ମାଲକାନଗିରି, ୨୫/୧୧(ଆପ୍ର ): ଖରିଫ ବର୍ଷ ୨୦୨୫-୨୬ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଚାଷୀ ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଅବଶ୍ୟକୀୟ ପ୍ରସ୍ତୁତି କରିବା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ଆଦେଶ ଖିଲାପକାରୀ ଅଧିକାରୀ, ମିଲର ତଥା ଦଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରଶାସନର ନିର୍ଦେଶ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଧାନ ସଂଗ୍ରହ କେନ୍ଦ୍ରରେ ରହିବ ଡିଜିଟାଲ ଆଦ୍ରତା ମିଟର
ମଣ୍ଡିରେ ଠକେଇ କଲେ ଟୋଲ ଫ୍ରି ନଂ-୧୯୬୭ ଜଣାଇବାକୁ ପରାମର୍ଶ
ବୈଠକରେ ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ , ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଉପସ୍ଥିତ ଥିଲେ। ଚାଷୀ କିଭଳି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହ ମଣ୍ଡିରେ ଦଲାଲଙ୍କ ସମ୍ପୃକ୍ତି ଏବଂ କଟନୀ ଛଟନି ଭଳି ବିଭିନ୍ନ ଅବ୍ୟବସ୍ଥା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଡ଼ିସେମ୍ବର ୧୭ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରିଛନ୍ତି। ଜିଲ୍ଲାର ସମୁଦାୟ ୭ ଗୋଟି ବ୍ଲକରେ ଧାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି I ୨୦୨୫-୨୬ ଖରିଫ ଋତୁ ପାଇଁ ଏଫ ସି ଆଇ ପକ୍ଷରୁ ଚାଉଳ ଉଠେଇବା ପାଇଁ ମାଲକାନଗିରି ଠାରେ ଏକ ଗୋଦାମ କରାଯିବ। ଚାଷୀଙ୍କ ସୁବିଧା ପାଇଁ ଧାନ ସଂଗ୍ରହ କେନ୍ଦ୍ରରେ ଡିଜିଟାଲ ଆଦ୍ରତା ମିଟର, ତାରପୋଲିନ, ୱେଟବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇ ଦିଆଯିବ। ଏଥି ସହିତ ପ୍ରତୀକ୍ଷା କକ୍ଷ, , ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଥିବା ମଡେଲ ମଣ୍ଡିର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି I
ଜିଲ୍ଲାପାଳ ଏବର୍ଷ ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ନିମନ୍ତେ କୌଣସି ମିଲର, ଆରଏମସି ଅଧିକାରୀ ଏବଂ ଯୋଗାଣ ଅଧିକାରୀ ଠକେଇ କଲେ ତୁରନ୍ତ ଥାନାରେ ଏତଲା ଦେବା କିମ୍ବା ଟୋଲ ଫ୍ରି ନଂ-୧୯୬୭ କିମ୍ବା ୦୬୮୬୧-୨୩୦୩୫୯ କିମ୍ବା ୦୬୮୬୧- ୨୯୧୦୫୯ ରେ ଅଭିଯୋଗ କରିବାକୁ କହିଥିଲେ। ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ I ଭିତ୍ତିଭୂମିର ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ମଡେଲ ମଣ୍ଡି ବ୍ୟବସ୍ଥା କରିବା ସହିତ ଚାଷୀଙ୍କୁ ଗ୍ରାମ ପଂଚାୟତ ସ୍ତରରେ ଝୋଟ ବ୍ୟାଗ ଯୋଗାଇବା କିମ୍ବା ଚାଷୀ ଦେଇଥିବା ବ୍ୟାଗର ଉଚିତ ମୂଲ୍ୟ ମିଲର ବହନ କରିବେ ଏବଂ ଏହାର ତଦାରଖ ନିମନ୍ତେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ସେ ମଣ୍ଡି ସ୍ତରରେ ସମସ୍ତ ଚାଷୀ କିଭଳି ସଠିକ ଭାବେ ପଇସା ପାଇବେ ସେ ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ କହିଥିଲେ I
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଏବଂ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଙ୍କ ସମେତ ଜିଲ୍ଲାର କୃଷକ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ବୈଠକକୁ ପରିଚାଳନା କରିଥିଲେ I