି କହିବାକୁ ମନା କରିଦେଇଥିବା ବେଳେ ଏହାର ସମାଧାନ ପାଇଁ ପ୍ରୟାସ କରାଯାଉଥିବା ଆଦିବାସୀ ସଂଘ ପକ୍ଷରୁ କୁହାଯାଇଛି ।

 ପାଣି ଟୋପାଏ ପାଇଁ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ବନ ବିଭାଗ, ଇକୋ ଡେଭେଲପମେଣ୍ଟ କମିଟି ଓ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। କୁନ୍ତୀ ମନ୍ଦିର ନିକଟ କୂଅର ପାଣି ଦୀର୍ଘ ବର୍ଷ ହେଲା ସେବାୟତମାନେ ରହୁଥିବା ବାରଘର ଗାଁର ଲୋକେ ବ୍ୟବହାର କରି ଆସୁଥିବା ବେଳେ ବନ ବିଭାଗ ପକ୍ଷରୁ ମହେନ୍ଦ୍ରଗିରି ଠାରେ ଇକୋ ରିସର୍ଟ ଆରମ୍ଭ ହେବା ପର ଠାରୁ ସେହି କୂଅର ପାଣି ସେମାନେ ବ୍ୟବହାର କରୁଛନ୍ତି। ଫଳରେ ବାରଘର ଲୋକଙ୍କୁ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର କହିବା ପରେ ବି କୌଣସି ସୁଫଳ ନମିଳିବାରୁ ଗତକାଲି ସେମାନେ ଏହାର ପ୍ରତିବାଦରେ ମହେନ୍ଦ୍ରଗିରିରେ ଭଙ୍ଗାରୁଜା କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି। 

ଘଟଣାକୁ ନେଇ ବନ ବିଭାଗ, ଇକୋ ଡେଭେଲପମେଣ୍ଟ କମିଟି ଓ ସେବାୟତ ଗୋଷ୍ଠୀ ପୃଥକ ପୃଥକ ଭାବେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଇକୋ ଡେଭେଲପମେଣ୍ଟ କମିଟିର ସଭାପତି କହିଛନ୍ତି ଯେ, ଗତକାଲି ବାରଘର ଗାଁ ଲୋକେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି କୁନ୍ତୀ ମନ୍ଦିର ନିକଟ କୂଅରେ ଲାଗିଥିବା ମୋଟର ପମ୍ପ, ପାଇପ୍ ଆଦି ଭଙ୍ଗାରୁଜା କରିବା ସହ ସେହି ନିକଟରେ ଥିବା ମହେନ୍ଦ୍ର ଆଶ୍ରମରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏପରିକି ସେହି ଆଶ୍ରମରେ ଥିବା ସାଧୁଙ୍କୁ ଆଶ୍ରମ ଛାଡି ଚାଲି ଯିବାକୁ ଧମକ ଦେଇଛନ୍ତି। ତେଣୁ ଏସଂପର୍କରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା ସେ କହିଛନ୍ତି। ଅନ୍ୟପଟେ ବାରଘର ଲୋକେ କହିଛନ୍ତି ଯେ, ପୁରୁଷ ପୁରୁଷ ଧରି ସେମାନେ ମହେନ୍ଦ୍ରଗିରିରେ ଠାକୁରଙ୍କ ସେବା କରିବା ସହ ଏହାର ସୁରକ୍ଷା ପାଇଁ କାମ କରିଆସୁଛନ୍ତି। କିନ୍ତୁ ସରକାର ଉନ୍ନତି ଆଳରେ ମହେନ୍ଦ୍ରଗିରିକୁ ନଷ୍ଟ କରିବାରେ ଲାଗିଛନ୍ତି। ମହେନ୍ଦ୍ରଗିରିରେ କେବଳ ଶିବ ଲିଙ୍ଗ ରହିଛି ତାହା ନୁହେଁ, ବରଂ ଅନେକ ଔଷଧୀୟ ବୃକ୍ଷ ମଧ୍ୟ ରହିଛି।

 ସରକାର ଏହାର ସୁରକ୍ଷା କରିବା ବଦଳରେ ନଷ୍ଟ କରୁଛନ୍ତି। ଯାହା ପ୍ରତିବାଦ କରିବାରୁ ବାରଘର ଲୋକେ ଦୀର୍ଘ ବର୍ଷ ଧରି ବ୍ୟବହାର କରୁଥିବା କୁନ୍ତୀ ମନ୍ଦିର କୂଅର ପାଣିକୁ ବନ୍ଦ କରି ହଇରାଣ କରୁଛନ୍ତି। ବିଶେଷ କରି ବନ ବିଭାଗ ପକ୍ଷରୁ ଇକୋ ରିସର୍ଟ ଆରମ୍ଭ ହେବା ପର ଠାରୁ ଏହି ସମସ୍ୟା ଉତ୍କଟ ହୋଇଛି। ତେଣୁ ଏହାର ପ୍ରତିବାଦ କରିଛନ୍ତି ମହିଳା। ତେବେ ଏହାକୁ ନେଇ ଯଦି ସମାଧାନ କରିବାକୁ ଚାହୁଁଛନ୍ତି ତାହେଲେ ସେମାନେ ରାଜି । ଯଦି ସେମାନେ ଏହାକୁ ନେଇ ଆକ୍ରମଣାତ୍ମକ ହେବାକୁ ଚାହୁଁଛନ୍ତି ତାହେଲେ ସେମାନେ ଜୀବନ‌ଦେବେ ପଛେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି । 

ଆହୁରି ପଢନ୍ତୁ- କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ପ୍ରକୃତି ପ୍ରେମ; ପେସାରେ ଶିକ୍ଷୟିତ୍ରୀ, ନିଶା ପରିବେଶ ସୁରକ୍ଷା
ସେହିପରି ମହେନ୍ଦ୍ରଗିରିରେ ଦେଖାଦେଇଥିବା ବିବାଦକୁ ନେଇ ବନ ବିଭାଗ, ଇକୋ ଡେଭେଲପମେଣ୍ଟ କମିଟି ଓ ସେବାୟତ ଗୋଷ୍ଠୀ ପୃଥକ ପୃଥକ ଭାବେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ପୋଲିସ କିଛି କହିବାକୁ ମନା କରିଦେଇଥିବା ବେଳେ ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ବିବାଦ ଦେଖା ଦେଇଛି। ତେଣୁ ଏହାର ସମାଧାନ ପାଇଁ ପ୍ରୟାସ କରାଯାଉଛି। ସମାଧାନ ନହେଲେ ଜିଲ୍ଲା ଆଦିବାସୀ ସଂଘ ନିଶ୍ଚିତ ଭାବେ ଆଦିବାସୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେହି ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବ ବୋଲି କହିଛନ୍ତି।ମହେନ୍ଦ୍ରଗିରି ଭଳି ଏକ ପବିତ୍ର ସ୍ଥାନରେ ଏଭଳି ବିବାଦ ନିଶ୍ଚିତ ଭାବେ ପ୍ରଶାସନ ପାଇଁ ଚିନ୍ତାର କାରଣ। ତେଣୁ ଏହା ଭିନ୍ନ ରୂପ ନେବା ପୂର୍ବରୁ ଏହାର ସମାଧାନ ହେବା ଜରୁରୀ।